ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡାଙ୍କ ଖଳପଣିଆ କେତେ ସତ କେତେ ମିଛ

An Independent Media

ଭଦ୍ରକ: ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଦୈତାରୀ ପଣ୍ଡାଙ୍କର ପ୍ରଥମ ପତ୍ନୀ ଓ ଜଗା-ବଳିଆ ବୋଲି ଦୁଇପୁତ୍ର ରହିଥିବାବେଳେ ସେ ଏହି କଳା ଜଗତର ଅନ୍ୟତମ ମହିଳା କଳାକାର ଲତାରାଣୀ ପଣ୍ଡା ଓରଫ ମଣ୍ଡଳଙ୍କୁ ଲୁକ୍କାୟିତ ଭାବେ ବିବାହ କରି ଏକ ପୁତ୍ର ସନ୍ତାନର ଜନନୀ କରାଇବା ଘଟଣା ଆଜି ଭଦ୍ରକ କୋର୍ଟକୁ ଆସି ଏଠାକାର ବିଶିଷ୍ଟ ଯୁବ ଆଇନ୍ଜୀବୀ ଗଦାଧର ବଳଙ୍କ ମାଧ୍ୟମରେ ପଡୋଶୀ ବାଲେଶ୍ୱର ଜିଲା ସିମୁଳିଆ ଥାନାରେ ଦେଇଥିବା ଅଭିଯୋଗ ପତ୍ରରୁ ଜଣାପଡିଛି । ଏହି ଅଭିଯୋଗ ପତ୍ର ମୂଳେ ଲତାରାଣୀ ଦୀର୍ଘଦିନ ଓଡ଼ିଶାର ବିଭିନ୍ନ ଯାତ୍ରାନୁଷ୍ଠାନରେ ଅଭିନୟ କରିବା ସମୟରେ ୨୯ ବର୍ଷ ତଳେ ବାଲେଶ୍ୱର ଜିଲା ଔପଦା ଗ୍ରାମନିବାସୀ ଶଙ୍କର୍ଷଣ ପଣ୍ଡାଙ୍କ ପୁତ୍ର ତଥା ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡାଙ୍କ ସହ ସାକ୍ଷାତ୍ ହୋଇଥିଲା ।

ଉଭୟ ଅଭିନୟ କରୁଥିବା ସମୟରେ ଦୈତାରୀ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଲତା ସେଥିରେ ସମ୍ମତି ପ୍ରଦାନ ପରେ ଉଭୟ ତାରିଣୀ ଗଣନାଟ୍ୟରେ ‘ଜିଅନ୍ତା ଶବ’ ନାଟକରେ ଅଭିନୟ କରୁଥିବା ସମୟରେ ପୁରୀ ଯାଇ ବିବାହ କରି ସ୍ୱାମୀ-ସ୍ତ୍ରୀ ଭାବେ ରହିଆସୁଥିଲେ । ଏହି ସମୟରେ ସେମାନଙ୍କ ଗର୍ଭରୁ ଦୁଇଗୋଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ବଡପୁତ୍ର ୩ ବର୍ଷ ବୟସରେ ପାଣିରେ ପଡି ଅକାଳ ମୃତ୍ୟୁବରଣ କରିବା ପରେ ସାନପୁଅ ସୋମନାଥ ସେମାନଙ୍କ ସହ ରହିଆସୁଥିଲା । ଇତିମଧ୍ୟରେ ଲତା ଦୈତାରୀ ତାଙ୍କ ସହ ବିଶ୍ୱାସ ଘାତକତା କରି ତାଙ୍କ ପୂର୍ବରୁ ପ୍ରଥମ ବିବାହ କରି ଜଗା-ବଳିଆ ନାମକ ଦୁଇପୁତ୍ରର ପିତା ହୋଇଥିବାର ଜାଣିବାକୁ ପାଇଥିଲେ ।

