ଧୀରେ ଧୀରେ ରକ୍ତଶୂନ୍ୟ ହୋଇଛି ରକ୍ତ ଭଣ୍ଡାର

Straight to the Point

ଅନୁଗୋଳ : ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ରାଜ୍ୟର ୫୫ ଟି ରକ୍ତ ଭଣ୍ଡାର ସରକାରୀ ମାନ୍ୟତା ପାଇଥିଲେ ମଧ୍ୟ ଏଥିରେ କାର୍ଯ୍ୟରତ ପ୍ରାୟ ୧୮୦ ଅସ୍ଥାୟୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି କରି ନଥିବାରୁ ୫ ଦଫା ଦାବି ନେଇ ଗତ ୨୬ ତାରିଖରୁ ରାଜ୍ୟର ସମସ୍ତ ରକ୍ତ ଭଣ୍ଡାର କର୍ମଚାରୀମାନେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିଠାରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣାରେ ବସିଛନ୍ତି । ଏହି ଧର୍ମଘଟରେ ଅନୁଗୋଳ ରକ୍ତ ଭଣ୍ଡାରର ୧୨ ଜଣ କର୍ମଚାରୀ ମଧ୍ୟ ସାମିଲ ହୋଇଥିବା ରକ୍ତ ଭଣ୍ଡାର ପକ୍ଷରୁ ଜଣା ପଡିଛି ।

ତେବେ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଦ୍ୱାରା ନିଯୁକ୍ତି ୬ ଜଣ କର୍ମଚାରୀ ଓ ଡାକ୍ତରଖାନାର କର୍ମଚାରୀ କାମ ସମ୍ଭାଳୁଥିବା ବେଳେ କର୍ମଚାରୀ ଧର୍ମଘଟରେ ଥିବାରୁ ରକ୍ତଦାନ ଶିବିରର ଆୟୋଜନ ହୋଇ ପାରୁ ନାହିଁ । ଫଳରେ ରକ୍ତ ସରି ସରି ଯାଉଛି । ନଭେମ୍ବର ୨୬ ଧର୍ମଘଟକୁ ଅନୁଗୋଳ ରକ୍ତ ଭଣ୍ଡାର କର୍ମଚାରୀ ଯୋଗଦେବାକୁ ଯିବା ସମୟରେ ରକ୍ତ ଭଣ୍ଡାରରେ ୨୭୦ ୟୁନିଟ୍ ରକ୍ତ ଗଚ୍ଛିତ ଥିବା ବେଳେ ଦୈନିକ ୨୦ ରୁ ୨୫ ୟୁନିଟ୍ ରକ୍ତ ରୋଗୀଙ୍କ ନିମନ୍ତେ ଦିଆ ଯାଉଛି । ଫଳରେ ତାହା କମି କମି ଡିସେମ୍ବର ୪ ସୁଦ୍ଧା ମାତ୍ର ୧୦୦ ୟୁନିଟ୍କୁ ହ୍ରାସ ପାଇଛି । ଏପଟେ କର୍ମଚାରୀ ଧର୍ମଘଟରେ ଥିବାରୁ ରକ୍ତଦାନ ଶିବିର ମାନ ଆୟୋଜନ ହୋଇ ପାରୁ ନାହିଁ । ତେବେ ରୋଗୀଙ୍କୁ ରକ୍ତ ଯୋଗାଇ ଦିଆଯାଉଥିବା ବେଳେ ଆଗକୁ ଗଚ୍ଛିତ ସରିଗଲେ ରୋଗୀ ହଇରାଣ ହେବାରେ ଯଥେଷ୍ଟ ସମ୍ଭାବନା ରହିଛି ।

ଏ ସମ୍ପର୍କରେ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବିଶ୍ୱଜିତ୍ ସାମଲଙ୍କ ସହ ଯୋଗାଯୋଗ କରିବାରୁ ସେ ମଙ୍ଗଳବାର ଧର୍ମଘଟ ପ୍ରତ୍ୟାହୃତ ହୋଇଛି , ତେଣୁ ସେମାନେ ଫେରିଲେ ବୁଧବାରଠାରୁ ଅର୍ନ୍ତବିଭାଗ ରକ୍ତଦାନ ଶିବିର ଆୟୋଜନ କରାଯାଇ ରୋଗୀଙ୍କୁ ରକ୍ତ ଯୋଗାଇ ଦିଆଯିବା ସହିତ ରକ୍ତ ଅଭାବ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଥିଲେ ।

error: Thank You Keep Visiting