ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

An Independent Media

ପୁରୀ : ବୁଧବାର ପବିତ୍ର କାର୍ତ୍ତିକ ତ୍ରୟୋଦଶୀ ତିଥି ଓ ପଞ୍ଚୁକ ବ୍ରତର ତୃତୀୟ ଦିବସ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ସ୍ୱତନ୍ତ୍ର ବେଶରେ ସୋଲ, କନା, ବେତ ତଥା କଇଁଥ ଅଠାରେ ଚୂଳ ପ୍ରସ୍ତୁତ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ଲଗାଯାଇଥାଏ । ଚୂଳରେ ସ୍ୱର୍ଣ୍ଣରେ ନିର୍ମିତ ହୋଇଥିବା କିଆକୁ ଆଡ଼ବାଗରେ ଖୋସା ଯାଇଥାଏ । ମା’ସୁଭଦ୍ରାଙ୍କ ମସ୍ତକରେ ସୁନା କିରୀଟ ଲଗାଯାଇଥାଏ । ତିନିଠାକୁରଙ୍କ ମସ୍ତକର ଶୀର୍ଷରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଲାଗି କରାଯାଏ । ବାମନ ଅବତାରରେ ମହାପ୍ରଭୁଙ୍କର ସର୍ବମୟ ରୂପକୁ ମନେପକାଇ ଏହି ରୂପ କରାଯିବାର ପରମ୍ପରା ରହିଛି । ତେବେ ଶ୍ରୀଜିଉଙ୍କର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି । ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିସରରେ ପୁଲିସ ମୁତୟନ ରହିଛନ୍ତି । ପଞ୍ଚୁକ ବ୍ରତ ସୋମବାରରୁ ଆରମ୍ଭ ହୋଇଥିବାବେଳେ ଶ୍ରୀମନ୍ଦିରରେ ପଞ୍ଚଞ୍ଚଦିନ ଧରି ମହାପ୍ରଭୁଙ୍କର ପାଞ୍ଚଟି ସ୍ୱତନ୍ତ୍ର ବେଶ କରାଯାଇଥାଏ । ପ୍ରତ୍ୟେକ ଦିନ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ ।

error: Thank You Keep Visiting