ଏଥିରେ ସେ ପ୍ରତିବାଦ କରିବାରୁ ଦୈତାରୀ ତାଙ୍କୁ ଆଶ୍ୱସନା ଦେଇ କୌଣସି ଠାରେ ଅଭିଯୋଗ ନକରିବା ପାଇଁ ବାରଣ କରି ତାଙ୍କ ସହ ସ୍ୱାମୀ ଭାବେ ରହିବାର ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଲତା ନିଜର ସାଙ୍ଗିଆ ଲତା ମଣ୍ଡଳରୁ ଲତା ପଣ୍ଡାକୁ ପରିବର୍ତ୍ତନ କରିଥିଲେ । ଏପରିକି ସେମାନେ କେତେକ ମୌଜାରେ ଜମି କ୍ରୟ ଠାରୁ ଆରମ୍ଭ କରି ପୁତ୍ର ଜନ୍ମ ଠାରୁ ତାର ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ପିତା ଦୈତାରୀ ପଣ୍ଡା ବୋଲି ଉଭୟଙ୍କ ସହମତିରେ ଉଲ୍ଲେଖ କରିଥିଲେ । ଏହାମଧ୍ୟରେ ଲତା ଜାମୁଝାଡିରେ ଘରକରି ନିଜର ସାନପୁତ୍ର ସହ ରହିଆସୁଥିବାବେଳେ ବୟସାଧିକ ଯୋଗୁଁ ଯାତ୍ରା ଜୀବନରୁ ଅବ୍ୟାହତି ନେଇଛନ୍ତି । ପୁଅ ସୋମନାଥ ଭଦ୍ରକ ରୟାଲ କଲେଜରୁ ଯୁକ୍ତ ୩ ପାଶ୍ କରିବା ପରେ ମା’ଙ୍କ ନିକଟରେ ରହିଆସୁଛି ।

ମାତ୍ର ଏବେ କୋଣାର୍କ ଗଣନାଟ୍ୟରେ ଅଭିନୟ କରୁଥିବା ଦୈତାରୀ ଲତା ଓ ତାଙ୍କ ପୁତ୍ର ସୋମନାଥର ଭବିଷ୍ୟତ ପାଇଁ କୌଣସି ବ୍ୟବସ୍ଥା ନକରି ସଂପର୍କ ଛିନ୍ନ କରିଛନ୍ତି । ତାଙ୍କୁ ଯୋଗାଯୋଗ କରିବାରେ ସେ ତାଙ୍କୁ ଜାଣନ୍ତି ନାହିଁ ବୋଲି କହି ପୂର୍ବ ସଂପର୍କକୁ ଅସ୍ୱୀକାର କରିବା ସହ ତାଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏପରିକି ସେମାନଙ୍କର ବିବାହକୁ ନେଇ ଗତ କିଛିଦିନ ତଳେ ଓଡ଼ିଆ ଟିଭି ଚ୍ୟାନେଲ୍ ନ୍ୟୁଜ୍-୭ ରେ ଦୈତାରୀଙ୍କ ପ୍ରଥମ ବିବାହ ଓ ବିବାହ ବିଷୟ ଓ ସେ ଦ୍ୱିତୀୟ ବିବାହକୁ ଅସ୍ୱୀକାର ପୂର୍ବକ ତାଙ୍କୁ ଅପମାନିତ ଓ ଲାଞ୍ôଚତ ହେବାଭଳି ବୟାନ ଦେବା ଘଟଣା ତାଙ୍କୁ ମାନସିକ ଭାବେ ଆଘାତ ଦେଇଥିଲା । ଏପରିକି ବିଭିନ୍ନ ମୋବାଇଲ୍ ନମ୍ବରରୁ ତାଙ୍କ ମୋବାଇଲ୍କୁ ସେ ଧମକପୂର୍ଣ୍ଣ ଫୋନ୍ କରି ତାଙ୍କୁ ଓ ତାଙ୍କ ପୁତ୍ରଙ୍କୁ ହତ୍ୟା କରିବାର ଧମକ ଦେଉଛନ୍ତି ବୋଲି ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏଣୁ ଆଇନ୍ ଅନୁଯାୟୀ ତାଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସେମାନଙ୍କର ଜୀବନର ସୁରକ୍ଷା ପାଇଁ ସେ ଅନୁରୋଧ କରିଛନ୍ତି । ଆଜି ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

error: Thank You Keep Visiting