ଓଟିଏମ୍ କର୍ମଚାରୀଙ୍କ ପାରିଶ୍ରମିକ ମିଳିବ କେବେ?
କଟକ: ୧୮ବର୍ଷ ଧରି ସମ୍ପୂର୍ଣ୍ଣ ବନ୍ଦହୋଇ ପଡିରହିଥିବା ଚୌଦ୍ୱାର ର ଓଡିଶା ଟେକ୍ସଟାଇଲ୍ସ ମିଲ(ଓଟିଏମ୍) ର୩୪୨୦ଜଣ କର୍ମଚାରୀ ଓ ଶ୍ରମିକଙ୍କ ବକେୟା ପାରିଶ୍ରମିକ ଏଯାବତ୍ ଦିଆଯାଇନାହିଁ ।କେତେକଙ୍କର ସମ୍ପୂର୍ଣ୍ଣ ଟଙ୍କା ବାକି ପଡିରହିଥିଲା ବେଳେ ଆଉ କେତେକଙ୍କର ଆଶିଂକ ପ୍ରାପ୍ୟ ବାକି ପଡିଛି ।ପ୍ରାପ୍ୟ ନପାଇ ଇତି ମଧ୍ୟରେ କେତେକଙ୍କର ମୃତ୍ୟୁ ହୋଇସାରିଲାଣୀ।ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୧୯୪୬ମସିହାରେ ଓଟିଏମ୍ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଗୋଟିଏ ସମୟ ଥିଲା ବେଶ୍ ଲାଭରେ ଚାଲୁଥିଲା ଏହି ମିଲ୍ ।ଓଟିଏମ୍ ପରିଚାଳନା ଗତ ତୃଟି ଯୋଗୁଁ କ୍ରମାଗତ କ୍ଷତି ସହିବାକୁ ଆରମ୍ଭ କଲା ଏହି ମିଲ୍ ।ପରିଣାମ ସ୍ବରୂପ ଓଡିଶାର ଗର୍ବ ଓ ଗୌରବର କୁହାଯାଉଥିବା ଏହି ସଂସ୍ଥା ୨୦୦୦ମସିହାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦହୋଇ ରହିଛି ।
ଦୀର୍ଘବର୍ଷ ଧରି ଓଟିଏମ୍ କୁ ପୁନର୍ବାର କାର୍ଯ୍ୟକାରୀ କରିବାଲାଗି ଏହାର ପୁର୍ବତନ କର୍ମଚାରୀ ଓ ଶ୍ରମିକମାନେ ବିଭିନ୍ନ ମହଲରେ ଗୁହାରି କରୁଥିଲେ ମଧ୍ୟ ବିଶେଷ କିଛି ଫାଇଦା ହୋଇନାହିଁ ।ଏଠାରେ ୩୭୩୯ଜଣ କର୍ମଚାରୀ ଓ ଶ୍ରମିକ କାମକରୁଥିଲେ ,ଓଟିଏମ୍ ବ୍ୟତୀତ ଚୌଦ୍ୱାର ରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଅନେକଗୁଡିଏ ଶିଳ୍ପାନୁଷ୍ଠାନ ଗଢି ଉଠିଥିଲା ।ସେ ସବୁ ମଧ୍ୟ ଇତିମଧ୍ୟରେ ସତ୍ତ୍ୱା ହରାଇଛନ୍ତି ।ଏଗୁଡିକ ପୁନର୍ବାର ଏକ କାର୍ଯ୍ୟକ୍ଷମ କରିବା ପରିବର୍ତ୍ତେ କେତେକ ସଂସ୍ଥାର ଜମିକୁ ଘରୋଇ ଶିଳ୍ପାନୁଷ୍ଠାନ ମାନଙ୍କ ହାତରେ ଟେକି ଦେଇଛନ୍ତି ରାଜ୍ୟ ସରକାର ।ସେମାନେ ନିଜସ୍ୱ ୟୁନିଟ ଅବଶ୍ୟ ଚଳାଉଛନ୍ତି ।ଓଟିଏମ୍ ରୁ ଉତ୍ପାଦିତ କପଡା ଓଡିଶା ବାହାରେ ବେଶ୍ ଲୋକପ୍ରିୟ ହୋଇଥିଲା ।ବନ୍ଦ ରହିଥିବା ଓଟିଏମ୍ କୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ବିଧାନସଭା ଭିତରେ ଓ ବାହାରେ ଦୀର୍ଘବର୍ଷ ଧରି ଦଳମତ ନିର୍ବିଶେଷରେ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ କିଛି ଫରକ ପଡିନାହିଁ ।କେବେ ଓଟିଏମ୍ କର୍ମଚାରୀ ଙ୍କ ଦୁଃଖ ଦୁର୍ଦ୍ଦଶା ଦୂରେଇବ ବୋଲି କର୍ମଚାରୀ ମାନେ ଚାହିଁ ବସିଛନ୍ତି ।