ଡ୍ରୋନ୍ ଉଡ଼ାଣକୁ ନେଇ ଜାରି ହେଲେ କଟକଣା

Straight to the Point

ଭୁବନେଶ୍ୱର: ଆକାଶରେ ଡ୍ରୋନ୍ ଉଡ଼ାଣକୁ ନେଇ ଜାରି ହୋଇଛି ନୂଆ ନିୟମ । ୨୫୦ ଗ୍ରାମରୁ କମ୍ ଓଜନର ନାନୋ ଡ୍ରୋନ୍ ମାଲିକ ଥାନାରୁ ଏଥିପାଇଁ ଅନୁମତି ଆଣିବେ । କିନ୍ତୁ ୨୫୦ ଗ୍ରାମରୁ ଅଧିକ ଓଜନର ଡ୍ରୋନ୍ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିବ । ଗତ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଜାରି ପରେ ଏବେ ଓଡ଼ିଶା ପୋଲିସ ବିଭାଗ ଘରୋଇ ଡ୍ରୋନ୍ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି । ଓଡ଼ିଶାରେ ପ୍ରାୟ ୫୦୦ ଘରୋଇ ଡ୍ରୋନ ଉଡ଼ାଣ କରାଯାଉଥିବା ରିପୋର୍ଟ ମିଳିଛି । ଡ୍ରୋନର ଓଜନ ଅନୁଯାୟୀ, ସେମାନେ ନୂଆ ନିୟମ ପାଳନ କରିବାକୁ ବାଧ୍ୟ ।

ନିୟମ ଖିଲାପ କରି କୌଣସି କାର୍ଯ୍ୟକ୍ରମରେ ଡ୍ରୋନ୍ ଉଡ଼ିଲେ ସମ୍ପୃକ୍ତ ଡ୍ରୋନ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶାରେ ମୁଖ୍ୟତଃ ଝାରସୁଗୁଡ଼ା, ରାଉରକେଲା, ପୁରୀ, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଭଳି ଜିଲ୍ଲାରେ ପ୍ରାୟ ୫୦୦ ଘରୋଇ ହେଲିକ୍ୟାମ୍ ବା ଡ୍ରୋନ୍ ଉଡ଼ାଣ କରୁଛି । ତା ବାଦ୍ ପୁଲିସ ବିଭାଗ ପକ୍ଷରୁ ଦୁଇଟି ଡ୍ରୋନ୍ କିଣାଯାଇଛି । ଉକ୍ତ ସରକାରୀ ଡ୍ରୋନ୍ ଦୁଇଟି ବିଛିନ୍ନାଞ୍ଚଳରେ ମାଓ ଅପରେସନରେ ବ୍ୟବହାର କରାଯାଉଥିବାବେଳେ ଘରୋଇ ଡ୍ରୋନ୍ ଓଡ଼ିଶାରେ ବିବାହ କାର୍ଯ୍ୟକ୍ରମ, ରିଅଲିଟି ସୋ, ରାଜନୈତିକ ସଭା, ସିନେମା ଓ ସିରିଏଲ୍ ସୁଟିଂ, ସରକାରୀ କ୍ଷେତ୍ରରେ ପ୍ରାମାଣିକ ଚଳଚ୍ଚିତ୍ରରେ ବ୍ୟବହାର କରାଯାଉଛି । ଏହାର ଉଡ଼ାଣ ଉପରେ ପୂର୍ବରୁ ସେଭଳି କେଣସି କଟକଣା ନଥିଲା ।

ଆକାଶରେ ଉଡ଼ାଣ ସହିତ ଚିତ୍ର ଉତ୍ତୋଳନ କରୁଥିବାରୁ ବ୍ୟକ୍ତିର ଗୋପନୀୟତା କ୍ଷୁର୍ଣ୍ଣ ହେବାର ଅଭିଯୋଗ ଉଠିଥିଲା । ଏସବକୁ ଦୃଷ୍ଟିରେ ରଖାଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗତ ୧ ତାରିଖରୁ ଡ୍ରୋନର ପଞ୍ଜିକରଣ ପାଇଁ ୱେବେସାଇଟ୍ ପ୍ରଥମ ଥର ଖୋଲାଯାଇଛି । ଆକାଶରେ ଉଡ଼ାଣ ଦ୍ୱାରା କେଣସି ବ୍ୟକ୍ତିଙ୍କ ଗୋପନୀୟତା କୌଣସି ପରିସ୍ଥିତିରେ ଯେପରି କ୍ଷୁର୍ଣ୍ଣ ହେବ ନାହିଁ, ସେ ସଂକ୍ରାନ୍ତରେ ଡ୍ରୋନ୍ ମାଲିକ ଥାନାରେ ଲିଖିତ ଭାବେ ଅବଗତ କରାଇବେ । ବିନା ଅନୁମତିରେ ଉଡ଼ାଣ କଲେ ଡ୍ରୋନକୁ ବେଆଇନ ବୋଲି ଘୋଷଣା କରାଯିବା ସହ ସମ୍ପୃକ୍ତ ଡ୍ରୋନ୍ ମାଲିକଙ୍କ ବିରୋଧରେ ପୋଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

error: Thank You Keep Visiting