ରାଜସ୍ୱରେ ଆଗୁଆ,ବିକାଶରେ ପଛୁଆ

Straight to the Point

ତାଳଚେର: କଳାହୀରାର ନଗରୀ ଭାବେ ତାଳଚେର ଦେଶ ବିଦେଶରେ ପରିଚିତ । ପ୍ରାଚୁର୍ଯ୍ୟରେ ଭରପୁର ଏ ଅଞ୍ଚଳକୁ ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ମିଳୁଛି । ଏପରିକି ରାଜସ୍ୱ ତାଲିକାରେ ଏହା ରାଜ୍ୟର ୧ନଂ ସ୍ଥାନରେ ରହିଛି । ବାର୍ଷିକ ପ୍ରାୟ ସାଢେ ୬ ହଜାର କୋଟି ଟଙ୍କା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଠାରୁ ସଂଗ୍ରହ କରୁଛନ୍ତି । କେବଳ ରେଳ ଯୋଗେ କୋଇଲା ପରିବହନରୁ ୪ ହଜାର କୋଟି ଟଙ୍କା ମିଳୁଥିବା ବେଳେ ମାଇନିଂରୁ ୨ ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଛି ।

ଏହାଛଡା ଅନ୍ୟାନ୍ୟ କ୍ଷେତ୍ରରୁ ମଧ୍ୟ ରାଜକୋଷକୁ ଟିକସ ଯାଉଛି । ହେଲେ ବିକାଶ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ତାଳଚେରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଖଣି ଖାଦାନ ଯୋଗୁ କ୍ଷତିଗ୍ରସ୍ତ, ବିସ୍ଥାପିତ ଓ ବେକାରି ସମସ୍ୟା ବଢି ଚାଲିଥିବା ବେଳେ ଅଞ୍ଚଳବାସୀ ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଓ ପ୍ରଦୂଷଣ ସମସ୍ୟାରେ ଅଥୟ ହୋଇ ପଡୁଛନ୍ତି । ଭଲ ରାସ୍ତା, ଉତ୍ତମ ଶିକ୍ଷାନୁଷ୍ଠାନ, ଅତ୍ୟାଧୁନିକ ଡାକ୍ତରଖାନା, ବିଶୁଦ୍ଧ ପାଣି ଓ ପବଳ ତାଳଚେରବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି । ସ୍ଥାନୀୟ ବୁଦ୍ଧିଜିବୀ ମାନଙ୍କ କହିବା ଅନୁଯାୟୀ, ଶିଳ୍ପ ମାନଚିତ୍ରରେ ତାଳଚେର ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଏନ୍ଟିପିସି, ଟିଟିପିଏସ୍, ନାଲକୋ ସମେତ୍ ଏମ୍ସିଏଲର ୧୦ ଗୋଟି କୋଇଲା ଖଣି ଏବଂ ଅନେକ ଛୋଟବଡ ଶିଳ୍ପ ଏଠାରେ ରହିଛି । କିନ୍ତୁ ଏଠିକାର ଅଞ୍ଚଳବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ôଚତ ହେଉଛନ୍ତି । ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ୧୦ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଏସ୍ଡିଏମ୍ଓଙ୍କୁ ମିଶାଇ ୫ଟି ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି ।

