ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଗମ୍ଭୀର ଅବସ୍ଥା:ସ୍ୱାସ୍ଥ୍ୟ ଭିତିିଭୂମିର ବିକାଶ ହେଉନି କାହିଁକି?

Straight to the Point

ଭୁବନେଶ୍ୱର: ଦେଶରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ତେର ବର୍ଷ ତଳେ କାର୍ଯ୍ୟକାରୀ ହୋଇଥିଲା ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍ । ଧୀରେ ଧୀରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ବିକାଶ ହୋଇ ଚାଲିଲା । ମା’ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ମିସନ୍ ଜରିଆରେ ଯେଭଳି ବ୍ୟବସ୍ଥା କଲେ, ତାହା ସେହି ହତଭାଗ୍ୟ ମା’ ଓ ଶିଶୁ ମାନଙ୍କ ପାଇଁ ଆଶୀର୍ବାଦ ହେଲା । ମାତ୍ର ନବିନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ୪ର୍ଥ ଥର ପାଇଁ ଶାସନ ଭାର ଗ୍ରହଣ କରିବା ପରଠାରୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭୁଷୁଡ଼ି ପଡ଼ିବା ଆରମ୍ଭ ହେଲା । ଏବେ ସ୍ୱାସ୍ଥ୍ୟସେବା ଗମ୍ଭୀର ଅବସ୍ଥା ଦେଇ ଗତି କରୁଛି ।

ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଜାଡ଼ିବାକୁ ବିଜେଡ଼ି ସରକାରଙ୍କୁ ୧୪ବର୍ଷ ଧରି ଯେଭଳି କଷ୍ଟ କରିବାକୁ ପଡ଼ିଥିଲା, ତାହା ଏହି ସମୟ ମଧ୍ୟରେ ଧୂଳିସାତ୍ ହୋଇ ଯାଇଛି । ପଙ୍ଗୁ ପାଲଟି ଯାଇଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ସବୁ କ୍ଷେତ୍ରରେ ଫେଲ୍ ମାରିଛି ବିଭାଗ । ବିଭାଗୀୟ ଦାୟିତ୍ୱହୀନତା ଯୋଗୁ କେଉଁଠି ଅସହାୟ ଆଦିବାସୀ ମଣିଷ ହସ୍ପିଟାଲ୍ ରୁ ନିଜ ସ୍ତ୍ରୀର ଶବକୁ ନିଜ କାନ୍ଧରେ ବୋହି ନେଉଛି ତ କେଉଁଠି ଅଟୋରେ ବା କାନ୍ଧରେ ବୁହା ହୋଇ ଯାଉଥିବା ଗର୍ଭବତୀ ମା’ଟି ପ୍ରସବ କରୁଛି । ରକ୍ତ ଅଭାବରୁ ଗର୍ଭବତୀ ମା’ ମାନଙ୍କ ସମେତ ବିଭିନ୍ନ ଜଟିଳ ରୋଗୀ ଅକାଳ ମୃତ୍ୟୁ ବରଣ କରୁଛନ୍ତି । ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁ ହାର ସର୍ବୋଚ୍ଚ ଶିଖରରେ ପହଂଚିଛି । ମାଲକାନାଗିରି ଜିଲ୍ଲାରେ ୨୦୧୬ ମସିହା ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ମାରାତ୍ମକ ଜାପାନୀ ଏନ୍ସେଫାଲାଇଟ୍ସ (ମସ୍ତିଷ୍କ ଜ୍ୱର)ରେ ୩୩୬ ଜଣ ଶିଶୁ ଆକ୍ରାନ୍ତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୧୦୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ବାସ୍ତବତା ଦେଖାଗଲେ, ଜିଲ୍ଲାର ଦୁର୍ଗମ ଅଂଚଳରେ କୋମଳମତି ଶିଶୁ ମାନେ ଏହି ରୋଗ ଓ ପୃଷ୍ଠିହୀନତାରେ ଆକ୍ରାନ୍ତ ହୋଇଥାନ୍ତି ।ଏମିତି କାହିଁକି, କ’ଣ ପାଇଁ ଘଟୁଛି, ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୨୦୧୬ ଅଗଷ୍ଟ ମାସରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ନଗଡ଼ା ଗ୍ରାମରେ ପୃଷ୍ଠିହୀନତା ଯୋଗୁ ୧୯ ରୁ ଉଦ୍ଧ୍ୱର୍ ଶିଶୁଙ୍କର ଅକାଳ ମୃତ୍ୟୁ ଘଟିଥିଲା । କଟକ ଶିଶୁ ଭବନ ଶିଶୁ ମୃତ୍ୟୁ ବିଭୀଷିକା ଏଯାଏ ମନରୁ ଲିଭିନି । ବଡ଼ ମେଡ଼ିକାଲ୍ ହେଉ କି ଜିଲ୍ଲା ହସ୍ପିଟାଲ୍ କି ଗୋଷ୍ଠୀ ସ୍ୱାସ୍ଥୃକେନ୍ଦ୍ର, ସବୁଠି ଚିକିତ୍ସାସେବା ଅଭାବରୁ ଧାରାବାହିକ ଭାବେ କୋମଳମତି ଶିଶୁ ମାନଙ୍କର ମୃତ୍ୟୁ ଘଟି ଚାଲିଛି । ଏହାଠୁ ଆହୁରି ଅଧିକ ମୃତ୍ୟୁସଂଖ୍ୟା ଦୁର୍ଗମ ଗ୍ରାମାଂଚଳରେ । ଗତ ୪ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଅଂଚଳରେ ଶହଶହ ଶିଶୁ ଅକାଳ ମୃତ୍ୟୁ ବରଣ କରିଥିବା ଖବର ମିଳୁଛି । ଆଦିବାସୀ ଓ ଦୁର୍ଗମ ଅଂଚଳରେ ଜଣ୍ଡିସ୍, ମ୍ୟାଲେରିଆ, ଡ଼ାଇରିଆ ଆଦି ମାରାତ୍ମକ ସଂକ୍ରାମକ ରୋଗରେ ଲୋକେ ପୋକମାଛି ଭଳି ମରୁଛନ୍ତି । ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ପଦବୀ ଖାଲି ପଡ଼ିଛି । ଅଧିକାଂଶ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ପ୍ରଭାବୀ ଚିକିତ୍ସା ବ୍ୟବସ୍ଥା ନାହିଁ । ଆଇସିୟୁ ପ୍ରକୋଷ୍ଠରେ ତାଲା ଝୁଲୁଛି । କେତେକ ସ୍ଥାନରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ସଂଯୋଗ ମଧ୍ୟ ନାହିଁ । ସ୍ୱାସ୍ଥ୍ୟ ମିସନ୍ର ହର୍ତାକର୍ତା ସାଜିଥିବା ଅନଭିଜ୍ଞ ଓ ଅସ୍ଥାୟୀ କର୍ମଚାରୀଙ୍କ ହାତରେ ଛାଡ଼ି ଦିଆ ଯାଉଛି ରାଜ୍ୟର ସ୍ୱାସ୍ଥ୍ୟସେବା ଭଳି ଗୁରୁ ଦାୟିତ୍ୱ । ସରକାରୀ ଡ଼ାକ୍ତରଖାନାରେ ରୋଗୀମାନେ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି ।

ଏଠାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରିକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼ୁଛି଼ । କେବିକେ ଜିଲ୍ଲାରେ ମ୍ୟାଲେରିଆ ଓ ରକ୍ତ ହୀନତା ରୋଗ ଭଳି ଅତି ମାରାତ୍ମକ ରୋଗ ଭୟଙ୍କର ରୂପ ନେଇଛି । ରକ୍ତ ଅଭାବରୁ ଗର୍ଭବତୀ ମା’ ଓ ବିଭିନ୍ନ ଜଟିଳ ରୋଗୀ ଅକାଳ ମୃତ୍ୟୁବରଣ କରୁଛନ୍ତି । ୨୦୨୦ ସୁଦ୍ଧା ଶିଶୁ ଓ ମାତୃ ମୃତ୍ୟୁହାର ଯଥେଷ୍ଟ କମାଇବାକୁ ୨୦୧୫ ମଇ ୧୯ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା୧୫ଟି ପଛୁଆ ଜିଲ୍ଲାର ୬୮ଟି ଅବହେଳିତ ବ୍ଲକ୍ରେ ୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା ଘୋଷଣା ଫେଲ୍ ମାରିଛି । ଏହି ଯୋଜନା ୨୦୧୫ ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲେ ହେଁ ବର୍ତମାନ ସୁଦ୍ଧା ଏଥିରୁ କୌଣସି ସୁଫଳ ମିଳିନାହିଁ । ସରକାରୀ ଡ଼ାକ୍ତରଖାନାରେ ୨୪ ଘଂଟା ମାଗଣା ଔଷଧ ବାଂଟିବାକୁ ୨୦୧୫ ମଇ ୧ ତାରିଖରୁ ‘ନିରାମୟ’ ଯୋଜନା ଆରମ୍ଭ ହୋଇଥିଲା । ୩୪୮ ପ୍ରକାର ଔଷଧ ମାଗଣାରେ ଦିଆ ଯିବା ଦୂରର କଥା, ସାଧାରଣ ରୋଗର ବଟିକା ମଧ୍ୟ ରୋଗୀ ପାଉ ନାହାନ୍ତି । ଏହି ସମୟ ମଧ୍ୟରେ ଲକ୍ଷଲକ୍ଷ ଟଙ୍କାର ମୂଲ୍ୟବାନ୍ ଔଷଧ ରୋଗୀଙ୍କୁ ଦିଆ ନଯାଇ ନଷ୍ଟ କରାଯାଇ ଥିବା ବେଳେ ଅବଧି ସମୟ ପରେ କିଛି ଔଷଧ ରୋଗୀଙ୍କୁ ବଂଟା ଯାଇଥିବା କୁହାଯାଉଛି । ଏହାଛଡ଼ା ଔଷଧ ଓ ଚିକିତ୍ସା ଉପକରଣ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ସେହିପରି ସରକାରୀ ଅବହେଳା ଯୋଗୁ ଭୁବନେଶ୍ୱରସ୍ଥିତ ଡ଼ା.ଅଭିନ୍ନ ଚନ୍ଦ୍ର ହୋମିଓପାଥୀ ମେଡ଼ିକାଲ୍ କଲେଜରେ ଓଡ଼ିଶାର ଏକମାତ୍ର ପିଜି ପାଠ୍ୟକ୍ରମ ରହିଥିଲେ ମଧ୍ୟ ଏହା ବନ୍ଦ୍ ହୋଇ ଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନର ବିଭିନ୍ନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଛି । ମାତ୍ର ଟଳମଳ ଅବସ୍ଥ।।ରେ ଥିବା ସ୍ୱାସ୍ଥ୍ୟ ଭିତିଭୂମିିର ବିକାଶ ହୋଇପାରି ନାହିଁ । ଏବେ ସହରାଂଚଳରେ ୮୦ଭାଗ ଲୋକେ ଘରୋଇ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ସରକାରୀ ଚିକିତ୍ସାସେବା ଉପରେ ମାତ୍ର ୨୦ଭାଗ ଲୋକେ(ଦରିଦ୍ର, ଅସହାୟ) ନିର୍ଭର କରନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସରାକାରୀ ସ୍ୱାସ୍ଥ୍ୟ ସେବା ମାଗଣାରେ ମିଳୁଥିବା ବେଳେ ଲୋକେ ଖର୍ଚ୍ଚାନ୍ତ ହୋଇ ଘରୋଇ ଚିିକିତ୍ସାଳୟକୁ ଯାଆନ୍ତି କାହିଁକି? ମନମୁଖୀ ଶାସନ ଚାଲୁଛି ସ୍ୱାସ୍ଥ୍ୟ ବିଭାଗରେ । ବିଭାଗୀୟ ଅଧସ୍ତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ କିଭଳି ଢଙ୍ଗରେ ପରିଚାଳନା କରୁଛନ୍ତି, ସେ ଖବର ହୁଏତ ବିଭାଗୀୟ ମନ୍ତ୍ରୀ କିମ୍ବା ଶାସନ ସଚିବଙ୍କ ପାଖରେ ନାହିଁ । ରାଜ୍ୟରେ ତୃଟିପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ମୁଖ୍ୟତଃ ରାଜନୀତିକ ହସ୍ତକ୍ଷେପ ପ୍ରମୁଖ ଭୂମିକା ଗ୍ରହଣ କରୁଥିôବା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବିଭାଗୀୟ ନିର୍ଦ୍ଦେଶକ ଓ ସିଡ଼ିଏମ୍ଓଙ୍କ ହାତରେ କୌଣସି କ୍ଷମତା ନାହିଁ କି ସେମାନେ କୌଣସି ନୀତି ନିର୍ଦ୍ଧାରଣ କରନ୍ତି ନାହିଁ ।

