ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରୁ ଛାତ୍ରୀ ନିଖୋଜ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣା ପଳାଶପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢୁଥିବା ଆଦିବାସୀ ଛାତ୍ରୀ ମାଇନି ମୁଣ୍ଡା ଆଜକୁ ଏକ ମାସରୁ ଉର୍ଦ୍ଧ ହେବ ହଷ୍ଟେଲରୁ ନିଖୋଜ ହୋଇଥିବା ପରିବାର ପକ୍ଷରୁ ଦୈତାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ଝିଅକୁ ଚଳିତ ବର୍ଷ ଅକ୍ଟୋବର ମାସ ୩୦ତାରିଖରେ ଛାତ୍ରୀର ମାଆ ଓ ଭାଇ ସ୍ଥାନୀୟ ହଷ୍ଟେଲରେ ଛାଡି ଆସିଥିଲେ । ଛାଡି ଆସିବାର ୫ଦିନପରେ ଝିଅର ଡ୍ରେସ ଓ କମ୍ବଳ ନେଇ ବିଦ୍ୟାଳୟକୁ ମାଆ ଯାଇଥିଲା । ସେହି ସମୟରେ ଜାଣିବାକୁ ପାଇଥିଲେ ହଷ୍ଟେଲରୁ ଝିଅ ନିଖୋଜ ହୋଇ ଯାଇଛି ।
ଛାତ୍ରୀର ମାଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଝିଅ ବିଷୟରେ ପଚାରିବାରୁ ଝିଅକୁ ତୁମେ ହଷ୍ଟେଲରେ ଛାଡି ନାହଁ ବୋଲି କହିଥିଲେ । ଏଠି ସାଧାରଣରେ ପ୍ରଶ୍ନ ଉଠୁଛି କିଏ ସତ କହୁଛି । ଏପଟେ ଆଜକୁ ଦୀର୍ଘଦିନ ହେବ ପରିବାର ପକ୍ଷରୁ ଦୈତାରୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଥାନାରୁ ସନ୍ତୋଷ ଜନକ ଉତ୍ତର ପାଇ ପରିନଥିବା କହିଥିଲେ ପରିବାର ବର୍ଗ । ଆଦିବାସୀ ହଷ୍ଟେଲ କର୍ମଚାରୀମାନଙ୍କ ଖାମଖିଆଲି ମନୋଭାବ ପାଇଁ ଏପରି ଘଟଣା ମାନ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି ।
ଏଠି ପ୍ରଶ୍ନ ଉଠୁଛି ଛାତ୍ରୀ ଜଣଙ୍କ ଗଲା କୁଆଡେ? ସତରେ କଣ ମାଇନି ହଷ୍ଟେଲରେ ରହୁନଥିଲା, ନା ଚଞ୍ଚକତା କରି ହଷ୍ଟେଲର ପୁରୁଣା କାଗଜପତ୍ରକୁ ଜାଣିଶୁଣି ନଷ୍ଟ କରିଦେବା ସହିତ ତାହାର ନାମ କାଟି ଦିଆଯାଇଛି । ଏପରି ଘଟଣାକୁ ଦେଖିଲେ ଘଟଣା ଭିତରେ ନିଶ୍ଚିତ କିଛି ନା କିଛି ରହସ୍ୟ ଲୁଛି ରହିଥିବା ଜଣା ପଡୁଛି । ଏ ସମସ୍ତ ପ୍ରଶ୍ନର ଉତ୍ତର ପୋଲିସର ତଦନ୍ତ ପରେ ଜଣା ପଡିବ । ଆଗକୁ ଦେଖିବାର ବାକି ରହିଲା ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି ।