ଅସହ୍ୟ ଗ୍ରୀଷ୍ମ ପ୍ରକୋପ ଜାରି

Straight to the Point

ଭୁବନେଶ୍ୱର : ବୁଧବାର ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ଡହ ଡହ ତାତି ସାଙ୍ଗକୁ ପୂର୍ବାହ୍ନରୁ ଅପରାହ୍ଣ ଲୁ ବହୁଛି। ଝାଞ୍ଜି ପବନର ମାଡ଼ ଦିନକୁ ଦିନ ଅସହ୍ୟ ହେଉଛି। ଅସମ୍ଭାଳ ଗ୍ରୀଷ୍ମ ପ୍ରକୋପ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି। ଆଜି ୮ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ
ରହିଛି। ସେହିପରି ୬ଟି ଜିଲାରେ ପାରଦ ୩୯ ଡିଗ୍ରୀ ଉପରେ ରହିଛି।
ଅନୁଗୋଳରେ ସର୍ବାଧିକ ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏପରି ଗ୍ରୀଷ୍ମ ପ୍ରବାହ (ହିଟ୍‍ୱେଭ୍‍) ଜାରି ରହିବ। ୨୨ରୁ ତାତି କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୩ରୁ ୨୫ ପର୍ଯ୍ୟନ୍ତ ରାଜ୍ୟରେ ପୁଣି ଥରେ ମୌସୁମି ସକ୍ରିୟ ହେବ ଓ ରାଜ୍ୟର ବାକି ଅଞ୍ଚଳକୁ ଛୁଇଁବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।
ସେହିପରି କାଳବୈଶାଖୀ ପ୍ରଭାବରେ କେତେକ ଅଞ୍ଚଳରେ ସାମୟିକ ଆଶ୍ୱସ୍ତି ମିଳିବ। ଜୁନ ମଧ୍ୟଭାଗରେ ଏପରି ଅସମ୍ଭାଳ ଖରା ଯୋଗୁଁ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରାଜ୍ୟରେ
୪୫ ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଏଥିରେ ୭ଟି ଘଟଣାର ତଦନ୍ତ ସରି ଅଂଶୁଘାତଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି। ଆଉ ୩୮ଟି ମାମଲାର ତଦନ୍ତ ଚାଲିଛି। ସେହିପରି ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୧୨୧ରେ ପହଞ୍ଚିଛି। ଜାନୁଆରୀରୁ ଜୁନ୍‍ ୨୦ ପର୍ଯ୍ୟନ୍ତ ରାଜ୍ୟରେ ଏହିସବୁ ମୃତ୍ୟୁ ଘଟିଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।
ରାଜଧାନୀ ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ଆଜି ତାପମାତ୍ରା ପାଖାପାଖି ୨ ଡିଗ୍ରୀ କମି ଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଭୁବନେଶ୍ୱରରେ ୩୯.୬, କଟକରେ ୩୯ ଓ ବାଲେଶ୍ୱରରେ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ଼ କରାଯାଇଛି। ସେହିପରି ଚାନ୍ଦବାଲିରେ ୪୦.୨, ବାରିପଦାରେ ୪୦.୪, ସମ୍ବଲପୁରରେ ୪୦.୧, ବଲାଙ୍ଗୀରରେ ୪୦.୦, ଟିଟିଲାଗଡ଼ରେ ୪୧.୦, ସୋନପୁରରେ ୪୦.୦, ଓ ଢେଙ୍କାନାଳରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆଜି ଭୁବନେଶ୍ୱରର କେତେକ ଅଞ୍ଚଳ, କଟକରେ ବର୍ଷା ହୋଇଛି।

error: Thank You Keep Visiting