ନିଦ ବଟିକା ଖାଇ ଭଦ୍ରକ କଲେଜ ସେଣ୍ଟ୍ରାଲ ହଷ୍ଟେଲ ଛାତ୍ରର ଆତ୍ମହତ୍ୟା ଉଦ୍ୟମ

An Independent Media

ଭଦ୍ରକ: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସେଣ୍ଟ୍ରାଲ ହଷ୍ଟେଲର ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ଅର୍ଥନୀତିର ଅଧ୍ୟାପକ ଅଜୟ କୁମାର ସେଠୀ ଙ୍କ ଦ୍ୱାରା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ପାଇ ଆସୁଥିବା ଜନୈକ ଛାତ୍ର ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଆଜି ସମସ୍ତ ଅନ୍ତେବାସୀ ଛାତ୍ରମାନେ ଚାବିପକା ଆନ୍ଦୋଳନ ଓ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚଥିଲେ ମଧ୍ୟ ଏହି ଆନ୍ଦୋଳନ ଫଳରେ ଆଜି ମହାବିଦ୍ୟାଳୟରେ ହେବାକୁ ଥିବା ଯୁକ୍ତ ଦୁଇ ଟେଷ୍ଟ ପରୀକ୍ଷା ଓ ସିନିୟର ପିଲାଙ୍କ ଫର୍ମ ଫିଲଅପ୍ ବନ୍ଦ ରହିଛି । ତେବେ ସନ୍ଧ୍ୟା ୭.୩୦ ସୁଦ୍ଧା ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅନ୍ତେବାସୀଙ୍କ ଦ୍ୱାରା ଚାବି ପକାଯାଇଥିବା ହଷ୍ଟେଲ ଖୋଲାଯାଇଥିଲେ ମଧ୍ୟ ଛାତ୍ରମାନେ ଖାଦ୍ୟ ବର୍ଜନ କରିଛନ୍ତି ।

ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ କେତେକ ଅଧ୍ୟାପକ ପିଲାଙ୍କ ନିକଟରେ ପହଞ୍ôଚ ସେମାନଙ୍କୁ ବୁଝାସୁଝା ଜାରି ରଖିଥିଲେ ମଧ୍ୟ ସେମାନେ ଅଧ୍ୟକ୍ଷ ଆସିବା ପରେ ଖାଦ୍ୟ ଗ୍ରହଣ କରିବା ଜିଦ୍ରେ ଅଟଳ ରହିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ହଷ୍ଟେଲରେ ପୂର୍ବରୁ ସଂପୃକ୍ତ ସୁପରିଟେଣ୍ଡେଣ୍ଟଙ୍କ ନାମରେ ଦ୍ୱାରା ମେସିଂ, ଛାତ୍ରଙ୍କ ଠାରୁ ହଷ୍ଟେଲ ଫି ବାବଦ ରସିଦ୍ ନଦେବା, ବିଭିନ୍ନ ଖର୍ଚ୍ଚ ବାବଦ ଅଧିକ ୧୦ ଟଙ୍କା ନିଆଯିବା, ଛାତ୍ରଙ୍କ ରନ୍ଧାଖାଦ୍ୟକୁ ହଡପ କରାଯିବା ଭଳି ଅଭିଯୋଗମାନ ହୋଇଆସୁଥିଲା । ଏବଂ ଏଥିନେଇ ଅନ୍ତେବାସୀମାନେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିଲା । ଗତକାଲି ଏହି ହଷ୍ଟେଲରେ ରହିଆସୁଥିବା ବାସୁଦେବପୁର ଅଂଚଳର ଯୁକ୍ତ ତିନି ତୃତୀୟ ବର୍ଷ ରସାୟନ ବିଜ୍ଞାନ ଛାତ୍ର ସପନ କୁମାର ନାୟକର ମେସିଂ ବନ୍ଦ କରାଯିବା କାରଣରୁ ସେ ନିଦ ବଟିକା ଖାଇ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଫଳରେ ତାକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇ ଚିକିତ୍ସା କରାଯାଇଥିଲା ।

