ପଶ୍ଚିମ ଓଡ଼ିଶାରେ ବଜ୍ରପାତରେ ୫ ମୃତ

Straight to the Point

ବରଗଡ଼/ଡୁଙ୍ଗୁରିପାଲି/ଅତାବିରା/ରେଙ୍ଗାଲି କ୍ୟାମ୍ପ/ଖଡ଼ିଆଳ/ଭେଡ଼େନ/ଜୁନାଗଡ଼: ବଜ୍ରପାତରେ ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାରେ ୩ ଜଣଙ୍କ ଜୀବନ ଯାଇଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଜୁଲୁଣ୍ଡା ନିକଟସ୍ଥ ମହୁବାହାଲି ଗ୍ରାମରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି। ଶ୍ରୀମଦ ବେହେରାଙ୍କ ପୁଅ କାଳିଆ ବେହେରା(୪୯) ଶୁକ୍ରବାର ଅପରାହ୍ନରେ ବିଲରୁ ଘରକୁ ଫେରୁଥିଲେ। ରାସ୍ତାରେ ହଠାତ ବର୍ଷା ସହିତ ବଜ୍ରପାତ ହେବାରୁ କାଳିଆ ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅତାବିରା ବ୍ଲକ ଡୁମେରମୁଣ୍ଡା ଗ୍ରାମରେ ବଜ୍ରାଘାତରେ ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ଆଜି ସନ୍ଧ୍ୟା ୬.୧୫ ମିନିଟରେ ଡୁମେରମୁଣ୍ଡା ଗ୍ରାମର କାହ୍ନୁ ଭୂଏ (୪୦) ସେଇ ଗ୍ରାମର ସନ୍ତୋଷ ଭୋଇଙ୍କ ଚାଷଜମିରେ କାମ କରୁଥିଲେ। ଏହି ସମୟରେ ହଠାତ ପ୍ରଚଣ୍ଡ ବେଗରେ ଘଡଘଡି ହୋଇ ବଜ୍ରାଘାତ ଘଟିଥିଲା। ଯାହାଦ୍ୱାରା ସନ୍ତୋଷଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଅତାବିରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଭେଡ଼େନ୍‍ ବ୍ଲକ୍‍ରେ ବଜ୍ରପାତରେ ୨ ଜଣ ଝିଅ ପ୍ରାଣ ହରାଇଛନ୍ତି। ଖଲିଆପାଲି ଗ୍ରାମର ସାବିତ୍ରୀ ଦରଦ (୨୦) ଓ କୌଶଲ୍ୟା ଦରଦ (୧୫) ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ଶୌଚହେବାକୁ ଯାଇଥିବାବେଳେ ଉଭୟ ବଜ୍ରପାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ନୂଆପଡା ଜିଲା ଖଡିଆଳ ବ୍ଲକ ଚନାବେଡା ପଞ୍ଚାୟତର ରୋହେନପଦର ଗ୍ରାମର ଜଣେ ମହିଲାଙ୍କ ବ୍ରଜପାତରେ ମୃତ୍ୟୁ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟା ୫ଟାରେ ମଦନ ମାଝୀଙ୍କ ଅବିବାହିତା ଝିଅ ଭୁବନେ ମାଝୀ ନିଜ ଜମିକୁ ଯାଇଥିଲେ। ଏହି ସମୟରେ ଏହି ସମୟରେ ସାମାନ୍ୟ ବର୍ଷା ହେବା ସହ ବ୍ରଜପାତ ହେବାରୁ ଘଟଣାସ୍ଥଳରେ ଅଚେତ ହୋଇ ପଡିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଖଡିଆଳ ସ୍ଥିତ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖଡିଆଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ସେହିପରି ଜୁନାଗଡ ଥାନା ଅନ୍ତର୍ଗତ ତଳମଲା ଗ୍ରାମରେ ଆଜି ସଂଧ୍ୟାରେ ବଜ୍ରପାତରେ ଦାଶରଥି ପୂଝାରୀ(୨୭) ଓ ପ୍ରେମଶିଲା ଭୋଇ(୬୫) ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦାଶରଥି ଦୋକାନରୁ ଘରକୁ ଫେରୁଥିବାବେଳେ ରାସ୍ତାରେ ଥିବା ଷ୍ଟ୍ରିଟ ଲାଇଟ ଉପରେ ବଜ୍ରପାତ ପଡି ତାଙ୍କ ଉପରକୁ ନିଆଁ ପଡିଥିଲା। ଫଳରେ ଦାଶରଥି ସେଠାରେ ତଳେ ପଡିଯାଇ ଗୁରୁତର ହୋଇଯାଇଥିଲେ। ସେହିପରି ବୃଦ୍ଧା ପ୍ରେମଶିଲା ଘର ବାରଣ୍ଡାରେ ବସିଥିବାବେଳେ ହଟାତ୍‍ ନିକଟରେ ବଜ୍ରପାତ ହେବା ଫଳରେ ତାହାର ପ୍ରଭାବରେ ସେ ଅଚେତ ହୋଇପଡିଥିଲେ।

error: Thank You Keep Visiting