ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ : ମୁଖ୍ୟ ଶାସକ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ

Straight to the Point

ଭୁବନେଶ୍ୱର : ରାଜ୍ୟ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସକ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ପୁରୀ ଜିଲ୍ଲା ସତ୍ୟବାଦୀରେ ବହୁ ପ୍ରତିକ୍ଷୀତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୨୫ ଏକର ଜମି ଯୋଗାଇ ଦେବେ। ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଲାଗି ନିଷ୍ପତ୍ତି ନିଆଯାଇଛି।

ସେହିପରି ରାଜ୍ୟରେ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଏଥି ପାଇଁ ନିର୍ଦେଶକ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ସମସ୍ତ ସାର୍ବଜନୀନ ପାଠାଗାର ଏହି ନିର୍ଦ୍ଦେଶାଳୟ ଅଧୀନରେ ରହିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ସ୍ଥିତ ଆନନ୍ଦ ଭବନ ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଟ୍ରଷ୍ଟ ଗଠନ କରାଯିବ। ଏହାର ନାମ ଆନନ୍ଦଭବନ ସଂଗ୍ରାହଳୟ ଓ ଅଧ୍ୟୟନ କେନ୍ଦ୍ରର ଉନ୍ନତିକରଣ ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ ।

ଏହି ଟ୍ରଷ୍ଟ ପାଇଁ ଏକ କର୍ପସ ପାଣ୍ଠି ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ବୈଠକରେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ ସମସ୍ତ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ।

error: Thank You Keep Visiting