ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ

Straight to the Point

ଖୋରଧା : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ବାର୍ଷିକ ବଳିଦାନ ଦିବସ ତଥା ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ସ୍ଥାନୀୟ ଗୀତା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଉଦୟନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ପୂର୍ବପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦଜୀ ପାଣ୍ଡିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କ ଚାରିଜଣ ସହଯୋଗୀଙ୍କର ହତ୍ୟାକାରୀ ମାନଙ୍କୁ ଧରି ଦଣ୍ଡଦେବାରେ ସରକାରଙ୍କର ବିଫଳତାକୁ ଦୃଢ ନିନ୍ଦା କରି କହିଲେ ଏହି ହତ୍ୟା ଘଟଣାରେ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି, ନଚେତ ହତ୍ୟା ଘଟଣାକୁ ଦଶ ବର୍ଷ ବିତି ଯାଇଥିଲେ ସୁଦ୍ଧା ତାହାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ ନାହିଁ କାହିଁକି? ଏହାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ସେ ଦୃଢ ଭାବରେ ଦାବୀ କରିଥିଲେ ।

ପରିଷଦର ବିଭାଗ ସମ୍ପାଦକ ଇଂ ପ୍ରଫୁଲ୍ଲ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କହିଲେ ସ୍ୱାମିଜୀଙ୍କର ତ୍ୟାଗପୁତ ଜୀବନ ଏବଂ ବନବାସୀ ମାନଙ୍କର ଉତ୍ଥାନ ତଥା ଧର୍ମରକ୍ଷା ପଇଁ ବଳିଦାନ ଘଟଣା ଇତିହାସରେ ବିରଳ । ଏହି ଅବସରରେ ବରିଷ୍ଠ ଆଇନ୍ଜୀବି ଶକ୍ତି ଶଙ୍କର ମିଶ୍ର କହିଲେ ବନବାସୀ ପିଲାମାନଙ୍କ ମୁହଁରେ ଅନର୍ଗଳ ସଂସ୍କୃତ କୁହାଇବା ସହିତ ସଂସ୍କୃତ ଶିକ୍ଷକ ରୂପେ ବନବାସୀ ପିଲାମାନଙ୍କୁ ଯୋଗ୍ୟ କରାଇବାରେ ସ୍ୱାମୀଜୀଙ୍କର ସମକକ୍ଷ କେହି ନାହାଁନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ, ଆଇନ୍ଜୀବି ଅଜିତ ପଟ୍ଟନାୟକ, ନରେନ୍ଦ୍ର ମହାପାତ୍ର, ଅରବିନ୍ଦ ନାୟକ ପ୍ରମୁଖ ସ୍ୱାମୀଜୀଙ୍କ ସ୍ମୃତିଚାରଣ କରି କହିଲେ ସ୍ୱାମୀଜୀଙ୍କ ସେବା ଓ ତ୍ୟାଗର ତୁଳନା ନାହିଁ । ସ୍ୱାମୀଜୀଙ୍କର ଜୀବନ ଦେଶ, ଧର୍ମ ଏବଂ ସମାଜ ପାଇଁ ସଂପୂର୍ଣ୍ଣ ସମର୍ପିତ ଥିଲା ।

ସେ ଜଣେ ସଚ୍ଚା ସନ୍ଥ ଏବଂ ସମାଜ ସଂସ୍କାରକ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଷଦର ଜିଲା ସଂପାଦକ ବିବୁଧେନ୍ଦ୍ର ବିଦ୍ୟାଧର ସଂଯୋଜନା କରିଥିବାବେଳେ ପ୍ରାରମ୍ଭରେ ମିହିର ବିଧାର ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକା ‘ବଜ୍ରନାଦ’ ଉନ୍ମୋଚନ କରିବାପରେ ପରିଷଦର ପୂର୍ବତନ ଜିଲ୍ଲା ସଭାପତି ସ୍ୱର୍ଗତ ବ୍ରଜନାଥ ଶତପଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମାଜସେବୀ ସତ୍ୟନାରାୟଣ ପାଣିଗ୍ରାହୀ ଏବଂ ମୃତ୍ୟୁଞ୍ଜୟ ପାଟଶାଣୀଙ୍କୁ ମାନପତ୍ର ସହ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରୋଜ ପାଲଟାସିଂହ, ସମରେନ୍ଦ୍ର ଶତପଥି, ନରେନ୍ଦ୍ର ସାହୁ, ଜୟପ୍ରକାଶ ମହାପାତ୍ର, ମନୋଜ ଭୁୟାଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।