ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବେ ମୁକେଶ ଅମ୍ବାନି

An Independent Media

ଭୁବନେଶ୍ୱର: ଚଳିତବର୍ଷର ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କାର୍ଯ୍ୟକ୍ରମ ନଭେମ୍ବର ୧୧ ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକପ୍ରକାର ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଆଜି ଉଦଘାଟନୀ ଦିବସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ । ମନ୍ତ୍ରୀଙ୍କ ସୂଚନାନୁଯାୟୀ, ଆସନ୍ତା ୧୧ ତାରିଖ ଦିନ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କାର୍ଯ୍ୟକ୍ରମର ସ୍ୱାଗତ ସମାରୋହ ଅନୁଷ୍ଠିତ ହେବ ।

ସକାଳ ୬ଟାରୁ ପୁରୀ କୋଣାର୍କରୁ କୋଷ୍ଟାଲ ଫନ୍ ରନ୍ ହେବ । ଭୋର ୬ଟା ୩୦ରେ ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରିରେ ଐତିହ୍ୟ ପଦଯାତ୍ରା କରାଯିବ । ପୂର୍ବାହ୍ଣ ୯ଟାରେ ଗଲ୍ଫ କ୍ଲବରେ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହା ପରେ ସଂଧ୍ୟା ୬ଟାରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହି ଦିବସରେ ୨୮ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବେ । ବିଦେଶରୁ ୫୦ଟି କମ୍ପାନି ଆସିବାର ଆଶା ରହିଛି । ୨ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ଆସିବାର ସମ୍ଭାବନା ଅଛି ବୋଲି ଶିଳ୍ପ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ସେହିପରି ୧୨ ତାରିଖରେ ପ୍ଲେନାରି ସେସନ ଉଦଘାଟନ ହେବ । ଏହି ଦିନ ଦେଶର ୨୫ ଜଣ ବିଶିଷ୍ଟ ଶିଳ୍ପପତି ଯୋଗ ଦେବେ । ପୂର୍ଣ୍ଣାଙ୍ଗ ଅଧିବେଶନରେ ମୁକେଶ ଅମ୍ବାନି, ଗୌତମ ଆଦାନି ଓ ଆନନ୍ଦ ମହିନ୍ଦ୍ରାଙ୍କ ପରି ନାମୀଦାମୀ ଶିଳ୍ପପତି କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ଣ ୧୨ଟା ୩୦ରୁ ୨ଟା ଯାଏ ବିଜନେସ୍ ଲିଡରସିପ୍ ସମିଟ୍ ଅନୁଷ୍ଠିତ ହେବ । ଅନ୍ୟ ଦିନମାନଙ୍କରେ ମଧ୍ୟ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଅନେକଗୁଡିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ।

error: Thank You Keep Visiting