ଖଣି ଖାଦାନ ଯୋଗୁ ଏଠାରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି । ହେଲେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଏଠାରେ ମିଳୁନି । ଏହାଛଡା ଡାକ୍ତର ଅଭାବରୁ ସାଧାରଣ ରୋଗୀ ମଧ୍ୟ ସରକାରୀ ଡାକ୍ତରଖାନା ଉପରେ ଭରସା କରିପାରୁ ନାହାନ୍ତି । ଫଳରେ ସେମାନେ ଘରୋଇ ଡାକ୍ତରଖାନାକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେବା ସହ ଅନେକ ସମୟରେ ଶୋଷଣର ଶିକାର ହେଉଛନ୍ତି । କେବଳ ସ୍ୱାସ୍ଥ୍ୟ ନୁହେ, ଶୁଦ୍ଧ ପାନୀୟ ଜଳ ପାଇଁ ମଧ୍ୟ ଲୋକଙ୍କୁ ଆନ୍ଦୋଳନର ସାହାରା ନେବାକୁ ପଡୁଛି । ଗାଁ କଥା ଦୂରେଥାଉ, ସହରର ୨୧ ଗୋଟି ୱାର୍ଡ ମଧ୍ୟରୁ ୧୮ ନଂ, ୧୧ନଂ, ୧୨ନଂ, ଓ ୧୩ ନଂ ୱାର୍ଡକୁ ଏଯାଏ ପାଇପ୍ ଯୋଗେ ପିଇବା ପାଣି ପହଞ୍ôଚ ପାରି ନାହିଁ । ଯେଉଁ ପାନୀୟ ଜଳ ଯୋଗାଯାଉଛି ତାହା ମଧ୍ୟ ଶତ ପ୍ରତିଶତ ବିଶୁଦ୍ଧ ନୁହେଁ । କାରଣ ବିଭିନ୍ନ ଶିଳ୍ପର ବର୍ଜ୍ୟବସ୍ତୁ ଓ ନର୍ଦ୍ଦମା ଜଳ ଯୋଗୁ ନିକଟସ୍ଥ ବ୍ରାହ୍ମଣୀ ନଦୀର ପାଣି ଏତେ ପ୍ରଦୂଷିତ ହୋଇ ସାରିଛି ଯେ ତାହାକୁ ପୂରା ବିଶୋଧନ କରି ଲୋକଙ୍କୁ ଯୋଗାଇ ଦିଆଯିବା ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷେ ଏକପ୍ରକାର ଅସମ୍ଭବ ହୋଇ ପଡିଥିବା ଖୋଦ୍ ବିଭାଗୀୟ ଅଧିକାରୀ ସ୍ୱୀକାର କରୁଛନ୍ତି ।

ଖଣି ଖାଦାନ ଅଞ୍ଚଳର ୧୦୦ ରୁ ଉଦ୍ଧ୍ୱର୍ ଗ୍ରାମରେ ବର୍ଷର ୯ ମାସ ଜଳ ସଙ୍କଟ ଉକ୍ରଟ ହେଇଛି । ଦେଶରୀ ସର୍ବ ବୃହତ ବିଦ୍ୟୁତ୍ ପ୍ଲାଣ୍ଟ ଏନ୍ଟିପିସି ସମେତ ଟିଟିପିଏସ୍, ରେଙ୍ଗାଳି ଜଳ ବିଦ୍ୟୁତ ଯୋଜାନରୁ ବିଦ୍ୟୁତ ଉତ୍ପାଦନ କରି ସରକାର ରାଜ୍ୟ ଓ ରାଜ୍ୟ ବାହାରକୁ ଯୋଗାଇଛନ୍ତି । ହେଲେ ତାଳଚେରର ବିଦ୍ୟୁତ ବିଭ୍ରାଟ ଏକ ନିୟମିତ ପ୍ରକ୍ରିୟାରେ ପରିଣତ ହୋଇଛି । ରାସ୍ତା ସମସ୍ୟାର ସମାଧାନ ମଧ୍ୟ ସରକାର କରି ପାରି ନାହାଁନ୍ତି । ଏ ପର୍ଯ୍ୟନ୍ତ ତାଳଚେରରୁ ମା’ ହିଙ୍ଗୁଳା ପୀଠକୁ ଏକ ଭଲ ରାସ୍ତା ହୋଇ ପାରି ନାହିଁ । ଏହି ରାସ୍ତା ଦେଇ ତାଳଚେର ବ୍ଲକର ୧୦ ରୁ ୧୨ ଟି ପଞ୍ଚାୟତବାସୀ ଯାତାୟାତ କରିଥାନ୍ତି । ଖଣି କମ୍ପାନୀ ଦ୍ୱାରା ପ୍ରତିଦିନ ପଞ୍ଚାୟତ ରାସ୍ତାର ପରିବର୍ତ୍ତନ ଘଟୁଥିବାରୁ ଅଞ୍ଚଳବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ତାଳଚେର ସହର ଦେଇ ଯାଇଥିବା ଜାତୀୟ ରାଜପଥ ମଧ୍ୟ ଏଥିରୁ ବାଦ୍ ପଡିନାହିଁ ।

ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଏଥିଯୋଗୁ ଯେଉଁ ଦୁର୍ଦ୍ଦଶା ଭୋଗ କରୁଛନ୍ତି ତାହା ଅବର୍ଣ୍ଣନୀୟ । ସମସ୍ତ ସୀମାକୁ ଅତିକ୍ରମ କରିସାରିିଲାଣି ପ୍ରଦୂଷଣ । ପ୍ରବଳ ମାତ୍ରାରେ ଉଡୁଥିବା କୋଇଲା ଗୁଣ୍ଡ, ପାଉଁଶ, ଧୂଳି ଓ ଧୂଆଁ ଯୋଗୁ ଏଠି ପାଣି, ପବନ, ମାଟି ସବୁ ବିଷ ପାଲଟିଗଲାଣି । ଏଥିପାଇଁ ଲୋକେ ନାନା ରୋଗର ଶିକାର ହେଉଛନ୍ତି । ହେଲେ ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରିବାକୁ କୌଣସି ପଦକ୍ଷେପ ନେବା ଦେଖାଯାଉ ନାହିଁ । କ୍ଷତିଗ୍ରସ୍ତ ଲୋକେ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଲାଗି ବର୍ଷସାରା ଆନ୍ଦୋଳନ କରି ଚାଲିଛନ୍ତି । ନିଜର ହକ୍ ପାଇଁ ଖଣି ବନ୍ଦ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାର ପ୍ରୟାସ କରୁଛନ୍ତି । ହେଲେ ନ୍ୟାୟ ଦେବା ବଦଳରେ ପୋଲିସ୍ ନାଲି ଆଖି ଦେଖାଉଛି । ଗିରଫ କରି ଜେଲ ପଠାଇ ଦେଉଛି । ଯେଉଁଠି ସ୍ଥାନୀୟ ପ୍ରଶାସନ, ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି, ସେଠାରେ ଅଞ୍ଚଳବାସୀ କାହାକୁ ନିଜ ସମସ୍ୟା ଜଣାଇବେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି ।

ଏ ସମ୍ପର୍କରେ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି କହିଛନ୍ତି, ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନ ଅବଗତ ଅଛି ଓ ସମାଧାନ ନିମନ୍ତେ ଚେଷ୍ଟା ଜାରି ରହିଛି । ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ ଜଳେନ୍ଦ୍ର ଦେବତା କହିଛନ୍ତି, ଏବେ ୫ ଗୋଟି ଗାର୍ଡକୁ ପାଇପ୍ ଯୋଗେ ପାଣି ଦିଆଯାଇ ପାରୁ ନାହିଁ । ଏଥିପାଇଁ ଉଦ୍ୟମ ଜାରି ରହିଛି । ନଦୀରେ ସିଧାସଳଖ ନର୍ଦ୍ଦମା ପାଣି ମିଶୁଛି । ଆମେ ସାଧ୍ୟ ମତେ ବିଶୁଦ୍ଧ କରି ତାହାକୁ ଯୋଗାଣ କରୁଛୁ । ଜିଲ୍ଲାରେ ୧୯୦ ଡାକ୍ତରଙ୍କ ବଦଳରେ ମାତ୍ର ୯୭ ଜଣ ଅଛନ୍ତି । ଖାଲି ପଦବୀ ଗୁଡିକ ପର୍ଯ୍ୟାୟକ୍ରମେ ପୂରଣ କରିବାକୁ ଚେଷ୍ଟା କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରବୀନ୍ଦ୍ର କୁମାର ଗଡନାୟକ କହିଛନ୍ତି ।

error: Thank You Keep Visiting