କାୟାବିସ୍ତାର କରିଛି ଏଡସ୍ ଭୁତାଣୁ,ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

An Independent Media

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ କାୟାବିସ୍ତାର କରିଛି ଏଡସ୍ । ରୋଗାକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରୀସ୍ତରରେ ଆକ୍ରାନ୍ତଙ୍କ ପାଇଁ ବହୁମୁଖୀ ଯୋଜନା କରାଯାଉଥିବା ବେଳେ ପ୍ରଶାସନର ଆନ୍ତରିକତା ଅଭାବରୁ ଏଡ୍ସ ଭଳି ମାରାତ୍ମକ ବ୍ୟାଧି ଉପରେ ଲଗାମ ଲଗାଯାଇ ପାରୁନାହିଁ । ଅନ୍ୟପଟେ ଆବଶ୍ୟକ ସରକାରୀ ସହାୟତା ଦିଆଯାଉ ନଥିବାରୁ ରୋଗୀଙ୍କ ମନୋବଳ ମଧ୍ୟ ଭାଙ୍ଗି ଯାଉଥିବା ଅଭିଯୋଗ ହେଉଛି । ଏଡସ୍ ରୋଗ ନିରାକରଣ ଓ ସଚେତନତା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ୨୦୦୬ ରୁ ଆରମ୍ଭ ହୋଇଛି ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି) ।

ଏଠାରେ ଏଡ୍ସର ଭୟାବହତା, କାରଣ, ନିରାକରଣ ସମ୍ପର୍କରେ ପରାମର୍ଶ ଦିଆଯାଇଛି । ସେହିପରି ବ୍ୟକ୍ତିଙ୍କ ଅନୁମତିକ୍ରମେ ରକ୍ତ ସଂଗ୍ରହ କରାଯାଇ ରୋଗ ନିରୁପଣ କରାଯାଇଛି । ରୋଗୀ ସମ୍ପର୍କିତ ବିବରଣୀ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଛି । ଆଇସିଟିସିରୁ ମିଳିଥିବା ସୂଚନା ଅନୁଯାୟୀ ୨୦୦୬ ରୁ ଅଦ୍ୟାବଧି ୨୪୯୮୦ ପୁରୁଷ, ୭୦୯୧ ମହିଳା ଏବଂ ୧୯୫୪୨ ଗର୍ଭବତୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ୨୧,୧୬୬ ପୁରୁଷ, ୫୧୯୬ ମହିଳା, ୧୮୯୦୭ ଗର୍ଭବତୀଙ୍କ ପରୀକ୍ଷା କରାଯାଇଛି । ପରୀକ୍ଷାରୁ ୧୬୦ ଜଣଙ୍କ ରକ୍ତରୁ ଏଚଆଇଭି ଭୁତାଣୁ ଠାବ କରାଯାଇଛି । ସେମାନଙ୍କ ମଧ୍ୟରେ ୧୦୨ ପରୁଷ, ୪୪ ମହିଳା, ୧୪ ଗର୍ଭବତୀ ଅଛନ୍ତି । ଏଡସ୍ ମହାମାରୀର ଶିକାର ହୋଇ ବିଭିନ୍ନ ସମୟରେ ୩୩ ପରୁଷ, ୮ ମହିଳା ଏବଂ ୩ ଗର୍ଭବତୀ ପ୍ରାଣ ହରାଇଲେଣି । ୧୨୬ ରୋଗୀ ଜୀବନ ବଞ୍ଚାଇବାକୁ ସଂଘର୍ଷ ଚଳାଇଛନ୍ତି । ସେମାନଙ୍କ ମଧ୍ୟରେ ୧୦୨ ଜଣ ଆଣ୍ଟିରେଟୋଭାଇରାଲ ଥେରାପି (ଏଆଇଟି) କେନ୍ଦରୁ ନିୟମିତ ଓଷଧ ସେବନ କରୁଛନ୍ତି । ଏକ ସର୍ଭେ ଅନୁଯାୟୀ କାମାକ୍ଷାନଗର ଅଞ୍ଚଳରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ, ଗାଡି ଚାଳକଳ ହୋଟେଲ ବୟ ଅଧିକ ମାତ୍ରାରେ ଏଡସ୍ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୭୦% ଯୁବଗୋଷ୍ଠୀ ।

