ନବୀନଙ୍କଠାରୁ ରାଜନୈତିକ ଜ୍ଞାନ ନେଲେ କମଲ ହାସନ

An Independent Media

ଭୁବନେଶ୍ୱର: ସୁପ୍ରସିଦ୍ଧ ଅଭିନେତା ତଥା ତାମିଲନାଡୁ ରାଜନୀତିରେ ସାମିଲ ହୋଇଥିବା (ଏମକେଏମ୍) ଦଳର ମୂଖ୍ୟ କମଲହାସନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେନ୍ନଇରେ ସାକ୍ଷାତ କରିଛନ୍ତି । ନୂଆକରି ରାଜନୀତିରେ ପାଦ ଦେଇଥିବା କମଲ ହାସନ ଓ ନବୀନ ପଟ୍ଟନାୟକଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନଙ୍କଠାରୁ ସେ ରାଜନୈତିକ ଜ୍ଞାନ ହାସଲ କରିବାପାଇଁ ସାକ୍ଷାତ କରି ଆଲୋଚନା କରିଛନ୍ତି ବୋଲି କମଲ ହାସନ କହିଛନ୍ତି । ଗୋଟିଏ ପଟେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଦକ୍ଷିଣ ଭାରତରେ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଥିଲାବେଳେ ନବୀନ ଓ କମଲ ହାସନଙ୍କ ସାକ୍ଷାତ ଭିନ୍ନ ଏକ ସନ୍ଦେଶ ଦେଉଛି । ଏହା ଆଗାମୀ ଦିନରେ ବିଜେପି ବିରୋଧୀ କାର୍ଯ୍ୟକ୍ରମ ନେଇ ଏକ ଯୋଜନାର ସଂକେତ ଦେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ବିଜେଡି ସରକାର ବିରୋଧରେ ଦେଇଥିବା ମନ୍ତବ୍ୟରେ ନବୀନ କ୍ଷୁବ୍ଧ ହୋଇଛନ୍ତି । ମୋଦୀଙ୍କର ମଇ ୨୬ ଏବଂ ସେପ୍ଟେମ୍ବର ୨୨ରେ ଓଡିଶା ଗସ୍ତକୁ ନେଇ ବିଜୁଜନତାଦଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ନବୀନ ପଟ୍ଟନାୟକ ଏବଂ କମଲ ହାସନଙ୍କ ସାକ୍ଷାତ ଦକ୍ଷିଣ ଓ ପୂର୍ବ ଭାରତରେ ବିଜେପର ଗତିରୋଧ କରିବାପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ପୂର୍ବରୁ କମଲହାସନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନଙ୍କୁ ମଧ୍ୟ ସାକ୍ଷାତ କରିସାରିଛନ୍ତି ।

ତେବେ ମଙ୍ଗଳବାର ଚେନ୍ନଇର ନୂତନଭାବେ ଉଦଘାଟିତ ହୋଇଥିବା ଓଡିଶା ଭବନରେ ଏହି ଦୁଇନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । କମଲ ହାସନଙ୍କ ଦୃଷ୍ଟିରେ ନବୀନ ହେଉଛନ୍ତି ଜଣେ ସୁଶାସକ । କମଲ ହାସନ ନବୀନଙ୍କୁ ସାକ୍ଷାତ କରିବାପରେ କହିଛନ୍ତି ସେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ତେଣୁ ନବୀନ ପଟ୍ଟନାୟକଙ୍କଠାରୁ ତାଙ୍କୁ ମାର୍ଗଦର୍ଶନ ମିଳିବ । ଏହା ଭାବି ସେ ଦେଖାକରିବାକୁ ଯାଇଥିଲେ ବୋଲି କହିଥିଲେ । କମଲ ନବୀନଙ୍କର ବଡ ଫ୍ୟାନ ବୋଲି ମଧ୍ୟ ସମ୍ବୋଧନ କରିଥିଲେ । ନବୀନଙ୍କ ଭଳି ବ୍ୟକ୍ତିତ୍ୱଙ୍କଠାରୁ ରାଜନୀତିର ମାର୍ଗ ବିଷୟରେ ଶିଖିବାକୁ ମିଳିଛି ବୋଲି ସେ କହିଥିଲେ ।

କମଲ ହାସନଙ୍କ ରାଜନୈତିକ ଦଳର ନାମ ହେଉଛି ମକଲ ନିଧି ମଧ୍ୟମ ଏହାର ଅର୍ଥ ନ୍ୟାୟର କେନ୍ଦ୍ର ଜନତା ଅଟନ୍ତି । ଏହାପୂର୍ବରୁ ନବୀନ ପଟ୍ଟନାୟକ ଚେନ୍ନଇରେ ଓଡିଶାଭବନର ଉଦଘାଟନ କରିଥିଲେ ଏବଂ ନିବେଶକଙ୍କ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ସେ ମେକ୍ ଇନ ଓଡିଶା କନକ୍ଲେଭରେ ମୁମ୍ବଇ, ଦିଲ୍ଲୀ ପରେ ଚେନ୍ନଇରେ ନିବେଶକଙ୍କୁ ସମ୍ବୋଧନ କରିଥିଲେ । ସେ କହିଥିଲେ ଏହି ପ୍ରୟାସ ଦ୍ୱାରା ଓଡିଶାରେ ୨ଲକ୍ଷ କୋଟି ଟଙ୍କାର ନିବେଶ ହୋଇପାରିବ । ରାଜ୍ୟରେ ପୁଞ୍ଜିନିବେସ ପାଇଁ ସମୁଦାୟ ୨୫୦ କମ୍ପାନୀ ପଞ୍ଜିକୃତ ହୋଇସାରିଛନ୍ତି । ମେକଇନ୍ ଓଡିଶା କନକ୍ଲେଭ ନଭେମ୍ବର ମାସ ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

error: Thank You Keep Visiting