ଓଡ଼ିଶା ମାନବ ଅଧିକାର କମିଶନ ନିଯୁକ୍ତି ଦାବୀରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚର ଗଣବିକ୍ଷୋଭ

Straight to the Point

ଭୁବନେଶ୍ୱର : ସମ୍ପ୍ରତି ରାଜ୍ୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଓ ଦୁଇ ସଦସ୍ୟ ପଦବୀ ଗତ ଅଢେଇମାସ ତଳୁ ଖାଲି ପଡ଼ିବା କାରଣରୁ ଆୟୋଗ ଅକାମୀ ହୋଇପଡ଼ିଛି । ଏହାରା ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ତୁରନ୍ତ ନିଯୁକ୍ତି ଦାବୀରେ ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କମିଶନର ଅଧ୍ୟକ୍ଷ ପଦରୁ ଜଷ୍ଟିସ୍ ରାଧାକୃଷ୍ଣ ପାତ୍ର ତା ୨୩.୧୧.୨୦୧୨ରେ ଅବ୍ୟାହତ ନେବା ପରେ ଗତ ଛଅବର୍ଷ ମଧ୍ୟରେ ଆଉ କୌଣସି ଅଧ୍ୟକ୍ଷ ନିଯୁକ୍ତ ହୋଇନାହାଁନ୍ତି ।

ଗତ ୨୦୧୫ ମସିହାରେ ଅନ୍ୟତମ ସଦସ୍ୟ ଶ୍ରୀ ବି.କେ. ପଟ୍ଟନାୟକ ଇସ୍ତଫା ଦେଲା ପରେ ମଧ୍ୟ କେହି ସଦସ୍ୟ ନିଯୁକ୍ତ ହୋଇନଥିଲେ । ଏହି ଅବଧି ମଧ୍ୟରେ ଜଷ୍ଟିସ୍ ବୀରକିଶୋର ମିଶ୍ର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ସଦସ୍ୟ ରୂପେ କାର୍ଯ୍ୟ କରି ଗତ ୧୫.୦୮.୨୦୧୮ରିଖରେ ଅବସର ନେଇଛନ୍ତି ଓ ଗତ ଅଢେଇମାସ ଧରି କମିଶନ ଅକାମୀ ହୋଇପଡ଼ିଛି । ଏଠାରେ ପ୍ରଣିଧାନଯୋଗ୍ୟ ଯେ, କମିଶନ ଜରିଆରେ ଅନେକ ମାନବ ଅଧିକାର ଉଲଘଂନ ତଥା ମାନବିକ ଅଧିକାର କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ତ୍ୱରିତ ପଦକ୍ଷେପ ନେବା ସମ୍ଭବ ହେଉଥିଲା । ଏହା ଅକାମୀ ହୋଇଯିବା ଫଳରେ ହଜାର ହଜାର ସଂଖ୍ୟାରେ ମାମଲା ବିଚାରଧୀନ ଅବସ୍ଥାରେ ପଡ଼ିରହିଛି ଓ ଆହୁରି ଅନେକ ଅଭିଯୋଗ କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚୁଛି ।

ମାନବ ଅଧିକାରର ସୁରକ୍ଷା ଓ ପ୍ରୋତ୍ସାହନ ନିମନ୍ତେ ଥିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ସୁପ୍ରିମ କୋର୍ଟ ମଧ୍ୟ ଦିଲ୍ଲୀପ କୁମାର ବସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ ମାମଲାର ବିଚାର କରି ୨୪.୦୭.୨୦୧୫ରେ ଅତି ସ୍ପଷ୍ଟ ଭାବରେ ରାଜ୍ୟ ମାନବ ଅଧିକାର ଆୟୋଗଗୁଡ଼ିକର ପଦବୀ ଖାଲି ପଡ଼ିଲେ ଏହା କମିଶନ ସ୍ଥାପନର ଉଦ୍ଦେଶ୍ୟକୁ ବାଧିକ କରୁଛି ବୋଲି ଉଲ୍ଲେଖ କରିଛନ୍ତି । ତା ସହିତ ୩ ମାସ ମଧ୍ୟରେ ସମସ୍ତ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରର ଲୋୟର ପିଏମ୍ଜିଠାରେ ବି·ର ମଞ୍ଚ ପକ୍ଷରୁ ଗଣବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏ ସମ୍ପର୍କରେ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ବିଭିନ୍ନ ମାନବ ଅଧିକାର କର୍ମୀ ଏବଂ ଗଣସଂଗଠନର ନେତୃତ୍ୱମାନେ ଭାଗ ନେଇ ଏକ ପଥପ୍ରାନ୍ତ ସଭାରେ ସରକାରଙ୍କ ଟାଳଟୁଳ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ।

error: Thank You Keep Visiting