ମହାପୁରୁଷମାନଙ୍କ ନିମନ୍ତେ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ ମହେଶ ସାହୁ
ଅନୁଗୋଳ : ରାଜ୍ୟ ବିଧାନସଭା ଅଧିବେସନ ତା ୧୭/୧୧/୨୦୧୮ ରିଖ ଦିନ ପ୍ରଶ୍ନ ସଂଖ୍ୟା ୧୪୬ରେ ବିଧାୟକ ମହେଶ ସାହୁ ଏକ ଅଣ ତାରକା ପ୍ରଶ୍ନ ରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କୁ ପଚାରିଥିଲେ ଯେ – ସରକାରୀ ଜମି ଓ ଅନୁଷ୍ଠାନରେ ମନ ଇଚ୍ଛା ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରୁଛନ୍ତି କିନ୍ତୁ ସେମାନଙ୍କ ଜୟନ୍ତୀ ବା ଶ୍ରାଦ୍ଧ ଦିବସରେ ଫୁଲମାଳଟିଏ ଦିଆଯାଉ ନଥିବାରୁ ସରକାର ପୂତିମୂର୍ତ୍ତି ସ୍ଥାପନ କ୍ଷେତ୍ରରେ ଏକ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି କି ? ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତର ରଖିଥିଲେ ଯେ ରାଜ୍ୟ ସରକାରଙ୍କ ଓଡିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ସ୍ଥ୍ାନରେ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ଏକ ସ୍ଥାନ ନିରୂପଣ କମିଟି ଗଠନ କରାଯାଇଅଛି ।
ଉକ୍ତ କମିଟିର ସମସ୍ତ ସଦସ୍ୟ / ସଦସ୍ୟା ମାନେ ନିରୂପିତ ସ୍ଥାନ ପରିଦର୍ଶନରେ ଯାଇ ପାରିପାଶ୍ୱିର୍କ ପରିସ୍ଥିତିକୁ ଅନୁଧ୍ୟାନ କରି ସ୍ଥାନ ଚୟନ କରିଥାନ୍ତି । ଏଣୁ କମିଟି ଦ୍ୱାରା ଚୟନ କରାଯାଇଥିବା ସ୍ଥାନରେ ପ୍ରତିମୂର୍ତ୍ତି ଗୁଡିକୁ ସ୍ଥାପନ କରାଯାଇଥାଏ । ବିଭାଗ ଅଧୀନରେ ପରିଚାଳିତ ହରେକୃଷ୍ଣ ମହତବା ରାଜ୍ୟ ଗ୍ରନ୍ଥାଘର, ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ, ଓଡିଶା ରାଜ୍ୟ ସଂଗ୍ରହାଳୟ, ଓଡିଶା ରାଜ୍ୟ ଅଭିଲେଖାଗାର, ଓଡିଶା ସାହିତ୍ୟ ଏକାଡେମୀ, ଓଡିଶା ସଂଗୀତ ଏକାଡେମୀ, ଓଡିଶା ଲଳିତ କଳା ଏକାଡେମୀ ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରଙ୍କ ଜରିଆରେ ମହାପୁରୁଷ ମାନଙ୍କର ଶ୍ରାଦ୍ଧ ଓ ଜୟନ୍ତୀ ଉତ୍ସବ ପାଳନ କରାଯିବା ସହିତ ପ୍ରତିମୂର୍ତ୍ତି ଗୁଡିକରେ ଫୁଲମାଳ ଦିଆଯାଉଅଛି ।ପୁନଶ୍ଚ ବରପୁତ୍ର ମାନଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଗୁଡିକ ସୁରକ୍ଷା ପାଇଁ ବିଭାଗ ତରଫରୁ କମିଶନରେଟ୍ ପୋଲିସ୍ ଭୁବନେଶ୍ୱର ଏବଂ ଜିଲ୍ଲା ସ୍ତରରେ ସମସ୍ତ ଏସ୍.ପିଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଉଅଛି ।