ବିଜୁ ଅନୁଗତମାନଙ୍କୁ ନେଇ ଗଠନ ହେବ ନୂତନ ଦଳ : ଦାମ ବାବୁ

Straight to the Point

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ରାଜ୍ୟ ରାଜନୀତି ମହଲରେ ଚାଲିଛି ଅଙ୍କ କଷାକଷି । ରାଜ୍ୟ ରାଜନୀତିରେ ନୂତନ ସମୀକରଣ ଆରମ୍ଭ ହେବାକୁ ଯାଉଛି । ପ୍ରକୃତ ବିଜୁ ଅନୁଗତମାନଙ୍କୁ ନେଇ ନୂଆ ଦଳ ଗଠନ ହେବାକୁ ଯାଉଛି । ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ ଏ ସଂପର୍କରେ ସୂଚନା ଦେଇଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ଦଳ ଗଠନ ହେବ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ବିଧାୟକ ଡ଼ାକ୍ତର ରାଉତ ରାଜ୍ୟର ବିଭିନ୍ନ ସ୍ଥାନରେ ସଭା ସମିତି କରି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବାରେ ଲାଗି ପଡ଼ିଛନ୍ତି ।

ପ୍ରଥମେ ମୟୁରଭଞ୍ଜ ଓ ପରେ କଟକ ଜିଲ୍ଳାର ମାହାଙ୍ଗାରେ ଜନସଭା କରି ସେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରୋତ୍ସାହନ ଓ ଦାମ ବାବୁଙ୍କ ମାର୍ଗ ଦର୍ଶନରେ ଏହି ଦଳ ଗଠନ ହେଉଥିବା ନେଇ ଶୁଣିବାକୁ ମିଳୁଛି । ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜୁ ଅନୁଗତଙ୍କୁ ନେଇ ଦଳ କାର୍ଯ୍ୟ କରିବ ବୋଲି କୁହାଯାଉଛି । ବିଜେଡି ଓ କଂଗ୍ରେସର ବହୁ ଅସନ୍ତୁଷ୍ଟ ନେତା ତଥା ଅନେକ ବିଜୁ ଅନୁଗତମାନଙ୍କୁ ଏହି ନୂଆ ଦଳରେ ସାମିଲ ହେବାର ସମ୍ଭାବନା ରହିଛି । ତେବେ ପ୍ରାରମ୍ଭିକ ଭାବେ ଏହି ଦଳର ନାମ ବିଓଡି ତଥା (ବିଜୁ ଓଡ଼ିଶା ଦଳ) ରଖିବା ପାଇଁ ସ୍ଥିରି ହୋଇଥିବା ଜଣାପଡିଛି ।

error: Thank You Keep Visiting