ଉପରୋକ୍ତ ତଥ୍ୟ ଉପଖଣ୍ଡ ଅଞ୍ଚଳର ଏଡ୍ସର ବ୍ୟାପକତାକୁ ଦର୍ଶାଇଛି । ହେଲେ ଏହାକୁ ରୋକିବା ଦିଗରେ କୌଣସି ଆଖିଦୃଶିଆର ପଦେକ୍ଷେପ ଗ୍ରହଣ କରାଯାଉ ନାହଁ । କ୍ରମାଗତ ଭାବେ ଗୋଟିଏ ଅଞ୍ଚଳରେ ରୋଗୀସଂଖ୍ୟା ବଢିଲେ ଏଆର୍ଟି କେନ୍ଦ୍ର ସ୍ଥାପନ କରିବାକୁ ସରକାରୀ ନିୟମ ରହିଛି । ହେଲେ କାମାକ୍ଷାନଗରେ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ । ରୋଗୀମାନେ ବାଧ୍ୟବାଧକତାରେ ଅନୁଗୋଳ ଏଆ୍ରଟି କେନ୍ଦ୍ର ସମେତ ଅନ୍ୟ ସ୍ଥାନରୁ ଔଷଧ ଆଣୁଛନ୍ତି । ହେଲେ ତଥ୍ୟ ପ୍ରଘଟ, ସାମାଜିକ ତାଡନା ଭୟରେ ସେମାନେ ସେଠାକୁ ଯିବାକୁ ନିରାପଦ ମଣୁ ନାହାଁନ୍ତି । ଫଳରେ ନିୟମିତ ଔଷଧ ସେବନ, ଚିକିତ୍ସା ପରାମର୍ଶରେ ବ୍ୟାଘାତ ସୃଷ୍ଟି ହେଉଛି ।
ଅପରପକ୍ଷେ ରୋଗୀ ଇଛୁକ ଥିଲେ ମାସିକ ଭତ୍ତା, ଆବାସ ଯୋଜନା ସମ୍ପର୍କିତ ବିଭିନ୍ନ ସରକାରୀ ସହାୟତା ବ୍ୟବସ୍ଥ୍ା ରହିଛି । ହେଲେ ଏଥିରେ ବି ପ୍ରଶାସନ ଆଗକୁ ଆସୁନି । ରୋଗୀଙ୍କୁ ବିଭିନ୍ନ କ୍ଷେତ୍ରରେ ଶୋଷଣର ଶିକାର ହେବାକୁ ପଡୁଛି । ଅଞ୍ଚଳର ଜନୈକ ରୋଗୀଙ୍କ ଭତ୍ତା ୨୨ ମାସ ହେଲା ମଞ୍ଜୁ ହୋଇଥିଲେ ମଧ୍ୟ ତାହାକୁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇ ନଥିବା ଜଣା ପଡିଛି । ବ୍ଲକ, ଉପଖଣ୍ଡ ଅଞ୍ଚଳରେ ଏପରି ଅନେକ ଅନିୟମିତତା ଲୁଚି ଯାଉଥିବା ଅଭିଯୋଗ ହେଉଛି । ଏଥିରୁ ପ୍ରଶାସନ ରୋଗୀଙ୍କ ପ୍ରତି କେତେ ସମ୍ବେଦନଶୀଳ ତାହା ସ୍ପଷ୍ଟ ଅନୁମେୟ ।

ଏ ସମ୍ପର୍କରେ ଆଇସିଟିସି କେନ୍ଦ୍ରର କାଉନ୍ସିଲର ପ୍ରଫୁଲ୍ଲ କୁମାର ସାହୁ କୁହନ୍ତି, ରୋଗୀ ବିଶ୍ୱାସ କରି ଆସୁଛନ୍ତି । ସେମାନେ ଅଭିଯୋଗ ଯେଉଁଠାରେ ପହଞ୍ଚାଇବା କଥା ପହଞ୍ଚାଉଛୁ । ପରବର୍ତ୍ତୀ ସମୟରେ ସରକାରୀ ସ୍ତରରେ ରୋଗୀଙ୍କ ପ୍ରତି ସମ୍ବେଦନଶୀଳତା ପ୍ରକାଶ ପାଉନାହିଁ । ଏଥିରୁ ରୋଗୀଙ୍କ ବିଶ୍ୱାସ ତୁଟି ଯାଉଛି । ରୋଗୀକୁ ନୁହେଁ, ରୋଗକୁ ଘୃଣା କରି ସମସ୍ତେ ସଚେତନ ହେଲେ ଏବଂ ଯୁବଗୋଷ୍ଠୀ ଆଗେଇ ଆସିଲେ ରୋଗ ନିୟନ୍ତ୍ରଣକୁ ଆସିବ ।

error: Thank You Keep Visiting