ଏହି ଘଟଣାକୁ ନେଇ ଆଜି ସମସ୍ତ ଅନ୍ତେବାସୀ ଛାତ୍ର ମହାବିଦ୍ୟାଳୟର ମୁଖ୍ୟ ଫାଟକ, ଶ୍ରେଣୀ ଗୃହ ଓ ହଷ୍ଟେଲରେ ଚାବି ପକାଇ ଟାୟାର ଜାଳି ଧାରଣାରେ ବସିଥିଲେ । ଏପରିକି ଅଧ୍ୟକ୍ଷଙ୍କୁ ମଧ୍ୟ ଘେରାଉ କରି ରଖିଥିଲେ । ଫଳରେ ଆଜି ହେବାକୁ ଥିବା ଯୁକ୍ତ ଦୁଇ ଟେଷ୍ଟ ପରୀକ୍ଷା ବାତିଲ ହେବା ସହ ଫର୍ମ ଫିଲ୍ଅପ ମଧ୍ୟ ବନ୍ଦ ରଖାଯାଇଥିଲା । ତେବେ ଅନ୍ତେବାସୀ ଛାତ୍ରଙ୍କ ନିକଟରୁ ମିଳିଥିବା ତଥ୍ୟ ମୂଳେ ସମସ୍ତ ଅଭିଯୋଗର ସତ୍ୟତା ନଥିଲେ ମଧ୍ୟ ସେମାନଙ୍କ ଠାରୁ ୧୦ ଟଙ୍କା କଟାଯାଉଥିବା ବିଷୟ ଅଧ୍ୟକ୍ଷ ଜାଣିବାକୁ ପାଇଥିଲେ । ପରେ ଅଧ୍ୟକ୍ଷ ଡ. ନାୟକ କେତେକ ବରିଷ୍ଠ ଅଧ୍ୟାପକ ଓ ଅନ୍ତେବାସୀଙ୍କୁ ନେଇ ସମସ୍ତ ଅଭିଯୋଗ ଗ୍ରହଣ କରି ସୋମ ଓ ମଙ୍ଗଳବାର ସୁଦ୍ଧା ଏକ ଟିମ୍ ଦ୍ୱାରା ଉକ୍ତ ଘଟଣାର ତଦନ୍ତ କରି ପ୍ରକୃତ ତଥ୍ୟ ବୁଧୁବାର ପାଇବା ପରେ ସଂପୃକ୍ତ ସୁପରିଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ବୋଲି ସ୍ପଷ୍ଟ କରିଥିଲେ । ମାତ୍ର ଅନ୍ତେବାସୀ ଛାତ୍ରମାନେ ସୁପରିଟେଣ୍ଡେଣ୍ଟଙ୍କୁ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ଦେବାନେଇ ଅଧ୍ୟକ୍ଷଙ୍କ ନିକଟରେ ନିଜ ଜିଦ୍ରେ ଅଟଳ ରହି ହଷ୍ଟେଲରେ ଚାବି ପକାଇ ଧାରଣାରେ ବସିରହିଥିଲେ ।

ଏହି ଘଟଣାରେ ଅନ୍ତେବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ସମେତ ସହରାଞ୍ଚଳ ଥାନାରେ ସୁପରିଟେଣ୍ଡେଣ୍ଟଙ୍କ ନାମରେ ଅଭିଯୋଗ ପତ୍ର ଦିଆଯାଇ ତାଙ୍କ ବହିଷ୍କାର ଦାବି କରାଯାଇଛି । ମାତ୍ର ଅଧ୍ୟକ୍ଷ ଡ. ନାୟକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟ ମ କରିଥିବା ଛାତ୍ର ଜଣକ ନାମରେ ପୂର୍ବରୁ ଏକାଧିକ ଅଭିଯୋଗ ରହିଆସିଛି । ଯେଉଁଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ସଂପୃକ୍ତ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ସେ ଆଉ ଗଣ୍ଡଗୋଳ କରିବ ନାହିଁ ବୋଲି ଦୁଇଥର ଅଣ୍ଡରଟେକିଂ ଲେଖିଥିଲା ।

ମାତ୍ର ପୁନର୍ବାର ସେ କେତେକ ବାହାର ଅଣଛାତ୍ରଙ୍କୁ ହଷ୍ଟେଲରେ ରଖି ଖାଦ୍ୟ ଖୁଆଇବା ଏବଂ ଦୁଇଜଣ ମହିଳା କର୍ମଚାରୀଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଭଳି ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ପୂର୍ବ ଅଣ୍ଡରଟେକିଂ ମୂଳେ ସୁପରିଟେଣ୍ଡେଣ୍ଟ ଶ୍ରୀ ସେଠୀ ପାଞ୍ଚଦିନ ପୂର୍ବେ ତାକୁ ହଷ୍ଟେଲ ଛାଡିବାକୁ କହି ତାର ମେସିଂ ବନ୍ଦ କରିଦେଇଥିଲେ । କିନ୍ତୁ ସେ ବିନା ମେସିଂରେ ସେଠାରେ ତିନିଦିନ ରହିବା ମଧ୍ୟରେ ଚତୁର୍ଥ ଦିନ ସୁପରିଟେଣ୍ଡେଣ୍ଟଙ୍କୁ ଖାଇବା ପାଇଁ ଅନୁରୋଧ କରିଥିଲା । ଫଳରେ ଶ୍ରୀ ସେଠୀ ପୂଜାରୀକୁ କହି ଗତକାଲି ରାତିରେ ଖାଇବାକୁ ଡକାଇଥିଲେ ମଧ୍ୟ ସେ ସୁପରିଟେଣ୍ଡେଣ୍ଟ ନିଜେ ଆସି କହିଲେ ଖାଇବ ବୋଲି ଅଡି ବସିଥିଲା । ଏବଂ ପରେ ରାତିରେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏଭଳି ଏକ ସମ୍ବେଦନଶୀଳ ଘଟଣାର ସତ୍ୟତା ନେଇ ସାଧାରଣରେ ସନ୍ଦେହ ଉପୁଜିଥିବାରୁୁ ଜିଲାପାଳ ଏ ଦିଗରେ ପ୍ରତ୍ୟେକ୍ଷ ଭାବେ ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

error: Thank You Keep Visiting