ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ
ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା( ଡିଆରଡିଏ)ରେ କମ୍ପ୍ୟୁଟର ପ୍ରୋଗ୍ରାମର ଥିବା ସନ୍ଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ଆୟ ବହିଭୂତ ସମ୍ପତିି ଠୁଳ କରିବା ଅଭିଯୋଗରେ ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଏକକାଳୀନ ଶ୍ରୀ ମହାନ୍ତିଙ୍କ ସରକାରୀ କାର୍ଯ୍ୟାଳୟ ସହିତ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘରେ ଚଢାଉ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଡିଆରଡିଏ କାର୍ଯ୍ୟାଳୟରେ କମ୍ପ୍ୟୁଟର ପ୍ରୋଗ୍ରାମର ଥିବା ସନ୍ଦୀପ ମହାନ୍ତିଙ୍କ ନାମରେ ଆୟ ବହିର୍ଭୂତ ସମ୍ପତିି ଆହରଣ କରିବା ନେଇ ଅଭିଯୋଗ ଥିଲା । ଏହି ଅଭିଯୋଗ ଭିତିିରେ ବୁଧବାର ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଧେଶକ୍ରମରେ ୫ଟି ଟିମ୍ ଏକକାଳୀନ ଭଦ୍ରକ ଡିଆରଡିଏ କାର୍ଯ୍ୟାଳୟରେ ଶ୍ରୀ ମହାନ୍ତିଙ୍କ ଅଫିସ, ଭଦ୍ରକ ଅସ୍ତଳସ୍ଥିତ ପୈତୃକ ଘର, ଭଦ୍ରକ କୁଆଁସସ୍ଥିତ ଶ୍ୱଶୁର ଘର, ପୁରୀସ୍ଥିତ ଘର, ଭୁବନେଶ୍ୱରସ୍ଥିତ ଘରେ ଚଢାଉ କରିଛନ୍ତି । ତେବେ ଭିଜିଲାନ୍ସ ପକ୍ଷରୁ ଚଢାଉରେ କଣ ମିଳିଛି ସେ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ।