ଭୟଙ୍କର ରୂପ ନେଲା ‘ତିତ୍‌ଲି’ ; ଘଣ୍ଟାକୁ ୧୫ କିମି ବେଗରେ ଓଡ଼ିଶା ମୁହାଁ

Straight to the Point
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ବାତ୍ୟା ‘ତିତଲି’ର ପ୍ରଭାବରେ ରାଜ୍ୟର ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଘଣ୍ଟାକୁ ୧୫ କିମି ବେଗରେ ‘ତିତ୍‌ଲି’ ଓଡ଼ିଶା ମୁହାଁ ହେଉଥିବା ବେଳେ ଗୋପାଳପୁରଠାରୁ ୨୮୦ କିମି ଦୂରରେ ରହିଥିବା ଜଣାପଡ଼ିଛି। ପବନର ବେଗ ସର୍ବାଧିକ ୧୬୫ କିମି ରହିବା ଭାରତୀୟ ପାଣି ବିଭାଗ ଆଶଙ୍କା କରିଥିବା ବେଳେ ରାଜ୍ୟର ସମସ୍ତ ବନ୍ଦରରେ ୪ ନମ୍ବର ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ଧୀବରଙ୍କୁ ସତର୍କ ସୂଚନା ଦିଆଯାଇଛି ।
ତିତ୍‌ଲି ପାଇଁ ୭ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଦିଆଯାଇଛି । ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ରେଡ୍‌ ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମୁଦ୍ରକୂଳିଆ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲ୍‌ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆଶ୍ରୟସ୍ଥଳ ମାନଙ୍କରେ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ ଓ ପରିମଳ ବ୍ୟବସ୍ଥା ସହିତ ଜରୁରୀ ସ୍ୱାସ୍ଥ୍ୟ ସେବାକୁ ଯୋଗାବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ବିଦ୍ୟାଳୟ, କଲେଜ ଓ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ବନ୍ଦ ରହିବ କିନ୍ତୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ । ଏହା ସହିତ ସମସ୍ତ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଛି ।

ଆତଙ୍କିତ ନରହି ସତର୍କ ରହିବାକୁ ନିର୍ଦ୍ଦେଶ : 

ତିତଲି ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଲୋକମାନଙ୍କ ମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଜାରି ରହିଥିବା ବର୍ଷା କାରଣରୁ ଲୋକମାନେ ୧୯୯୯ ମହାବାତ୍ୟା, ଫାଇଲିନ ଓ ହୁଡୁହୁଡକୁ ମନେପକାଇଛନ୍ତି। ତେବେ ଆତଙ୍କିତ ନହୋଇ ସତର୍କ ରହିବାକୁ ଲୋକମାନଙ୍କୁ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମହାବାତ୍ୟା, ଫାଇଲିନ ଓ ହୁଡୁହୁଡ ଭଳି ସାଇକ୍ଲୋନର ତିତଲି ପ୍ରଭାବ କମ ରହିବ ବୋଲି କୁହାଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତତ୍ପର ହୋଇଉଠିଛି। ସ୍ୱସ୍ଥ୍ୟ ବିଭାଗ ସଚିବ ପ୍ରମୋଦ ମେହେର୍ଦ୍ଦା ସର୍ବାଧିତକ ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଜିଲ୍ଲା ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ପରିସ୍ଥିତି ପାଇଁ ଜେନେରେଟର ମହଜୁଦ ରଖିବା ସହ ଅତ୍ୟାବଶ୍ୟକ ଔଷଧ, ଆବଶ୍ୟକ ମେଡିକାଲ ସୁବିଧା, ପ୍ରସୂତି କେନ୍ଦ୍ର ବା ମା’ ଗୃହକୁ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି।

error: Thank You Keep Visiting