ମାତୃଶକ୍ତି ପରମାଣୁ ଠାରୁ ବେଶି ଶକ୍ତିଶାଳୀ : ରାଜ୍ୟପାଳ
ଭୁବନେଶ୍ୱର : ଭାରତୀୟ ସଂସ୍କୃତି ଓ ପରମ୍ପରାରେ ସର୍ବଦା ନାରୀକୁ ପ୍ରାଧାନ୍ୟ ଦିଆଯାଇଛି । କିନ୍ତୁ ପାଶ୍ଚାତ୍ୟ ଦେଶକୁ ଅନୁକରଣ କରି ଆମେ ମହିଳାଙ୍କୁ ଭୋଗ୍ୟ ବସ୍ତୁ ରୂପେ ବିବେଚନ କରୁଛୁ । ଆମେ ଭାରତମାତା କି ଜୟ କହୁଛୁ କିନ୍ତୁ ଅପର ପକ୍ଷରେ ମହିଳାଙ୍କ ପ୍ରତି ହିଂସା ଆଚରଣ କରୁଛୁ । ନାରୀକୁ ସମ୍ମାନ ଦେଇପାରିଲେ ହିଁ ପ୍ରକୃତ ବିକାଶ ସମ୍ଭବ ବୋଲି ଭୁବନେଶ୍ୱର ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ମହିଳା ଓ ଶିଶୁ ଅଧିକାର ସମ୍ପର୍କିତ ଜାତୀୟ ସମ୍ମିଳନୀର ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଥିଲେ ।
ସେ ମଧ୍ୟ ପୁରାଣର ବିଭିନ୍ନ ଉଦାହରଣ ଦେଇ ନାରୀ କିପରି ଅନିଷ୍ଟ ଶକ୍ତି ବିନାଶ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତା’ଉପରେ ବିସ୍ତୃତ ବ୍ୟାଖ୍ୟାନ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ମହିଳା, ମହିଳାଙ୍କର ସହଯୋଗୀ ହେବା ଉଚିତ ବୋଲି ମତ୍ୟବକ୍ତ କରିବା ସହ ମହାତ୍ମା ଗାନ୍ଧୀ କିପରି ସ୍ୱାଧୀନ ଭାରତରେ ମହିଳାମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବରେ ସୁପ୍ରିମ କୋର୍ଟର ବିଶିଷ୍ଟ ଆଇନ୍ଜୀବି ମାନସ ମହାପାତ୍ର ମହିଳାମାନେ ସଶକ୍ତି ହେବା ସହ ସଚେନତାର ଆବଶ୍ୟକତା ଅଛି ବୋଲି ଜୋର ଦେଇ କହିଥିଲେ । ଯେକୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରେଷ୍ଠତ୍ୱ ପଛରେ ମାତୃଶକ୍ତିର ଅବଦାନ ରହିଛି ବୋଲି ସେ କହିଥିଲେ । କ୍ଷମତା, ଅର୍ଥ ଓ ପରଶ୍ରିକାତରତା ଆମକୁ ଈର୍ଷା ପରାୟଣ କରିଦେଇଛି ଯେଉଁଥିପାଇଁ ସମାଜରେ ହିଂସା ବୃଦ୍ଧିପାଉଛି । ଝିଅମାନେ ପୁଅଙ୍କ ଠାରୁ ଶିକ୍ଷା କ୍ଷେତ୍ରରେ ଅଧିକ ସଫଳତା ହାସଲ କରିପାରୁଛନ୍ତି କିନ୍ତୁ ଅପର ପକ୍ଷରେ ନାରୀଙ୍କୁ ଅବଳା, ଦୁର୍ବଳା କହିବା ଲଜ୍ଜାଜନକ ବୋଲି ସେ କହିଥିଲେ । ମହିଳା ଓ ଶିଶୁମାନଙ୍କର ବିକାଶ ନ ହେଲେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିବ ବୋଲି ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଥିଲେ । ମା’, ମାଟି ଓ ମାତୃଭାଷା ପରସ୍ପର ଜଡ଼ିତ ।
ମହିଳାଙ୍କ ସଶକ୍ତିକରଣ ହୋଇପାରିଲେ ଦେଶ ବିକାଶ ହୋଇପାରିବ ବୋଲି ସେ କହିଥିଲେ । ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀମତୀ ମୀରା ଦାସ ଅଧିକାର ସହ କର୍ତ୍ତବ୍ୟବୋଧ ଉପରେ ନିଜର ମତାମତ ଦେଇଥିଲେ । ମହିଳା ଓ ଶିଶୁମାନଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା ଉଦ୍ବେଗଜନକ ବୋଲି କହିଥିଲେ । ଷ୍ଟେଟ୍ ପ୍ରୋଗ୍ରେସିଭ୍ ୱିମେନ୍ସ ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଦେବଯାନୀ ପ୍ରଧାନ ପରି·ଳନା କରିଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ମାନବାଧିକାର ପ୍ରବକ୍ତା ମନୋଜ ଜେନା, ପୂର୍ବତନ ସାଂସଦ ମୀରା ଦାସ, ସସ୍ମିତା ସାହୁ (ପୁରୀଜିଲ୍ଲା ଏସ୍ଏଜିଜି) ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମହାମହୀମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।
ମହିଳା ଓ ଶିଶୁ ଅଧିକାର ସମ୍ପର୍କିତ ‘ସହେଲି’ର ସ୍ୱତନ୍ତ୍ର ସଂଖ୍ୟାକୁ ମହାମହୀମ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ୫୦୦ରୁ ଉଦ୍ଧ୍ୱର୍ ମହିଳା ନେତୃବୃନ୍ଦ, ମହିଳା ଓ ଶିଶୁ ଅଧିକାର କର୍ମୀ ଯୋଗ ଦେଇଥିଲେ । ଦୁଇଦିନିଆ ଏହି ମହିଳା ସମାବେଶକୁ ଶିଶୁ ଓ ମହିଳା ଅଧକାର କର୍ମୀ ନିରୁପମା ରଥ, ମୀନାକ୍ଷୀ ପୃଷ୍ଟି, ବାସନ୍ତୀ ସାହୁ, ପୁଷ୍ପାଞ୍ଜଳି ପାଙ୍ଗୀ, ମିନତୀ ଲେଙ୍କା, ସରୋଜିନୀ, ମାନସୀ, ମୀନତି ମିଶ୍ର ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।