ନବୀନଙ୍କୁ ପରାଜିତ କରିବାର ରଣନୀତି ସଫଳ ହେବ ତ?

Straight to the Point

ଭୁବନେଶ୍ୱର : ଓଡ଼ିଶା ରାଜନୀତି ବିଗତ ୧୯ ବର୍ଷ ଧରି ଏକ ସ୍ଥିରାବସ୍ଥାରେ ଚାଲୁଥିବାବେଳେ, ଏଥିରେ ବିଚ୍ୟୁତ ଘଟାଇବା ପାଇଁ କେତେକ ରାଜନୈତିକ ଦଳ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଶେଷ କରି କେନ୍ଦ୍ରରେ ଥିବା ଏନଡିଏ ସହଯୋଗୀ ବିଜେପି ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର ଆଁ ଭିତରେ ପୁରାଇସାରିଥିବାବେଳେ ଏବେ ଓଡ଼ିଶା ଉପରେ ତା’ର ନଜର ପଡ଼ିଛି । ଏଥିପାଇଁ ସମ୍ପୃକ୍ତ ଦଳ ପକ୍ଷରୁ କରାଯାଇଥିବା ଯୋଜନା ଯେ, କେତେ ଦୂର ସଫଳ ହେବ ତାହା ତ’ ଆଗାମୀ ସମୟ କହିବ । ହେଲେ ରାଜନୀତିର ପସା ପାଲିରେ ଗୋଟି ଚାଳନା କରୁଥିବା ରାଜନୈତିକ ବିଶେଷଜ୍ଞ ଏହାକୁ ହୁଏତ ହୃଦୟଙ୍ଗମ କରିପାରିବେ କି ନାହିଁ ତାହା ପରର କଥା । ବିଗତ ୧୯ ବର୍ଷ ଧରି ଓଡ଼ିଶା ରାଜ୍ୟକୁ ଶାସନ କରୁଥିବା ବିଜେଡ଼ି ସରକାରରେ ଥିବା ମୁଖ୍ୟ ପୁରୋଧା ନବୀନ ପଟ୍ଟନାୟକ ନିଃସପକ୍ଷ ଭାବରେ ନିଜର ଶାସନ ଜାରି ରଖିଛନ୍ତି ।

ଶାସନ ମାନେ କାହାକୁ ନିଜ ଅଧିନକୁ ଆଣି ନିଜର ଚାଟୁକାର ବନାଇବା ସେପରି ନୁହେଁ । ନିଜ ପରିବାର ଭଳି ରାଜ୍ୟର ଜନସାଧାରଣଙ୍କୁ ଉଚିତ୍ ନ୍ୟାୟ ଓ ପ୍ରାପ୍ୟ ଦେବାରେ ସେ ତିଳେ ମାତ୍ର କୁଣ୍ଠାବୋଧ କରିନଥିବାବେଳେ ଏବେ, ଆଁ ରାକ୍ଷସ ତାଙ୍କ ଗାଦିକୁ କବଳିତ କରିବା ପାଇଁ ଚକ୍ରବ୍ୟୁହ ପ୍ରସ୍ତୁତ କରିସାରିଛି । ଏଥିପାଇଁ ସମ୍ପୃକ୍ତ ଦଳ କିଛି ପ୍ରଶାସକଙ୍କୁ ନିଜ ଦଳରେ ସାମିଲ କରି ସଙ୍କୁନି ମାମୁଁର ଗୋଟି ଚାଳନାକୁ ସାବ୍ୟସ୍ତ କରିବାରେ ଆଉ ପାଦେ ଆଗକୁ ବଢ଼ିଯାଇଛି । ବିଗତ ଦିନରେ ଓଡ଼ିଶା ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆୟୁଦ୍ଧ କରି ଯେଉଁ ଦଳ ୧୯ ବର୍ଷର ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଲକ୍ଷ୍ୟ ରଖିଥିଲା, ଏବେ ଏହି ରଣନିତୀରେ କିଛିଟା ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଦିନେ ଓଡ଼ିଶାର କ୍ଷମତାରେ ଥିବା ବିଜେଡ଼ି ଦଳ କେତେକ ପ୍ରଶାସକଙ୍କୁ ନିଜ ଦଳରେ ସାମିଲ କରିବାକୁ ନେଇ ସମାଲୋଚନାର ପରିଧି ମଧ୍ୟକୁ ଚାଲିଆସିଥିଲା । ଆଜି ଆମେ କେନ୍ଦ୍ରର ଯେଉଁ ଦଳ ବିଷୟରେ ଆଲୋଚନା କରୁଛେ, ସେହି ଦଳର କିଛି ନେତା ବିଜେଡ଼ିକୁ ଏହି ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଟାଣି ଆଣିଥିଲେ ।

ହେଲେ ଏବେ ପ୍ରଶ୍ନ ଉଠୁଛି ଯେ, ଯେଉଁ ଦଳ ଦିନେ ଏହି ପ୍ରଶ୍ନକୁ ନେଇ ବିଜେଡିକୁ ଓଡ଼ିଶାବାସୀଙ୍କ ନିକଟରେ ସମାଲୋଚନାର ଶିକାର କରିବାକୁ ଚେଷ୍ଟା କରୁଥିଲା, ସେ କ’ଣ କରୁଛି? ଏଠାରେ ସମାଲୋଚନା କରିବା ଆମ ପକ୍ଷେ ଯୁକ୍ତିଯୁକ୍ତ ନୁହେଁ, ତଥାପି ଏକ ଗଣତନ୍ତ୍ର ରାଷ୍ଟ୍ରର ନାଗରିକ ହିସାବରେ ସମସ୍ତଙ୍କୁ କହିବାର ଅଧିକାର ଥାଏ । ଏହି ପରିପ୍ରେକ୍ଷୀରେ ଆମେ କେବଳ ଏତିକି କହିବୁ, ବିଗତ ୪ବର୍ଷ ଧରି ଓଡ଼ିଶା ମାଟିରେ ପଦ୍ମ ଫୁଟାଇବା ପାଇଁ ଯେଉଁ ନେତା ଅହରହ ଚେଷ୍ଟା ଚଳାଇଥିଲେ, ତାଙ୍କୁ ସମ୍ପୃକ୍ତ ଦଳ ଅଣଦେଖା କରି ଜଣେ ସୁନାମଧନ୍ୟା ପ୍ରଶାସକଙ୍କୁ ମହିମା ମଣ୍ଡନ କରିବା କେତେ ଦୂର ଗ୍ରହଣୀୟ? ଧର୍ମେନ୍ଦ୍ର ଓଡ଼ିଶା ମାଟିର ସମ୍ପୃକ୍ତ ପ୍ରଶାସିକା ସେ ବି ମଧ୍ୟ ଓଡ଼ିଶା ମାଟିର ଓଡ଼ିଶା ପାଇଁ ଯିଏ ବି ମୁଖ୍ୟ ହୋଇ ଆସୁ, ସେ ଗ୍ରହଣୀୟ । କିନ୍ତୁ ଏଠାରେ ଆମେ କହି ରଖିବାକୁ ଚାହିଁବୁ ଯେ, ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସରକାର ଓଡ଼ିଶାକୁ ମରୁଭୂମି କରିବା ପାଇଁ ଯେତେବେଳେ ମହାନଦୀର ଉପର ମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ କରି ଚାଲିଲେ, ସେତେବେଳେ ଓଡ଼ିଶା ସରକାରଙ୍କ ସମେତ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ ମଧ୍ୟ କେନ୍ଦ୍ରରେ ଥିବା ସରକାରଙ୍କ ଦଳର କିଛି ନେତା ଏହି ଓଡ଼ିଶାରେ କୁମ୍ଭୀର କାନ୍ଦଣା କରୁଥିଲେ । ସେତେବେଳେ ଓଡ଼ିଶାବାସୀଙ୍କ ଦୁଃଖ ନା’ କେନ୍ଦ୍ରକୁ ଦେଖାଯାଇଥିଲା ନା’ ତାଙ୍କ ନେତାମାନଙ୍କୁ ।

ବିଗତ ୧୯ ବର୍ଷ ଧରି ଓଡ଼ିଶାବାସୀଙ୍କ ସୁଖ ଦୁଃଖରେ ସାଥି ହୋଇ ରହିଥିବା ନବୀନ ସରକାରଙ୍କୁ ଏଠାରେ ଗାଦିଚ୍ୟୁତ କରିବା ପାଇଁ ଯେଉଁ ଯୋଜନା କରାଯାଉଛି ତାହା ହୁଏତ ପରବର୍ତ୍ତୀ ସମୟରେ ଗ୍ରହଣୀୟ ହୋଇପାରେ । କାହିଁକି ନା ଜନତା ସବୁବେଳେ ସରକାରଙ୍କଠାରୁ ନିଜ ଅଧିକାର ପାଇବାକୁ ଚାହିଁଥାଏ । ତେବେ ଏଠାରେ ଏହି ଉକ୍ତି କେତେ ଯେ ଫଳ ପ୍ରଦ ହେବ ତାହା ଆମେ ପୋଲାଭରମ ଠୁ ନେଇ ମହାନଦୀର ଉପର ମୁଣ୍ଡରେ ହୋଇଥିବା ବନ୍ଧ ଗୁଡିକର ପର୍ଯ୍ୟାଲୋଚନାକୁ ସମୀକ୍ଷା କରିବା ପରେ ଅନୁମାନ କରିପାରିବା । ତେବେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ କରୁଥିବା ଲଢ଼େଇ କ’ଣ ସମ୍ପୃକ୍ତ ଦଳ ପାଇଁ ସନ୍ତୋଷଜନକ ହୋଇନଥିଲା? ସେଥିପାଇଁ ଦଳ ପକ୍ଷରୁ ଜଣେ ପ୍ରଶାସିକାଙ୍କୁ ଆଗ ଧାଡ଼ିରେ ଠିଆ କରାଇବା କେତେ ଦୂର ଯଥାର୍ଥ ତାହା କେବଳ ସମୟ କହିବ ।