ଅସୁରକ୍ଷିତ ଅବସ୍ଥାରେ ସାକ୍ଷିଗୋପାଳ ମନ୍ଦିର,ମନ୍ଦିର ଚାରିପାଖେ ବର ଓ ଅଶ୍ୱତ୍ଥ ଗଛରେ ଭର୍ତ୍ତି

Straight to the Point

ସାକ୍ଷିଗୋପାଳ: ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ରର ମାନ୍ୟତା ବହନ କରୁଥିବା ସାକ୍ଷିଗୋପାଳ ମନ୍ଦିର ସମ୍ପ୍ରତି ଅସୁରକ୍ଷିତ ଅବସ୍ଥାରେ । ମନ୍ଦିର ଉପର ଭାଗର ଚର୍ତୁପାଶ୍ୱର୍ରେ ଛୋଟ ଛୋଟ ବରଗଛ ଓ ଅଶ୍ୱତଥ ବୃକ୍ଷରେ ଭର୍ତି ହୋଇଗଲାଣି । ଯାହାକି ମନ୍ଦିରର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପଥର ସନ୍ଧି ମଧ୍ୟରେ ପାଣି ଜମି ରହି ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି କରୁଛି । ଏହି ଫାଟ କ୍ରମଶଃ ବଢିବାରେ ଲାଗିଛି । ଅତୀତରେ ମଧ୍ୟ ମନ୍ଦିରର ଅଁଳା ବେଢ଼ା ଓ ଅନ୍ୟାନ୍ୟ ସ୍ଥାନରୁ ପଥର ଖସିବାର ନଜିର ରହିଛି । ବିଶେଷ କରି ରକ୍ଷଣାବେକ୍ଷଣା ଅଭାବରୁ ଏଭଳି ସ୍ଥିତି ଉପୁଜିଛି । ଏପରି ସ୍ଥିତିରେ ପ୍ରଶାସନ ଓ ରାଜ୍ୟ ପ୍ରତ୍ନତତ୍ୱ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଅଂଚଳର ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ । ବର୍ଷକେ ଥରେ ଅଁଳା ନବମୀ ଓ ରାଧା ପାଦଦର୍ଶନ ସରିଲେ ପ୍ରଶାସନ ମନ୍ଦିର କଥା ମନରୁ ପାସୋରି ଦେଉଥିବା ଅଭିଯୋଗ ହେଉଛି ।
ଅଂଚଳର ବରିଷ୍ଠ ନାଗରିକ ହୃଷିକେଶ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମନ୍ଦିରର ସୁରକ୍ଷା ପାଇଁ ପୁରାତନ ଶିଳ୍ପୀମାନେ ମନ୍ଦିର ଉପରେ ଦେଇଥିବା ଚୁନ ପ୍ରଲେପ ଓ ସିମେଟ୍ କୋଟିଂକୁ ସୌନ୍ଦର୍ଯ୍ୟକରଣ ନାମରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଛଡାଯିବା ପରେ ୨୦୦୦ ମସିହା ଠାରୁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି କାମ ଅତ୍ୟନ୍ତ ନିମ୍ନମାନର ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସତ୍ୟବାଦୀ ପଚଂସଖା ପୀଠ ସାକ୍ଷୀଗୋପାଳର ନାମ ନଥିବାରୁ ଏହା ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ଉପେକ୍ଷିତ ହୋଇଆସୁଛି । ଏପରିକି ସମ୍ପ୍ରତି ଭୁବନେଶ୍ୱର, ପୁରୀ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣା କ୍ଷେତ୍ରରେ ବିଭାଗ ଯେତିକି ଗୁରୁତ୍ୱ ଦେଉଛି, ତଦନୁଯାୟୀ ସାକ୍ଷୀଗୋପାଳ ମନ୍ଦିର ପ୍ରତି ଆନ୍ତରିକତା ନଥିବା ପରି ମନେ ହେଉଛି ।
ଏନେଇ ମନ୍ଦିର କାର୍ଯ୍ୟନିର୍ବାହି ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ, ଏ ସମ୍ପର୍କରେ ପୂର୍ବରୁ ରାଜ୍ୟ ପ୍ରତ୍ନତତ୍ୱ ବିଭାଗକୁ ଅବଗତ କରାଯାଇଛି । ଏପରିକି ୩୦ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇ କାମ ସରିଛି, ତେବେ କାମର ଗୁଣବତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ କହିଛନ୍ତି ଯେ, ମୁଁ ଆପଣଙ୍କ ସୂତ୍ରରୁ ଏ ବାବଦରେ ଅବଗତ ହେଲି ଏବଂ ଖୁବ୍ ଶୀଘ୍ର ଏହାର ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଓଡ଼ିଆ ବିଶ୍ୱବିଦ୍ୟାଳୟ ଜମି ଚିହ୍ନଟ ନେଇ ସତ୍ୟବାଦୀ ଯାଇଥିବା ବେଳେ ଇତ୍ୟବସରରେ ସାକ୍ଷୀଗୋପାଳ ମନ୍ଦିର ଦର୍ଶନରେ ଯାଇଥିଲେ, କିନ୍ତୁ ମନ୍ଦିରର ଏତେ ବଡ଼ ସମସ୍ୟା ସମ୍ପର୍କରେ ସେ କିପିରି କିଛି ସୂଚନା ପାଇପାରିଲେ ନାହିଁ କିମ୍ବା ମନ୍ଦିର ଦାୟୀତ୍ୱରେ ଥିବା ପ୍ରଶାସନିକ ଅଧିକାରୀ କିପରି ତାଙ୍କୁ ଏ ବାବଦରେ ଅବଗତ କଲେ ନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ବେଳ ଥାଉଁ ଜିଲ୍ଲାପାଳ ମନ୍ଦିର ରକ୍ଷଣାବେକ୍ଷଣା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

error: Thank You Keep Visiting