ବଢ଼ୁଛି ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା

Straight to the Point

ଭଦ୍ରକ: ଭଦ୍ରକ, ନିର୍ବାଚନ ଯେତିକି ପାଖେଇ ଆସୁଛି, ଭଦ୍ରକ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳରେ ଟିକେଟ ଆଶାୟୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଚାଲିଛି । ରାଜ୍ୟ ରାଜନିତୀରେ ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ତୃତୀୟ ସ୍ଥାନରୁ ଠେଲି ବିଜେପି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ତେବେ ଚଳିତ ମାସ ୧୧ତାରିଖ ଘୋଷିତ ୫ ବିଧାନସଭା ନିର୍ବାଚନର ଫଳଫଳ ବିଜେପି ବିରୋଧରେ ଯାଇଥିଲେ ମଧ୍ୟ ଏହି ଦଳରୁ ପ୍ରତ୍ରେକ ବିଧାନସଭା କ୍ଷେତ୍ର ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି । ସେହିପରି ଘୋଷିତ ଫଳାଫଳକୁ ନେଇ କଂଗ୍ରେସ ମହଲରେ ହଠାତ୍ ଉତ୍ସାହ ସୃଷ୍ଟି ହେବା ସହ ବିଧାୟକ ପଦ ପାଇଁ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଅପରପକ୍ଷରେ ବିଗତ ୧୮ବର୍ଷ ଧରି ଶାସନ କ୍ଷମତାରେ ଥିବା ଶାସକ ବିଜେଡ଼ି ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅନ୍ୟ ରାଜନୈତିକ ଦଳଙ୍କ ଅପେକ୍ଷା ଆଶାତୀତ ଭାବେ ବୃଦ୍ଧି ପାଇଛି ।

ଯାହାକି ଦଳ ପାଇଁ ନିର୍ବାଚନ ସମୟରେ କ୍ଷତିର କାରଣ ସାଜିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ । ତଥ୍ୟ ଅନୁଯାୟୀ ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ଏବଂ ଏକମାତ୍ର ଲୋକସଭା କ୍ଷେତ୍ର ସକାଶେ ଅନ୍ୟୁନ ଶହେରୁ ଉଦ୍ଧ୍ୱର୍ ଆଶାୟୀ ଏବେ ଟିକେଟ ଦୌଡ଼ରେ ସାମିଲ ହୋଇସାରିଛନ୍ତି । ନିଜର ଗୁପ୍ତ ରାଜନୈତିକ ଲାଳସାକୁ ଚରିତାର୍ଥ କରିବାକୁ ଯାଇ ଆଶାୟୀମାନେ କୌଣସି ନା କୌଣସି କାରଣରୁ ଜିଲ୍ଲା ସଭାପତିଙ୍କ ପରିବର୍ତ୍ତେ ସିଧାସଳଖ ବିଜେଡିର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରୁଥିବା ଜଣାପଡ଼ିଛି । ତେଣୁ ଟିକେଟ ଆଶାୟୀମାନେ ଏକପ୍ରକାର ରାଜଧାନୀରେ ଡ଼େରା ପକାଇବା ଆରମ୍ଭ କରିଦେଇଛନ୍ତି । ସେମାନେ ବଭିନ୍ନ ହୋଟେଲ, ଲଜିଂ ଏପରିକି ନିଜ ନିଜ ଚିହ୍ନା ପରିଚିତ ମାନଙ୍କ ବାସଗୃହରେ ରହି ନିଜ ପାଇଁ ଲବି ଚଳାଇଛନ୍ତି । ସ୍ଥଳ ବିଶେଷରେ ସେମାନେ ନିଜ ସମର୍ଥକଙ୍କୁ ଧରି ସେମାନଙ୍କ ଖିଆପିଆ ଓ ରହଣି ଖର୍ଚ୍ଚ ବହନ କରିବା ସହ ଟିକେଟ ବଣ୍ଟନ ପ୍ରକ୍ରୀୟାରେ ଥିବା ନେତା-ମନ୍ତ୍ରୀଙ୍କ ପାଖ ଛାଡ଼ୁନଥିବାର କୁହାଯାଉଛି । ତେବେ ଚଳିତ ଥରର ସ୍ଥିତି ଯାହା ଶାସକ ଦଳର ଖୋଦ ମନ୍ତ୍ରୀ ଓ ବିଧାୟକ ଏପରିକି ସାଂସଦମାନଙ୍କ ଟିକଟ ପକ୍କା ନୁହେଁ ବୋଲି ଚର୍ଚ୍ଚା ହେଉଛି ।

ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରୀମୋଙ୍କ ଗୁଡ଼ବୁକରେ ନଥିବା ନେତାମାନେ ଟିକେଟ ଆଶା ହରାଇଥିଲେ ମଧ୍ୟ ଆଶା ଛାଡ଼ି ପାରୁ ନାହାନ୍ତି । ଏହା ବ୍ୟତୀତ ୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡ଼ିରେ ଯେଉଁ ଧରଣର ଆଶାୟୀଙ୍କ ସଖ୍ୟା ବଢ଼ୁଛି ସେଥିରେ ଦଳର ପ୍ରମୁଖ ନେତା ମାନଙ୍କର ଭାଗ୍ୟ କ’ଣ ହେବ ସେକଥା କୁହାଯାଇପାରିବ ନାହିଁ । କାରଣ ଶାସକ ବିଜେଡିରେ ବର୍ତ୍ତମାନର ବିଧାୟକ ଓ ଏକମାତ୍ର ସାଂସଦଙ୍କ ବିରୋଧରେ ଯେଉଁ ଅସନ୍ତୋଷ ସ୍ୱର ଶୁଭୁଛି ସେ ସମ୍ପର୍କରେ ଟିକ୍ନିକ୍ ଖବର ଦଳର ସୁପ୍ରିମୋଙ୍କ ନିକଟରେ ରହିଛି । ତେଣୁ ସମ୍ଭବତ ଟିକେଟ ବଣ୍ଟନ ସମୟରେ ଭଦ୍ରକ ଜିଲ୍ଲାରେ କିଛି ନୂତନତା ଦେଖିବାକୁ ମିଳିବ ବୋଲି ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହାଇକମାଣ୍ଡ ଯଦି ଏହି ଦିଗ ପ୍ରତି ଧ୍ୟାନ ନଦିଅନ୍ତି ତେବେ ଦୃଢ଼ ସଂଗଠନ ଥାଇ ମଧ୍ୟ ଜନମତ ଲକ୍ଷଭ୍ରଷ୍ଟ ହେବାର ସମ୍ଭାବନା ରହିଛି ।

ଏହି ପରିପ୍ରେକ୍ଷୀରେ ଭଦ୍ରକ ବିଧାନସଭାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯଦି ବୟସାଧିକ୍ୟ କାରଣରୁ ବିଧାୟକ ଟିକେଟରୁ ବଞ୍ଚିତ ହୁଅନ୍ତି ତେବେ ତାଙ୍କର ବିକଳ୍ପ କିଏ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି କ୍ରମରେ ବିଧାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କ ନାମ ଚର୍ଚ୍ଚାକୁ ଆସୁଥିଲା ବେଳେ ଭଣ୍ଡାରିପୋଖରୀ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଯୁବନେତା ତଥା ଦିବଗଂତ ଧାମନଗର ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ସୁପୁତ୍ର ସଂଜୀବ ମଲ୍ଲିକ, ଭଦ୍ରକର ପ୍ରାକ୍ତନ ବିଧାୟକ ରତ୍ନାକର ମହାନ୍ତିଙ୍କ ସୁପୁତ୍ର ଅଶୋକ ମହାନ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି । ତେବେ ଆଗାମୀ ନିର୍ବାଚନରେ ଯୁବ ନେତୃତ୍ୱ ଓ ନୂଆ ମୁହଁଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଶୁଣିବାକୁ ମିଳୁଥିବାବେଳେ, ସଂଜୀବ ଓ ଅଶୋକଙ୍କ ନାମ ଏବେ ଚର୍ଚ୍ଚାର ପରିଧିକୁ ଆସିଛି ।

error: Thank You Keep Visiting