ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇଲେ ଆଇନଜୀବୀ;ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର

An Independent Media

କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟର ଆଇନଜୀବୀ ଆନ୍ଦୋଳନ ଆହୁରି ତେଜିବାରେ ଲାଗିଛି । ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ କୋର୍ଟ ପରିସର ମଧ୍ୟକୁ ବିଚାରପତିଙ୍କୁ ଛାଡୁନାହାନ୍ତି । ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅଭିଯୁକ୍ତ ପୁଲିସର ଗିରଫ ଦାବିରେ ଓକିଲ ସଂଘ ଜିଦରେ ଅଟଳ ରହିଛି । ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ଅମାନୁଷିକ ଭାବେ ମାଡ଼ ମାରି ଆହତ କରିବା ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲଙ୍କ ସମେତ ଦୁଇ ଜଣ ଅଧିକାରୀ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।

ସୂଚନାଯୋଗ୍ୟ ଏହି ମାମଲାରେ ହାଇକୋର୍ଟ ଶୁଣାଣି କରି ଗତ ୪ତାରିଖରେ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଡିସିପି ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିସାରିଛନ୍ତି । ସେହିପରି ଆବେଦନକାରୀ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ଓ କଟକ ବାର ଆସୋସିଏସନ ପକ୍ଷରୁ ପ୍ରତି ଜବାବ ଦାଖଲ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଏହି ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରାଯିବା ସହ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି ପାଇଁ ଆବେଦନ ପତ୍ରରେ ଦର୍ଶାଯାଇଛି ।

ସେହିପରି କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ହାଇକୋର୍ଟ ବାର ଆସୋସିଏସନ ଓ କଟକ ବାର ଆସୋସିଏସନ ସକ୍ରିୟ ସଦସ୍ୟ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଚାଉଳିଆଗଞ୍ଜ ପୁଲିସ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରି ଆହତ କରିଛି । ଏଥିସହ ଆହତ ହୋଇଥିବା ତଥା ନିଜସ୍ୱ ଖ୍ୟାତି ହରାଇଥିବା ଆଇନଜୀବୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନ ପତ୍ରରେ ପ୍ରାର୍ଥନା କରାଯାଇଛି । ଏହି ମାମଲାରେ ଗୃହ ବିଭାଗ ସଚିବ, ଡିଜିପି, ସିବିଆଇ, କମିସନର ଅଫ ପୁଲିସ, ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ପକ୍ଷରୁ ଆଉ ଏକ ମାମଲା ଦାୟର ହୋଇଛି ।

error: Thank You Keep Visiting