ଦବିଲା ଜାତୀୟ ରାଜପଥ,ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ

Straight to the Point

ଭଦ୍ରକ: ଭଦ୍ରକ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ନିକଟସ୍ଥ ଏକ କଲଭର୍ଟ ଉପର ଦେଇ ଯାଇଥିବା ରାସ୍ତା ଦବିଯିବା କାରଣରୁ ଗତକାଲି ରାତିରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକରେ ବାଜପେୟୀଙ୍କ ନେତୃତ୍ୱାଧୀନ ତତ୍କାଳୀନ ଏନ୍ଡିଏ ସରକାରଙ୍କ ସମୟରେ ‘ସ୍ୱର୍ଣ୍ଣ ଚତୁର୍ଭୁଜ’ ଯୋଜନାରେ ନିର୍ମାଣ ହୋଇଥିବା ୫ ନଂ ଜାତୀୟ ରାଜପଥ (ଯାହା ଆଜି ୧୬ନଂ ହୋଇଛି) ତାହାର ବିପର୍ଯ୍ୟସ୍ତ ସଂପର୍କିତ ଏକ ବିସ୍ତୃତ ଖବର ଏହି ପ୍ରତିନିଧି ଦ୍ୱାରା ପ୍ରକାଶ ପାଇଥିଲା । ତେବେ ଏହି ଖବର ପ୍ରକାଶ ପାଇଥିଲେ ମଧ୍ୟ ନା ଜିଲା ପ୍ରଶାସନ ନା ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା କାହାର ବି କୁମ୍ଭକର୍ଣ୍ଣ ନିଦ୍ରା ଭାଂଗିନଥିଲା । ଫଳରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପୁରୀରୁ ଶ୍ରୀ ଜଗନ୍ନାଥ ଦର୍ଶନ ସାରି ଉତ୍ତର ପ୍ରଦେଶ ଫେରୁଥିବା ଏକ ଯାତ୍ରୀବାହୀ ବସ୍ ଭଦ୍ରକରୁ ୪.୦୭ କିମି ନଳାଙ୍ଗ ପଛକୁ କଲଭର୍ଟ ଥିବା ଡାହଣପଟ ରାସ୍ତା ଦବିଯିବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡିଟିର ପଛ ପତି ଭାଂଗିଯାଇଥିଲେ ମଧ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିଲେ । ପରେ ଜିଲା ପ୍ରଶାସନ ପକ୍ଷରୁ ଗାଡିର ମରାମତି କରିବାରେ ସହାୟତା କରାଯିବା ପରେ ଯାତ୍ରୀମାନେ ନିଜ ଘରକୁ ଫେରିଥିଲେ । ଏହି ଖବର ପାଇବା ପରେ ଜିଲାପାଳ ଜ୍ଞାନ ଦାସ ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ôଚ ନାରାୟଣ ଅଧିକାରୀଙ୍କୁ ଖବର ଦେବାରୁ ସେ ନିଜେ ଭଦ୍ରକ ଜାତୀୟ ରାଜପଥ ଦାୟିତ୍ୱରେ ଥିବା ବାଲେଶ୍ୱରସ୍ଥିତ କାର୍ଯ୍ୟାଳୟର ମୁଖ୍ୟ ହରିଶ୍ୱର ପ୍ରସାଦଙ୍କ ସହ ଘଟଣାସ୍ଥଳରେ ପହଞ୍ôଚ ତାହାର ତଦାରଖ କରିଥିଲେ । ଏବଂ ଦବିଯାଇଥିବା ସ୍ଥାନଟିର ଚତୁଃପାଶ୍ୱର୍ରେ ବାରିକେଡ୍ ଲଗାଇ ଦୁର୍ଘଟଣା ନିରୋଧ ଚିହ୍ନ ଲଗାଯାଇ ଅବରୋଧ କରିଥିଲେ । ଏଥିସହ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ତାହା ସାମୟିକ ଭାବେ ପୋତି ଦେଇଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ଏହି ସ୍ଥାନଟିରେ ୧୩ ଫୁଟ୍ ର ୧୩ ଫୁଟ୍ ୨୦୦ ଏମ୍ଏମ୍ର ସ୍ଲାବ୍ ପକାଯାଇ ତାହାର ମରାମତି ସଂପୂର୍ଣ୍ଣ କରାଯିବ ବୋଲି ହରିଶ୍ୱର ପ୍ରସାଦ ଜିଲା ପ୍ରଶାସନକୁ ପ୍ରତିଶ୍ରୁତି ଦେଇଥିବା ବିଷୟ ଜଣାପଡିଛି । ଏହି ରାସ୍ତାଟିରେ ଅଧିକ ୧୩ ଫୁଟ୍ର ୧୩ ଫୁଟ୍ ଭଲ ଥିବାରୁ ସେଥିମଧ୍ୟ ଦେଇ ଇତିମଧ୍ୟରେ ଯାନବାହନ ଚଳାଚଳ ହୋଇପାରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଆଶ୍ୱସନା ଦେବାରୁ ଗାଡି ଚଳାଚଳ ଆଜି ଦିନ ୧୨ ଟା ପରେ ଆରମ୍ଭ ହୋଇଛି । ତେବେ ଯାହା ଜଣାଯାଏ ଭଦ୍ରକ ଦେଇଯାଇଥିବା ଏହି ଜାତୀୟ ରାଜପଥର ଅନେକ ସ୍ଥାନ ଯେଭଳି ଭାବେ ବିପଦ ଶଙ୍କୁଳ ହୋଇପଡିଛି, ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ଏହି ରାସ୍ତା ନିର୍ମାଣ କରିଥିବା ଏଲ୍ଏଣ୍ଡଟି କଂପାନୀ ଇତିମଧ୍ୟରେ ନିଜର ଚୁକ୍ତିରେ ଖିଲାପ କରି ଏହାର ରକ୍ଷଣାବେକ୍ଷଣ ପ୍ରତି ଯେଭଳି ଧ୍ୟାନ ଦେଉନାହିଁ, ସେ ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାର କୌଣସି ଅଂକୁଶ ନରହିବା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବିଶେଷକରି ଏହି ଜିଲାର ଭଦ୍ରକ ଗେଲପୁର ଠାରୁ ଆଖୁଆପଦା ପର୍ଯ୍ୟନ୍ତ ଯାଇଥିବା ୧୬ନଂ ଜାତୀୟ ରାଜପଥର ଉଭୟପାଶ୍ୱର୍ରେ ସୃଷ୍ଟି ହୋଇଥିବା ବିପଦପୂର୍ଣ୍ଣ ଫାଟ ଯେଭଳି ମରଣଯନ୍ତାରେ ପରିଣତ ହୋଇ ବହୁ ଲୋକଙ୍କ ଜୀବନହାନିର କାରଣ ହେଲାଣି ।

error: Thank You Keep Visiting