ଦୁର୍ନୀତିରେ ଲିପ୍ତ ବିଜେଡି-ବିଜେପି ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି:ନିରଞ୍ଜନ ପଟ୍ଟନାୟକ

Straight to the Point

ଭୁବନେଶ୍ୱର: ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଏବଂ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ଏହି ଦୁଇ ରାଜନୈତିକ ଦଳ ଦୁର୍ନୀତିରେ ବୁଡି ରହିଛନ୍ତି । ରାଜ୍ୟରେ ବିଜେଡି ଚିଠ୍ଫଣ୍ଡଠାରୁ ଆରମ୍ଭ କରି କୋଇଲା, ଖାଦ୍ୟ ସୁରକ୍ଷା ଯୋଜନା, ସ୍ୱାସ୍ଥ୍ୟସେବା ଯୋଜନା ଆଦି ସବୁ କ୍ଷେତ୍ରରେ ଦୁର୍ନୀତିରେ ଲିପ୍ତ ଥିବାବେଳେ ବିଜେପିର ନେତା ତଥା ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଦୁର୍ନୀତି ମଧ୍ୟକୁ ଟାଣି ନେଇଛନ୍ତି । ରାଫେଲ ଦୁର୍ନୀତି, ପେଟ୍ରୋଲ ଡିଜେଲ ମୂଲ୍ୟରେ ଦୁର୍ନୀତି ଆଦିରେ ସଂପୃକ୍ତ ରହି କୋଟିକୋଟି ଟଙ୍କା ଲୁଟିଛନ୍ତି । ଓଡ଼ିଶାରେ ସେମାନେ ନଅବର୍ଷ ଭାଗୁଆଳି ଶାସନ ମଧ୍ୟ କରିସାରିଛନ୍ତି ।

ଏବେ ନିର୍ବାଚନ ପୂର୍ବରୁ ଲୋକ ଦେଖାଣିଆ ଭାବରେ ନିଯୁକ୍ତି ପ୍ରସଙ୍ଗକୁ ନେଇ ଦୁଇଦଳ ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଏକ ବିବୃତିରେ ସେ କହିଛନ୍ତି, ଶ୍ରମବିଭାଗ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୧୮ ବର୍ଷର ପ୍ରଥମ ତିନିମାସରେର ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ୬.୭୭ ପ୍ରତିଶତକୁ ବୃଦ୍ଧି ପାଇଥିଲା, ଯାହା ୨୦୧୭ ବର୍ଷର ଶେଷ ତିନିମାସରେ ୪.୭ ପ୍ରତିଶତ ରହିଥିଲା । ଓଡ଼ିଶାରେ ନିଯୁକ୍ତି ଦୃଶ୍ୟପଟ ଅଧିକ ଖରାପ ହେବାରେ ଲାଗିଛି । ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ଏବଂ ବମ୍ବେ ଷ୍ଟକ ଏକ୍ସଚେଂଜ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଓଡ଼ିଶାରେ ୨୦୧୮ ଜାନୁଆରୀରେ ପ୍ରାୟ ୮୫ ଲକ୍ଷ ଶିକ୍ଷିତ ଏବଂ ଅଶିକ୍ଷିତ ବେକାର ରହିଥିଲେ ।

ସେମାନଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ କୋଣସି ପଦକ୍ଷେପ ସରକାରୀ ସ୍ତରରେ ନିଆଯାଇନାହିଁ । ସେହିଭଳି ସର୍ବଭାରତୀୟ ସ୍ତରରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨କୋଟି ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ବିଜେପି ସଭାପତି ଅମିତ ଶାହ କହିଛନ୍ତି ଦେଶର ୧୨୫ କୋଟି ଲୋକଙ୍କୁ ନିଯୁକ୍ତି ଯୋଗାଇବା ସମ୍ଭବ ନୁହେଁ । ଆତ୍ମନିଯୁକ୍ତି ହିଁ ବେକାରୀ ସମସ୍ୟାର ସମାଧାନ କରିପାରିବ । ଉଭୟ ମୋଦି ଓ ଶାହ ପକୁଡି ବିକ୍ରିକୁ ମଧ୍ୟ ନିଯୁକ୍ତି ସହିତ ସମାନ ବୋଲି ତୁଳନା କରିଛନ୍ତି । ତେବେ ସରକାର ଯଦି ବେକାରୀ ସମସ୍ୟା ଦୂର କରିବା ଦିଗରେ କିଛି କରିପାରିବେ ନାହିଁ, ମିଛ ପ୍ରତିଶ୍ରୁତି ଦେଇ କାହିଁକି ସେମାନଙ୍କୁ ଭଣ୍ଡାଉଥିଲେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ସବୁକ୍ଷେତ୍ରରେ ଶୋଚନୀୟ ଭାବେ ବିଫଳ ହୋଇଥିବା ବିଜେଡି ଓ ବିଜେପି ଏବେ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ପୁଣି ନିର୍ବାଚନ ବୈତରଣୀ ପାର ହେବା ଯୋଜନା କରୁଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି ।

error: Thank You Keep Visiting