ନେତାଙ୍କ ଫୋନ୍ ଦ୍ୱାରା ସ୍ୱାସ୍ଥ୍ୟସେବା ପରିଚାଳନା ହୁଏ, ଡ଼ାକ୍ତର ଓ କର୍ମଚାରୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯାଏ । ୨୦୧୬ ବଦଳି ଋତୁରେ ମନ୍ତ୍ରୀଙ୍କ ଦପ୍ତରର କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଥିଲା । ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବଦଳିରେ ମନ୍ତ୍ରୀଙ୍କ ଦପ୍ତର ହସ୍ତକ୍ଷେପ କରିବା ଅତି ଲଜ୍ଜାଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିଲା । ରାଜ୍ୟରେ ସ୍ୱାସ୍ଥ୍ୟସେବା ଆଉ କେତେ ତଳକୁ ଗଲେ, ରାଜ୍ୟ ସରକାର ଚେତିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା । ଆଜି ପର୍ଯ୍ୟନ୍ତ କୌଣସି ଜଣେ ମନ୍ତ୍ରୀ କି ସଚିବ ନିଜ କରିସ୍ମା ବଳରେ ସ୍ୱାସ୍ଥ୍ୟ ବିଭାଗରେ ସାମାନ୍ୟତମ ପରିବର୍ତନ ଆଣି ପାରି ନାହାନ୍ତି କି କୌଣସି ନୂଆ ସଂସ୍କାର । ମାତ୍ର ବର୍ତମାନର ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତାଙ୍କ ବଳିଷ୍ଠ ଉଦ୍ୟମରେ ରାଜ୍ୟରେ ଧୀରେ ଧୀରେ ସ୍ୱାସ୍ଥ୍ୟସେବାର ବିକାଶ ହେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମହଲରେ ସ୍ୱୀକାର କରାଯାଉଛି । ଆଇଏନ୍ଏସ୍ ।

error: Thank You Keep Visiting