କ୍ରାଇମବ୍ରାଞ୍ଚ ତଦନ୍ତ ଆଳରେ ଅପରାଧୀଙ୍କୁ ସୁରକ୍ଷା ଯୋଗାଉଛନ୍ତି ରାଜ୍ୟସରକାର:ବିଜେପି

An Independent Media

ଭୁବନେଶ୍ୱର: ରାୟଗଡା ଜିଲ୍ଲା କାଶିପୁରଠାରେ ଉକ୍ରଳ ଭାରତ ଦଳର ସଭାପତି ତଥା ବରିଷ୍ଠ ନେତା ପୂର୍ବତନ ସାସଂଦ ଖାରବେଳ ସ୍ୱାଇଁଙ୍କ ଉପରକୁ ଶାସକ ଦଳର ଗୁଣ୍ଡାମାନେ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି ଆକ୍ରମଣକୁ ରାଜ୍ୟ ବିଜେପି ଦୃଢ ନିନ୍ଦା କରିଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ବିଜୁ ଯୁବ ବାହିନୀର ଗୁଣ୍ଡା ସୁମନ୍ତ ନାୟକ ଏବଂ କୃଷ୍ଣ ନାୟକ ପୂର୍ବତନ ସାସଂଦ ଶ୍ରୀ ସ୍ୱାଇଁଙ୍କ ଉପରକୁ ଆକ୍ରମଣ କରିଛନ୍ତି ।

ଶ୍ରୀ ସ୍ୱାଇଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ ଅପରାଧୀ କୃଷ୍ଣ ନାୟକକୁ ଧରି ଛାଡିଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । କାଶିପୁର ଅଂଚଳର ଜଣେ ବରିଷ୍ଠ ବିଜେଡି ନେତାଙ୍କ ଡ୍ରାଇଭର ହେଉଛନ୍ତି କୃଷ୍ଣ ନାୟକ । ସୁମନ୍ତ ନାୟକ ଏବଂ କୃଷ୍ଣ ନାୟକ ଉଭୟ ବିଜୁଯୁବ ବାହିନୀର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏପରିକି ଗୋଟିଏ ମାସର ଦରମା ମଧ୍ୟ ନେଇଛନ୍ତି କୃଷ୍ଣ ନାୟକ । ଗତକାଲି ଏଭଳି ଅଭାବନୀୟ ଘଟଣା ପରେ ତରବରିଆ ଭାବେ ଖାତାରୁ କୃଷ୍ଣ ନାୟକର ନାଁ କଟାଯିବା ଏବଂ ପୋଲିସ ଅପରାଧୀକୁ ଛାଡି ଦେବା ଶାସକ ବିଜେଡିର ସଂପୃକ୍ତିକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ଗୋଟିଏ ସଭ୍ୟ ସାମାଜରେ ଗଣତନ୍ତ୍ରକୁ କିପରି କଣ୍ଠରୋଧ କରି ହତ୍ୟା କରାଯାଏ, ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତାଃ ଇନ୍ଦିରାଗାନ୍ଧୀଙ୍କ ଶାସନ କାଳର ଜରୁରୀ କାଳୀନ ପରିସ୍ଥିତି ବର୍ତମାନ ଓଡିଶାରେ ଦେଖିବାକୁ ମିଳୁଛି । ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଏହି ଘଟଣା ସଂର୍ପକରେ ମୁହଁ ଖୋଲିଲେ ନାହିଁ କି ନିନ୍ଦା କଲେ ନାହିଁ । ଗଣତନ୍ତ୍ରରେ ରାଜନୈତିକ ପ୍ରତିପକ୍ଷକୁ ହିଂସାତ୍ମକ ଉପାୟରେ ବଳପ୍ରୟୋଗ କରି କଣ୍ଠରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ସରକାରଙ୍କ ବିରୁଦ୍ଧରେ କେହି ସମାଲୋଚନା କଲେ ରାଜ୍ୟ ସରକାର ଗୁଣ୍ଡା ଲଗାଇ ଆକ୍ରମଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଅହିଂସାର କଥା କହି ହିଂସାକୁ ଆପଣାଉଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।  ପୂର୍ବରୁ ଖାରବେଳ ସ୍ୱାଇଁଙ୍କୁ କେନ୍ଦ୍ରାପଡାର ଆଳି ଏବଂ ବାଲେଶ୍ୱରର ଖଇରା ସଭାରେ ଅପମାନିତ କରାଯିବା ସହ ମାଡ ମରାଯିବା ଘଟଣା ରାଜ୍ୟସରକାରଙ୍କ ହିଂସାତ୍ମକ ମନଭାବକୁ ପ୍ରକାଶ କରୁଛି ।

ପୂର୍ବରୁ ପୋଲିସ ଡିଜିଙ୍କୁ ଭେଟି ଆକ୍ରମଣ ସଂପର୍କରେ ଆଲୋଚନା କରିଥିଲେ ମଧ୍ୟ ପୋଲିସ ଶ୍ରୀ ସ୍ୱାଇଁଙ୍କୁ ସୁରକ୍ଷା ଯୋଗାଇ ପାରିଲା ନାହିଁ । ଗତକାଲି ରାୟଗଡା ଜିଲ୍ଲା କାଶୀପୁରଠାରେ ପୋଲିସର ଅନୁମତି ନେଇ ଶ୍ରୀ ସ୍ୱାଇଁ ସଭା କରୁଥିବାବେଳେ ପୋଲିସ ସେ ସଭାରେ ଉପସ୍ଥିତ ନଥିଲା । ଆଜି ନିଜ ଦୋଷ ଘୋଡାଇବାକୁଯାଇ ଶ୍ରୀ ସ୍ୱାଇଁଙ୍କ ଉପରେ ଆକ୍ରମଣ କରିଥିବା ଅପରାଧୀକୁ ପୋଲିସ ନଧରି କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ । କ୍ରାଇମବ୍ରାଂଚ ତଦନ୍ତ ଆଳରେ ଅପରାଧୀମାନଙ୍କୁ ରାଜ୍ୟସରକାର ସୁରକ୍ଷା ଯୋଗାଉଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଆଗାମୀ ଦିନରେ ଶାସକ ଦଳର ଗୁଣ୍ଡାବାହିନୀ ଏବଂ ଅତ୍ୟାଚାର ବିରୁଦ୍ଧରେ ରାଜ୍ୟ ବିଜେପି ତା’ର ଆନ୍ଦୋଳନକୁ ଶାଣିତ କରିବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ପୁରୋହିତ ଓ ରାଧାରାଣୀ ପଣ୍ଡା, ଉପସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting