ତାଳଚେରର ବିକାଶରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି:ଧର୍ମେନ୍ଦ୍ର

Straight to the Point

ତାଳଚେର: ତାଳଚେରରର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବାଧକ ସାଜୁଥିବାରୁ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ମେଡିକାଲ କଲେଜ ଏବଂ ଏନ୍ଟିପିସି ପରିଚାଳନାଧିନ ତାଳଚେର ଥର୍ମାଲର ସମ୍ପ୍ରସାରଣ କାର୍ଯ୍ୟ ହୋଇ ପାରୁ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଥିଲା ବେଳେ ହୀନ ରାଜନୀତି ଯୋଗୁଁ ଏହା ସମ୍ଭବପର ହୋଇପାରୁ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ, ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଛନ୍ତି । ତାଳଚେରରେ ଥିବା ପୂରାତନ ସାଂସ୍କୃତିକ ଅନୁଷ୍ଠାନ କିଶୋର କ୍ଲବ ପରିସରରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଓଏନ୍ଜିସି ଦ୍ୱାରା ନିର୍ମାଣ ହେବାକୁ ଥିବା ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦେଇ ତାଳଚେର ପରିଚୟରେ ସେ ଆଜି ଏହି ସ୍ଥାନରେ ପହଞ୍ôଚ ପାରିଛି ବୋଲି କହିବା ସହ ତାଳଚେରର ଗୌରବ ଓ ସୁନାମକୁ ବଦନାମ କରିବି ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

ଭାରତ ତଥା ଓଡିଶାର ତହବିଲକୁ ତାଳଚେର କୋଇଲା, ରେଳ ଓ ବିଦ୍ୟୁତ ଶକ୍ତିରୁ ହଜାର ହଜାର କୋଟି ଟଙ୍କା ଯାଉଥିଲା ବେଳେ ତାଳଚେର ତାର ପ୍ରକୃତ ହକ୍ ପାଇପାରୁ ନାହିଁ । ଜିଲ୍ଲା ଖଣିଜ ପାଣ୍ଠିରେ ୨୦୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ରହିଥିଲା ବେଳେ ରାଜ୍ୟର ୧୮ ବର୍ଷର ସରକାର ତାଳଚେର ମୌଳିକ ସୁବିଧା ପାଇଁ କୌଣସି ଅର୍ଥ ମଞ୍ଜୁର କରୁ ନାହାନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିବା ସହ ତାଳଚେରର ପୁରୁଣା ଯୁବରାଜ ହାଇସ୍କୁଲଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁଗୋଳ ଜିଲ୍ଲାପାଳ ଜମି ଯୋଗାଇ ଦେଉ ନଥିବାରୁ ଏହି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ପାରୁ ନାହିଁ । ସେହିପରି ଏନ୍ଟିପିସି ପରିଚାଳନାଧିନ ତାଳଚେର ଥର୍ମାଲର ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲା ବେଳେ ରାଜ୍ୟ ସରକାର ବିଦ୍ୟୁତ ଦରକୁ ନେଇ ଏହି ପ୍ଲାଣ୍ଟ ପାଇଁ ଅନୁମତି ନ ଦେବା ଏକ ହୀନ ରାଜନୀତି ବୋଲି କେନ୍ଦ୍ରମନ୍ତ୍ରୀ ଖୋଲାଖୋଲି ଭାବେ ସମାଲୋଚନା କରିଥିଲେ । ଏମସିଏଲ ଦ୍ୱାରା ତାଳଚେରରେ ୫୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ତାଳଚେର ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା ବେଳେ ରାଜ୍ୟ ସରକାର ଏମ୍ସିଆଇ (ମେଡିକାଲ କାଉନ୍ସିିଲ ଅଫ୍ ଇଣ୍ଡିଆ) କୁ ଅନୁମତି ପାଇଁ ଚିଠି ଖଣ୍ଡିଏ ଦେଉ ନାହାଁନ୍ତି କିମ୍ବା ଏଥିପ୍ରତି କୌଣସି ଆନ୍ତରିକତା ମଧ୍ୟ ଦେଖାଉ ନଥିବା ଅଭିଯୋଗ କରିଥିଲେ ।

ତାଳଚେର ରାଜ ଦରବାରରେ ମୁଖଶାଳା ତଥା ସିଂହଦ୍ୱାର ଏବଂ ଫାଷ୍ଟଗେଟ୍ ଓ ଘୋଡାଶାଳ ଗେଟର ପୁନରୁଦ୍ଧାର ପାଇଁ ଏମସିଏଲ୍ ଓ ଏନ୍ଜିସି ପକ୍ଷରୁ କରାଯିବା ପାଇଁ ଉଭୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ ଏବଂ କିଶୋର କ୍ଲବଠାରେ ଥିବା ଲାଇବ୍ରେରୀ କୁ ଇ-ଲାଇବ୍ରେରୀରେ ପରିଣତ କରିବା ପାଇଁ ଏମସିଏଲ ପକ୍ଷରୁ କରାଯିବା ପାଇଁ କହିଥିଲେ । ରାଜ୍ୟରେ ୨୫ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ଧର୍ମେନ୍ଦ୍ର ନାଁ ନେଇଯିବା ଭୟରେ ଏହି ଜାତୀୟ ରାଜପଥ କାର୍ଯ୍ୟକୁ କରିବା ପାଇଁ ରାଜ୍ୟ ସରକାର ରାଜି ହେଉ ନାହାନ୍ତି ବୋଲି ସେ କହିଥିଲେ ।

ଶିଳାନ୍ୟାସ ପାଇଁ ଅନୁଷ୍ଠିତ ସଭାରେ ତାଳଚେରର ରାଜା ସାହେବ ରାଜେନ୍ଦ୍ର ଚନ୍ଦ୍ର ଦେବ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଦୀପକ କୁମାର ଥମ୍ବ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପୂର୍ବତନ ରାଜ୍ୟସଭା ସସଦ୍ୟ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଓଏନ୍ଜିସିର ମହାପ୍ରବନ୍ଧକ ବି. କେ. କାଲେ, ଏମସିଏଲର ବୈଷୟିକ ନିର୍ଦ୍ଦେଶକ ଜେ.ପି. ସିଂହ, କାର୍ମିକ ନିର୍ଦ୍ଦେଶକ ଲୀଳାନନ୍ଦ ମିଶ୍ର, କାର୍ଯ୍ୟକାରୀ ସଭାପତି ପେଷ୍କାର ଗଡନାୟକ, ଧୀରେନ୍ ଶତପଥୀ, ପ୍ରକାଶ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ୍ଲବର ନୂତନ ଲାଇବ୍ରେରୀ ହଲ ଓ ଫାଟକକୁ ଉଦ୍ଘାଟନ କରିଥିଲେ । ଶ୍ରୀ ପ୍ରଧାନଙ୍କୁ ଏକ ଶୋଭାଯାତ୍ରାରେ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ।

error: Thank You Keep Visiting