ଏଫ୍.ସି.ଆଇ ସାର କାରଖାନା ଚାଲିବ ତ ?

An Independent Media

ଅନୁଗୋଳ: ତାଳଚେର ବିକ୍ରମପୁରଠାରେ ବନ୍ଦ ହୋଇ ରହିଥିବା ଦେଶର ଅନ୍ୟତମ ପ୍ରମୁଖ କୋଇଲା ଭିତ୍ତିକ ସାର କାରଖାନାର ପୁନରୁଦ୍ଧାର ହେବ । ଆସନ୍ତା ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କ ଏହି ବହୁ ପ୍ରତୀକ୍ଷିତ କାରଖାନାର ଶିଳାନ୍ୟାସ କରିବେ । ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ଗେଲ), ରାଷ୍ଟ୍ରୀୟ କେମିକାଲ ଆଣ୍ଡ ଫର୍ଟିଲାଇଜର ଲିମିଟେଡ (ଆରସିଏଫ), କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) ଏବଂ ଫର୍ଟିଲାଇଜର୍ କର୍ପୋରେସନ ଅଫ୍ ଇ୍ଣ୍ଡିଆ ଲିମିଟେଡ୍ (ଏପସିଆଇଏଲ୍) ର ମିଳିତ ପରିଚାଳନାରେ ନିର୍ମିତ ହେବାକୁ ଥିବା ଏହି କାରଖାନା ଆସନ୍ତା ୨୦୨୧ ମସିହା ସୁଦ୍ଧା ଉତ୍ପାଦନକ୍ଷମ ହେବ । ଏ ବାବଦରେ ପ୍ରାୟ ଆଠ ହଜାର କୋଟି ଟଙ୍କା ବ୍ୟୟ ହେବ । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଘୋଷଣା ପରେ ତାଳଚେର ସାର କାରଖାନା ଖୋଲିବାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଅନିଶ୍ଚିତତା ଅନେକାଂଶରେ ଦୂରୀଭୂତ ହୋଇଛି । ତେବେ ଗତ ଦଶନ୍ଧିର ତିନ୍ତ ଅନୁଭୂତିରୁ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ନ ହେବା ପର୍ଯ୍ୟନ୍ତ କାରଖାନା ପୁନରୁଦ୍ଧାରକୁ ନେଇ ଲାଗି ରହିଥିବା ଆଶଙ୍କା ସଂପୂର୍ଣ୍ଣ ଦୂର ହେବା କାଠିକର ପାଠ ବୋଲି ତଥ୍ୟାଭିଜ୍ଞ ମହଲ ମତବ୍ୟକ୍ତ କରୁଛନ୍ତି ।
ଦେଶର ଯବକ୍ଷାରଜାନ ଜାତୀୟ ରାସାୟନିକ ସାର ଆବଶ୍ୟକତା ପୁରଣ ଉଦ୍ଦେଶ୍ୟରେ ୧୯୭୧ ମସିହାରେ ତାଳଚେର ବିକ୍ରମପୁର ଠାରେ ଏକ କୋଇଲା ଭିତ୍ତିକ ସାର କାରଖାନା ପ୍ରତିଷ୍ଠା କରାଯାଇଥିଲା । ୧୯୮୦ ନଭେମ୍ବର ପହିଲାରେ କାରଖାନରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇ ରାଜ୍ୟର କୃଷକଙ୍କ ୟୁରିଆ ଚାହିଦା ମେଣ୍ଟାଇଥିଲା । ସମୟ କ୍ରମେ କାରଖାନାର ଉତ୍ପାଦନ ଓ ଆନୁସଙ୍ଗିକ ବ୍ୟବସ୍ଥାର ଉନ୍ନତି ପାଇଁ ବିଭିନ୍ନ କମିଟି ସରକାରଙ୍କୁ ସୁପାରିଶ କରିଥିଲେ ମଧ୍ୟ ସେ ଗୁଡିକୁ କାର୍ଯ୍ୟକାରୀ କରାଯାଇ ନଥିଲା । ଉତ୍ପାଦନ ଆରମ୍ଭର କିଛି ଦିନ ପରେ ଡିଜାଇନରେ କିଛି ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ତଦନ୍ତ ଲାଗି କେନ୍ଦ୍ର ସରକାର ତତକ୍ଷଣାତ ତଲୱାର କମିଟି ନିଯୁକ୍ତ କରିଥିଲେ । ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୩.୩ ଲକ୍ଷ ମେଟ୍ରିକ୍ ଟନ୍ ମଧ୍ୟରେ ସୀମିତ ରଖିବାକୁ ୧୯୮୨ ଏପ୍ରିଲ ପହିଲାରେ କମିଟି ରିପୋର୍ଟ ପ୍ରଦାନ କରିଥିଲା । ହେଲେ କମିଟିର ଏରି ପରାମର୍ଶକୁ କାର୍ଯ୍ୟକାରୀ କରାଗଲା ନାହିଁ । ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ସୋମାୟା କମିଟି ପ୍ଲାଣ୍ଟର ମୂଳ ଡିଜାଇନ ମୁତବକ କାରଖାନାରେ ପର୍ଯ୍ୟାପ୍ତ ଗ୍ୟାସିଫାୟର, ବଏଲର ଓ ଅତିରିକ୍ତ ଯନ୍ତ୍ରପାତି ଗଚ୍ଛିତ ନଥିବା ସ୍ପଷ୍ଟ କରିଥିଲେ । ଏହି କାରଣରୁ ଭବିଷ୍ୟତରେ ଟାର୍ଗେଟ୍ ଅନୁଯାୟୀ ପ୍ଲାଣ୍ଯରୁ ସାର ଉତ୍ପାଦନ ହୋଇ ପାରିବ ନାହିଁ ବୋଲି କମିଟି ସତର୍କ କରାଇ ଦେଇଥିଲେ । ଏହାପରେ ପ୍ଲାଣ୍ଟର କ୍ଷମତା ସମ୍ପର୍କରେ ଅନୁଧ୍ୟାନ ପାଇଁ ସରକାର ପିଡିଆଇଏଲ ଓ ଜର୍ମାନୀର କ୍ରୁପ କପର କଂପାନୀକୁ ଦାୟିତ୍ୱ ଦେଇଥିଲେ । ଏହି କମିଟି ବିକ୍ରମପୁର ପ୍ଲାଣ୍ଟରେ ଖୁବ ଶୀଘ୍ର ମୂଳ ଏଏସୟୁ ସ୍ଥାନରେ ମଲିକ୍ୟୁଲାର ସିଭ ଲଗାଇବା ସହ ପ୍ଲାଣ୍ଟରେ ୪ ନଂ ବଏଲର ସ୍ଥାପନ ପାଇଁ ସୁପାରିଶ କରିଥିଲେ । ଭିତ୍ତିଭୂମି ସୁଦୃଢ କରିବାକୁ ଏହି କମିଟି ଦେଇଥିବା ପରାମର୍ଶକୁ ମଧ୍ୟ ଆର୍ଥିକ କାରଣ ଦର୍ଶାଇ ଅବହେଳା କରାଗଲା ।
ସେ ସମୟରେ ଉକ୍ରଟ ବିଜୁଳି ସଂକଟ ମଧ୍ୟ କାରଖାନାର ପୂର୍ଣ୍ଣ ଉପଯୋଗ କ୍ଷମତାକୁ ହ୍ରାସ କରିଥିଲା । ସାମାନ୍ୟ ବିଜୁଳି ସମସ୍ୟା ଦେଖାଦେଲେ ସମସ୍ତ ମେସିନ ବନ୍ଦ କରି ଦିଆଯାଇଥାଏ । ଏହାକୁ ପୁନଃ ତାଲୁ କରିବାକୁ ଅତି କମ୍ରେ ୭୨ ଲକ୍ଷ ଟଙ୍କାର ଆବଶ୍ୟକତା ହୋଇଥାଏ । ସେ ସମୟରେ ପ୍ଲାଣ୍ଟ ପରିସରରେ ବହୁ ଅଧିଗୃହିତ ଜମି ଖାଲି ପଡିଥିଲେ ମଧ୍ୟ ପ୍ଲାଣ୍ଟର ନିଜସ୍ୱ ବିଜୁଳି ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ଉଦ୍ୟମ ହୋଇ ନଥିଲା । ଭିତ୍ତିଭୂମି ସଜାଡିବାକୁ ବିଭିନ୍ନ କମିଟି ଦେଇଥିବା ସୁପାରିଶକୁ କାର୍ଯ୍ୟକାରୀ କରା ନ ଯିବାରୁ ଧିରେ ଧୀରେ କାରଖାନାର ଦ୍ରୁତ ଅବଗତି ଘଟି ଚାଲିଥାଳା । ପରିଶେଷରେ ୧୯୯୨ ନଭେମ୍ବରରେ ବିଆଇଏଫଆର୍ ଦ୍ୱାରା ଏହି କାରଖାନା ଋଗଣ ଘୋଷିତ ହେଲା । ତେବେ ୧୯୯୫ ମସିହାରେ ପ୍ଲାଣ୍ଟର ନବୀକରଣ ପ୍ରସ୍ତାବକୁ ଗ୍ରୁପ ଅଫ ମିନିଷ୍ଟର ବା ଜିଓପିକୁ ହସ୍ତାନ୍ତର କରାଯାଇଥିଲା ଓ ଜିଓପି ଏଥିପାଇଁ ୧୧୫୩ କୋଟି ଟଙ୍କା ଧାର୍ଯ୍ୟ କରିଥିଲା । ଏଥି ସହିତ ତାଳଚେର କୋଇଲାରେ ଅଧିକ ପାଉଁଶ ଥିବା ଓ ଅନ୍ୟାନ୍ୟ ବୈଷୟିକ କାରଣ ଦର୍ଶାଇ କୋଇଲା ପ୍ଲାଣ୍ଟ ପରିବର୍ତ୍ତେ ଗ୍ୟାସ ଭିତ୍ତିକ ପ୍ଲାଣ୍ଟ ପାଇଁ ସୁପାରିଶ କରାଯାଇଥିଲା । ତେବେ ବିଭିନ୍ନ ମହଲରୁ କମିଟିର ଏହି ସୁପାରିସକୁ ବିରେଶଧ କରାଯାଇଥିଲା । ନବୀକରଣଟ ପାଇଁ ମାତ୍ର ତିନି ଶହ କୋଟିର ଆବଶ୍ୟକତା ଥିବା ଓ ଏହି ଅର୍ଥ ବ୍ୟୟ ପରେ ବାର୍ଷିକ ୩ ଲକ୍ଷ ଟନ୍ ସାର ଉତ୍ପାଦନ ହୋଇ ପାରିବ ବୋଲି ଶ୍ରମିକ ସଂଘ ପକ୍ଷରୁ ଦାବି କରି ବେଷୟିକ ଯୋଜନା ଦେବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟରେ ମଧ୍ୟ ସେ ସମୟରେ ପ୍ଲାଣ୍ଟର ନବୀକରଣ ଦାବି ଜୋର ଧରିଥିଲା । ବିଧାନସଭାରେ ୧୯୯୭ ସେପ୍ଟେମ୍ବର ୨୪ ତାରିଖରେ ତାଳଚେର ସାରକାରଖାନାର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଗୃହୀତ କରାଇ ଏହାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା । ପ୍ଲାଣ୍ଟର ଭବିଷ୍ୟତ ଶେଷରେ ଏକ ଷ୍ଟିୟରିଂ କମିଟି ହାତରେ ନ୍ୟସ୍ତ କରାଗଲା । ଆଇସିଆଇସିଆଇ, ଆଇଡିବିଆଇ, ଏଚଏଫସି, ଏଫସିଆଇ ଆଦି ସଂସ୍ଥା ମାନଙ୍କୁ ନେଇ ଗଠିତ ଷ୍ଟିୟରିଂ କମିଟି ନବୀକରଣ ଦ୍ୱାରା ତାଳଚେର ପ୍ଲାଣ୍ଟ ଆର୍ଥିକ ଦୃଷ୍ଟିରୁ ଲାଭ ଦାୟକ ହୋଇ ପାରିବ ବୋଲି ୧୯୯୭ରେ କ୍ୟାବିନେଟ୍ ଅନୁମୋଦନ ପରେ ସାରକାରଖାନାର ପୁନରୁଦ୍ଧାର ନେଇ ପୁଣି ରାଜ୍ୟବାସୀଙ୍କ ମଧ୍ୟରେ ଆଶା ଉଦ୍ଜୀବିତ ହୋଇଥିଲା । ତେବେ କମିଟି ଅନୁମୋଦନର ବିପରୀତ ଭାବେ ୧୯୯୯-୨୦୦୦ ମସିହାରେ କେନ୍ଦ୍ର ବଜେଟ୍ରେ ପ୍ଲାଣ୍ଟ ପାଇଁ ମାତ୍ର ୨୦୨ କୋଟି ବ୍ୟୟ ବରାଦ ହେବା ପରେ ନବୀକରଣ ଆଶା ମିଳେଇ ଯାଇଥିଲା । ୧୯୯୯ ଉକ୍ରଳ ଦିବସ ଅବସରରେ ପ୍ଲାଣ୍ଟକୁ ବନ୍ଦ ଘୋଷଣା କରାଗଲା । ପ୍ଲାଣ୍ଟ ବନ୍ଦ ଘୋଷଣା ଦିନ ହିଁ ପ୍ଲାଣ୍ଟରୁ ୭ ଶହ ମେଟ୍ରିକ ଟନ୍ ସାର ଉତ୍ପାଦନ ହୋଇଥିବା ବେଳେ ତା ପୂର୍ବ ମାସରେ ମାସିକ ଟାର୍ଗେଟ୍ ୧୪ ହଜାର ଟନ୍ ସ୍ଥାନରେ ପ୍ଲାଣ୍ଟରୁ ୧୪ ହଜାର ୮ ଶହ ମେଟ୍ରିକ ଟନ୍ ୟୁରିଆ ଉତ୍ପାଦନ ହୋଇଥିଲା । ଭାରତ ସରକାରଙ୍କ ଇତିହାସରେ ପ୍ରଥମ ଥର ଭାବେ ଏକ କାର୍ଯ୍ୟକ୍ଷମ ପ୍ଲାଣ୍ଟକୁ ବନ୍ଦ ନିଷ୍ପତ୍ତି ସେ ସମୟରେ ବହୁ ଅର୍ଥନୀତିଜ୍ଞଙ୍କୁ ଆଶ୍ୱର୍ଯ୍ୟାନ୍ୱିତ କରିଥିଲା ।
ତେବେ ୟୁପିଏ-୨ ସରକାରଙ୍କ ଅମଳରେ କାରଖାନାର ପୁନରୁଦ୍ଧାର ଯୋଜନା ପୁଣି ଆରମ୍ଭ ହେଲା । ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ତକ୍ରାଳୀନ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଦ୍ୱାରା ଶିଳାନ୍ୟାସ ପର୍ବ ବି ବେଶ୍ ଧୂମଧାମରେ ହେଲା । କିନ୍ତୁ ସରକାର ଗଲେ ସିନା ଏହି ଯୋଜନା ଫଳବତୀ ହୋଇ ପାରିଲା ନାହିଁ । ୨୦୧୪ରେ କେନ୍ଦ୍ରରେ ସରକାର ବଦଳି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାସୀନ ହେଲେ । କାରଖାନା ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଲା ସିନା ଚାରି ବର୍ଷ ପରେ ବି ସ୍ଥିତି ବିଶେଷ ବଦଳିଲା ନାହିଁ । ଏଭଳି ପରିସ୍ଥିତିରେ ପୂର୍ବର ୟୁପିଏ ସରକାରଙ୍କ ଭଳି ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏ ଶିଳାନ୍ୟାସ ପର୍ବ ଅଂଚଳବାସୀଙ୍କ ମଧ୍ୟରେ ସ୍ୱତଃ ସନ୍ଦେହ ସୃଷ୍ଟି କରିଛି ।

error: Thank You Keep Visiting