ମଧ୍ୟାହ୍ନଭୋଜନ ଚାଉଳ ଘୋଟାଲା ପର୍ଦ୍ଦାଫାସ:ଥାନାରେ ୨ଟି ମାମଲା;ଡ୍ରାଇଭର ଗିରଫ

Straight to the Point

ଭଦ୍ରକ: ଦୁଇଦିନ ଧରି ଧାମନଗର ବ୍ଲକରେ ମଧ୍ୟାହ୍ନ ଭୋଜନ ଚାଉଳ ଘୋଟାଲା ପଦାକୁ ଆସିବା ପରେ ପ୍ରଶାସନ ତନାଘନା ଆରମ୍ଭ ପରେ ଆଜି ଧାମନଗର ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଗତ ୬ ତାରିଖ ଦିନ ଏହି ଥାନା ପଳିକିରିସ୍ଥିତ ମା ରାଇସ ମିଲରୁ ୨୮୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରାଯାଉଥିବା ବେଳେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ସେଠାରେ ଚଢଉ କରି ସେଥିମଧ୍ୟରୁ ୨୬୦ ବସ୍ତା ଚାଉଳ ଜବତ କରି ଥାନାକୁ ଆଣିଥିଲେ । ସୂଚନା ଥାଉକି ଏହି ମଧ୍ୟାହ୍ନ ଭୋଜନ ଚାଉଳ ବଲଜିତପଡା ଗୋଦାମରୁ ଚାନ୍ଦବାଲି ଯିବା ପାଇଁ ଥିବା ବେଳେ ଏହି ଚାଉଳ ସେଠାକୁ ନଯାଇ ଉକ୍ତ ରାଇସ ମିଲରେ ଅନଲୋଡିଂ ହେଉଥିବା ଯୋଗାଣ ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ । ଏହି ଖବରପାଇ ଆଜି ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂପୃକ୍ତ ସ୍ୱୀକୃତୀପ୍ରାପ୍ତ ଠିକାଦାର ଅଭୟ ଜେନା, ରାଇସ ମିଲର ମାଲିକ ଓ ସଂପୃକ୍ତ ଟ୍ରକ ଡ୍ରାଇଭର ଗଗନ ସାହୁଙ୍କ ନାମରେ କେଶ ନଂ-୧୩୩/୧୮ରେ ଏକ ମାମଲା ରୁଜୁ କରିଛି । ଏଥିରେ ଡ୍ରାଇଭର ଗଗନ ସାହୁକୁ ଗିରଫ କରିଛି । ସେହିପରି ଏହି ମଧ୍ୟାହ୍ନ ଭୋଜନ ଚାଉଳ ବେଆଇନ ଭାବେ ଏକ ଘରୋଇ ଗୋଦାମ ଘରେ ରଖାଯାଇ ଏଠାରୁ ବ୍ଲକର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କରାଯାଉଥିବା ସୋସିଆଲ ମିଡିଆରେ ଭାଇରାଲ ଘଟଣାକୁ ନେଇ ବ୍ଲକ ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ ଧାମନଗର ଥାନାରେ ଅଭିଯୋଗ କରିବା ପରେ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ଚାଲର୍ସ ନାୟକ, ଏସଡିପିଓ ମନୋରଂଜନ ସାମଲ ଓ ଥାନାଧିକାରିଣୀ ବନ୍ଦନା ପାତ୍ର ରାଧାବଲ୍ଲଭପୁର ପଞ୍ଚାୟତ ଝାଟିଆସାହି ଠାରେ ପହଞ୍ଚି ଥିଲେ । ସେଠାରେ ଥିବା ଉକ୍ତ ବେଆଇନ ଗୋଦାମ ଗୃହରେ ୩୧୯ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ମହଜୁତ ଥିବା ଜାଣି ପୁଲିସ ଉକ୍ତ ଘରକୁ ସିଲ କରିଥିଲା । ତେବେ ସେହି ଚାଉଳ ମଧ୍ୟାହ୍ନ ଭୋଜନ ଚାଉଳ ପାଇ ଉଦ୍ଧିଷ୍ଟ ଥିବାରୁ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବାରିକ ଥାନାରେ ଆଜି ଅଭିଯୋଗ କରିବା ପରେ ପୁଲିସ କେଶ ନଂ-୧୩୪/୧୮ରେ ଏକ ମାମଲା ସଂପୃକ୍ତ ସ୍ୱୀକୃତୀପ୍ରାପ୍ତ ଠିକାଦାର ଅଭୟ ଜେନା, ଘର ମାଲିକ ବିଜୟ ସାମଲ, ବେଆଇନ ଭାବେ ଚାଉଳ ବଣ୍ଟନ କରୁଥିବା ପୁରସ୍ତମ ପଣ୍ଡା ଓ ଚାଉଳ ପରିଚାଳନା ଦାୟିତ୍ୱରେ ଥିବା ପ୍ରଦୀପ କରଙ୍କ ନାମରେ ମାମଲା ରୁଜୁ କରାଯାଇଛି । ସୂଚନା ଥାଉକି ଧାମନଗର ବ୍ଲକର ୨୬୦ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ଗତମାସ ୧ହଜାର ୮୭ କୁଇଣ୍ଟାଲ ଚାଉଳ ଉଠାଯାଇଥିବା ବେଳେ ସେଥି ମଧ୍ୟରୁ ୧୦୩ ସ୍କୁଲକୁ ୪୩୨ କୁଇଣ୍ଟାଲ ଚାଉଳ ବଣ୍ଟା ଯାଇଥିବା ବେଳେ ଅବଶିଷ୍ଟ ୧୫୭ଟି ସ୍କୁଲକୁ ପ୍ରାୟ ୬୫୫ କୁଇଣ୍ଟାଲ ଚାଉଳ ବଣ୍ଟାଯାଇ ନଥିଲା । ତେବେ ଏହି ଚାଉଳ କାହିଁକି ବଣ୍ଟା ଯାଇନଥିବା ତାହା ପୁଲିସକୁ ତଦନ୍ତର ଅଧିକ ଖୋରାକ ଯୋଗାଇଛି । ସୂଚନା ଥାଉକି ବ୍ଲକର ଅଧିକାଂଶ ସ୍କୁଲ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ହୋଇନଥିବାରୁ ରୋଷେଇ ବନ୍ଦ ହେବାକୁ ବସିଲାଣି । ଏଦିଗରେ ତୁରନ୍ତ ବିଦ୍ୟାଳୟ ମାନଙ୍କୁ ଚାଉଳ ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

error: Thank You Keep Visiting