ରାଜ୍ୟ ସରକାରଙ୍କ “ପ୍ରତାରଣା’ ଓ “ଦୁର୍ନୀତି’ ବିରୋଧରେ ଯୁଦ୍ଧ ଡାକରା ଦେଲା ବିଜେପି

Straight to the Point

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ “ପ୍ରତାରଣା’ ଓ “ଦୁର୍ନୀତି’କୁ ନିର୍ବାଚନୀ ପ୍ରସଙ୍ଗ କରିବ ବିଜେପି । “ଆୟୁଷ୍ମାନ ଭାରତ’କୁ ଗ୍ରହଣ ନକରିବା ଓ “ଆମ ଗାଁ ଆମ ବିକାଶ’ ପରି ୫ଟି ଯୋଜନାରେ ରାଜ୍ୟ ସରକାରଙ୍କ ପ୍ରତାରଣା ସହ ଚିଟ ଫଣ୍ଡରୁ ଚାରା ଘୋଟାଲା ପର୍ଯ୍ୟନ୍ତ ୧୦ଟି ମେଗା ଦୁର୍ନୀତିକୁ ନେଇ ଲୋକଙ୍କ ପାଖକୁ ଯିବାକୁ ବିଜେପି ନିଷ୍ପତ୍ତି ନେଇଛି । ଏଥିପାଇଁ ଦଳ ଆଜି ଏଠାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ ଏକ ଖସଡ଼ା ପ୍ରସ୍ତୁତ କରିଛି । ସେହିପରି ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନା ପ୍ରସଙ୍ଗକୁ ନେଇ ମଧ୍ୟ ନବୀନଙ୍କୁ ଟାର୍ଗେଟ କରିଛି ଦଳ ।

ଓଡିଶାରେ ମୋଦି ଓ ଶାହ ଯୋଡ଼ି ଦେଇଯାଇଥିବା “ଦୁର୍ନୀତି’ ଅସ୍ତ୍ରକୁ ଲୋକଙ୍କ ପାଖକୁ ନେବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି । ସରକାରଙ୍କ ବିରୋଧରେ ୧୦ଟି ମେଗା ଦୁର୍ନୀତିକୁ ବାଛି ଲୋକଙ୍କ ପାଖକୁ ଯିବାକୁ ରାଜ୍ୟ କାର୍ଯ୍ୟକାରିଣୀରେ ପଥ ପ୍ରସ୍ତୁତ କରିଛି । ଏଥିରେ ଅଛି ବହୁଚର୍ଚ୍ଚିତ ଚିଟଫଣ୍ଡ ଓ ଖଣି ଦୁର୍ନୀତିରୁ ଆରମ୍ଭ କରି ଏବେ ଏବେ ସରକାରଙ୍କୁ ଘାଇଲା କରିଥିବା ଚାରା, ସମବାୟ ଓ ଓମଫେଡ୍ ଦୁର୍ନୀତି । ସେହପରି ୫ଟି ଯୋଜନାରେ ରାଜ୍ୟ ସରକାର ଲୋକଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରି ଜନମତ ସୃଷ୍ଟି ପାଇଁ ବି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି ।

ଏଥିରେ ଅଛି ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶା ଗ୍ରହଣ ନକରିବା, ସରକାରୀ ଅର୍ଥରେ “ବିଜୁ ଯୁବବାହିନୀ’ ଗଠନ, ଆମଗାଁ ଆମ ବିକାଶ, ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଓ ଏସ୍ଏଚଜି ଗଠନ । ଏ ସବୁଥିରେ ନବୀନ ସରକାର ଲୋକଙ୍କୁ ପ୍ରତାରଣା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । କେବଳ ଖସଡ଼ା ପ୍ରସ୍ତୁତ ହୋଇନାହିଁ, ନିର୍ବାଚନ ପର୍ଯ୍ୟନ୍ତ ମେଗା ଦୁର୍ନୀତି ଓ ପ୍ରତାରଣାକୁ ପ୍ରସଙ୍ଗ କରି ବିଭିନ୍ନ ପର୍ଯ୍ୟାୟରେ ଦଳ ଆନ୍ଦୋଳନ କରିବାକୁ ଯୋଜନା ରଖିଛି । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଡାଲି, ଛତୁଆ, ଖଣି, ଜମି, ପାଣି ଓ ବାଲି ଦୁର୍ନୀତି ସବୁଥିରେ ତୁମେ ବିଜେଡି ଅଛି । ନବୀନ ପଟ୍ଟନାୟକ ହେଲେ ଦୁର୍ନୀତିର ସୌଦାଗର । ତାଙ୍କ ବିରୋଧରେ ବିଜେପି ଜୋରଦାର ଲଢ଼େଇ କରିବ ।

error: Thank You Keep Visiting