ପୌର ନିର୍ବାଚନ ମାମଲାରେ ରାଜ୍ୟ ସରକାରଙ୍କୁ ଜୋରଦାର ଝଟକା

An Independent Media

ଭୁବନେଶ୍ୱର : ପୌର ନିର୍ବାଚନରେ ଆସନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ଆଜି ଜୋରଦାର ଝଟକା ଲାଗିଛି । ସର୍ବୋଚ୍ଚ ଅଦାଲତ ଉଚ୍ଚ ନ୍ୟାୟଳୟଙ୍କ ରାୟକୁ କାୟମ ରଖିଥିବାବେଳେ ରାଜ୍ୟ ସରାକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ପୌର ନିର୍ବାଚନରେ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟର ବିଚାରପତି ୟୁ ୟୁ ଲଳିତ ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି । ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ ।

ରାଜ୍ୟ ସରକାର ଏହି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ରାଜ୍ୟ ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି । ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରି ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖିଛନ୍ତି । ଚଳିତବର୍ଷ ସେପ୍ଟେମ୍ବର ୩୦ରୁ ୨୦୧୯ ଫେବ୍ରୁଆରି ୧୩ ତାରିଖ ମଧ୍ୟରେ ରାଜ୍ୟରେ ୯୩ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ପୌର ନିର୍ବାଚନରେ ଥିବା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାରଙ୍କ ପକ୍ଷରୁ ପିଟିସନରେ ଦର୍ଶାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ରାୟ ପରେ ଏବେ ରାଜ୍ୟରେ ପୌର ନିର୍ବାଚନ ପାଇଁ ଥିବା ପ୍ରତିବନ୍ଧକ ହଟିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପେର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଥିଲା । ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ ସମୂଦାୟ ସଂରକ୍ଷଣ ୬୬ ପ୍ରତିଶତ ରହିଛି । ଏହା ୨୦୧୦ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଘଂନ କରୁଥିବା ନେଇ ହାଇକୋର୍ଟରେ ୧୦୦ଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି କହିଥିଲେ ।

error: Thank You Keep Visiting