ଏମ୍ସ ହସ୍ପିଟାଲ ଯାଇ ନୂଆପଡା ଜିଲ୍ଲାର ଲକ୍ଷ୍ମଣ କୁମ୍ଭାରଙ୍କୁ ଭେଟିଲା ରାଜ୍ୟ ବିଜେପି ପ୍ରତିନିଧୀ ଦଳ

Straight to the Point

ଭୁବନେଶ୍ୱର: ରାଜ୍ୟସରକାର ଜନହିତକର ଯୋଜନା କରିବା ସ୍ୱାଗତଯାଗ୍ୟ କିନ୍ତୁ ଏହି ଯୋଜନା ଗୁଡିକର ସଫଳ କାର୍ଯ୍ୟାନ୍ୱୟନ ନହୋଇ କେବଳ ପ୍ରଚାର ସର୍ବସ୍ୱ ଭାବେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନୂଆପଡା ଜିଲ୍ଲାର ଲକ୍ଷ୍ମଣ କୁମ୍ଭାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଲକ୍ଷ୍ମଣ କୁମ୍ଭାରଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାର ଗଣମାଧ୍ୟମରେ ପ୍ରଚାର କରିଥିବାବେଳେ ବାସ୍ତବରେ ଚିକିତ୍ସା ନପାଇ ଶ୍ରୀ କୁମ୍ଭାର ରୋଗ କଷ୍ଟ ସହ ମାନସିକ ଯନ୍ତ୍ରଣା ଭୋଗିଥିଲେ । ରାଜ୍ୟସରକାର ଗରୀବ ଅସହାୟ ଲୋକକୁ କଷ୍ଟ ଦେଇ ଆତ୍ମପ୍ରଚାର କରିଚାଲିଛନ୍ତି । ଏଭଳି ମିଛ ପ୍ରଚାର କରି ମୁଖ୍ୟମନ୍ତ୍ରୀ ବାହା ବାହା ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ନେତ୍ରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।

ସୂଚନା ଥାଉ କି, ନୂଆପଡା ଜିଲ୍ଲାର ଲକ୍ଷ୍ମଣ କୁମ୍ଭାର ହୃଦ ରୋଗରେ ପୀଡିତ ଥିବାବେଳେ ରାଜ୍ୟସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କୁ କୌଣସି ସହାୟତା ଦିଆନଯାଇ ଖବରକାଗଜରେ ମିଥ୍ୟା ବିଜ୍ଞାପନ ପ୍ରକାଶ ପାଇଥିଲା । ଏହି ବିଜ୍ଞାପନକୁ ହିତାଧିକାରୀ ମିଥ୍ୟା ବୋଲି କହି ବର୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ରାଜ୍ୟସରକାରଙ୍କଠାରୁ କୌଣସି ଚିକିତ୍ସା କିମ୍ବା ଗୋଟିଏ ପଇସା ମିଳିନଥିବା କଥା କହିଥିଲେ । କଟକ ମେଡିକାଲକୁ ଉନ୍ନତମାନର ଚିକିତ୍ସା ପାଇଁ ଶ୍ରୀ କୁମ୍ଭାର ତିନି ତିନି ଥର ଆସି ବିନା ଚିକିତ୍ସାରେ ଫେରି ଯାଇଥିଲେ । ଏହି ଘଟଣା ଜାଣିବା ପରେ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ରାଜ୍ୟସରକାରଙ୍କ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ଶ୍ରୀ କୁମ୍ଭାରଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ତୁରନ୍ତ ଏମ୍ସ ହସ୍ପିଟାଲରେ ବ୍ୟବସ୍ଥା କରିଥିଲେ ।

ରାଜ୍ୟସରକାରଙ୍କ ଅବହେଳା କାରଣରୁ ଲକ୍ଷ୍ମଣ କୁମ୍ଭାର ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଆଜି ବିଜେପି ଉପସଭାପତି ସମୀର ମହାନ୍ତି ଏବଂ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଏମ୍ସ ଯାଇ ଲକ୍ଷ୍ମଣ କୁମ୍ଭାରଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତିି । ଲକ୍ଷ୍ମଣ କୁମ୍ଭାରଙ୍କ ଭବିଷ୍ୟତ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହାୟତା ଯୋଗାଇ ଦେବା ପାଇଁ ଏହି ପ୍ରତିନିଧୀ ଦଳ ଏମ୍ସ କର୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।

error: Thank You Keep Visiting