“୨୬ରେ ବିଜେଡିର ପ୍ରତିଷ୍ଠା ଦିବସ”,ମିଶିବେ ୫ହେବିୱେଟ ନେତା!
କଟକ: ଡିସେମ୍ବର ମାସ ୨୬ତାରିଖରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏହିଦିନ ଦଳରେ ରାଜ୍ୟର ୫ହେବିୱେଟ ନେତା ମିଶିବା ନେଇ ସୂଚନା ମିଳିଛି । ଏମିତି ବି ଉକ୍ତ ନେତାମାନଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେଡିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥିବା ଚର୍ଚ୍ଚା ହେଉଛି ।ଦଳର ପାୱାର ହାଉସ୍ ବୋଲାଉଥିବା ତୃତୀୟ ମହଲା ମଧ୍ୟ ଏହାକୁ ଗ୍ରୀନ ସିଗ୍ନାଲ ଦେଇଥିବା ଜଣାପଡ଼ିଛି ।ତେବେ ଏହି ୫ନେତାଙ୍କ ମଧ୍ୟରେ ଆଗରେ ରହିଛନ୍ତି, ସଦ୍ୟ ପଦ୍ମ ଛାଡିଥିବା ଦିଲୀପ ରାୟ ଏବଂ ବିଜୟ ମହାପାତ୍ର । ଦିଲୀପ ଦଳରେ ସାମିଲ ହେବା ପରେ ତାଙ୍କୁ ରାଜ୍ୟସଭା ପଠାଯିବାନେଇ ଯୋଜନା କରାଯାଇଥିବା ଆଲୋଚନା ଜୋର ଧରିଛି ।
ଅପରପକ୍ଷରେ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତଙ୍କୁ ମାତ୍ ଦେବାପାଇଁ ବିଜୟ ମହାପାତ୍ରଙ୍କୁ ଦଳ ଟିକେଟ ଦେଇପାରେ ବୋଲି କୁହାଯାଉଛି । ଏମାନଙ୍କ ବ୍ୟତୀତ ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା, କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଓ ଝାରସୁଗୁଡା ବିଧାୟକ ନବ ଦାସ ମଧ୍ୟ ଆସନ୍ତା ୨୬ତାରିଖ ଦିନ ବିଜୁଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗଦେବେ।ତେଣୁ କଂଗ୍ରେସର ଏହି ୩ବିଧାୟକ ବିଜେଡି ଟିକେଟରେ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦିତା କରିବା ନେଇ ସୂଚନା ମିଳିଛି ।ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ରାଜ୍ୟର ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣକୌଶଳ ଆପଣେଇବେ । ତେବେ ଏହି କ୍ଷେତ୍ରରେ ଶାସକ ବିଜେଡି କଂଗ୍ରେସ ଏବଂ ବିଜେପି ଠାରୁ ଦୁଇପାଦ ଆଗରେ ଥିବା ସାରା ରାଜ୍ୟରେ ଚର୍ଚ୍ଚା ହେଉଛି ।