ଏମ୍ଓୟୁରେ ଅଟକିଛି ଚୂଡାମଣି ବନ୍ଦର,୧୦ ବର୍ଷ ହେଲା ଚୁପ୍ ବସିଛନ୍ତି ସରକାର

Straight to the Point

ଭଦ୍ରକ(ସିପ୍ରା ରାୟ) – ବନ୍ଦର ହେବା ପାଇଁ ନାହିଁ ରହିଛି ଚୂଡାମଣି । ଆଖିରେ ଆଖିଏ ସ୍ୱପ୍ନ ନେଇ ଅନାଇ ରହିଛି । ରାଜ୍ୟ ସରକାର ତା’ ଦେହରେ ନୂଆ ବନ୍ଦରର ରଂଗ ନେସିଦେବ । ଚମକି ଉଠିବ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଚୂଡାମଣି ମୁହାଣ । ଚୂଡାମଣି ଠାରେ ବନ୍ଦର ହେବ ବୋଲି ଭଦ୍ରକବାସୀ ଆଶା ବାନ୍ଧିଛନ୍ତି । ହେଲେ ସେମାନଙ୍କର ବନ୍ଦର ସ୍ୱପନ୍ନ ଫିକା ପଡିଯାଉଛି । ଫାଇଲ୍ ଭିତରେ ବନ୍ଧା ପଡିଛି ବନ୍ଦର ପାଇଁ ରାଜ୍ୟ ସରକାର ଘରୋଇ କଂପାନୀ ସହିତ କରିଥିବା ଏମ୍ଓୟୁ । ସରକାରଙ୍କ ଫାଇଲ୍ ଭିତରେ ଅଟକି ରହିତବବା ବନ୍ଦରର ଭାଗ୍ୟ ଓ ଭବିଷ୍ୟତ ନେଇ ଯେଉଁ ଭବିଷ୍ୟତ ବାଣୀ ହୋଇଥିଲା, ତାହା ଏବେ ପ୍ରହେଳିକାମୟ ହୋଇଛି । ଯେଉଁଥିପାଇଁ ଅଂଚଳବାସୀଙ୍କର ଆଶା ମଉଳି ଯାଇଛି । ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ୍ର ଚୂଡାମଣି ଘାଟରେ ବନ୍ଦର ପ୍ରତିଷ୍ଠା ପାଇଁ ଘରୋଇ କଂପାନୀ ସହ ସରକାରଙ୍କର ଏମ୍ଓୟୁ ସ୍ୱାକ୍ଷର କରିବାର ଏହା ଭିତରେ ୧୦ ବର୍ଷ ବିତିଗଲାଣି । ବନ୍ଦର ସ୍ୱାକ୍ଷର ଚୁକ୍ତିନାମା ବିର୍ଲା ଗ୍ରୁପ୍ ସହ ହୋଇଥିଲା । ଏମ୍ଓୟୁ ପରେ ଏହାର କାର୍ଯ୍ୟକାରିତା ନେଇ ସରକାର ସେତେବେଳେ ତତ୍ପରତା ପ୍ରକାଶ କରିଥିଲେ ।

ଏବେ ସେସବୁ କଥାକୁ ଆଉ ସରକାର ଉଠାଉନାହାଁନ୍ତି । ବନ୍ଦର ପ୍ରସଙ୍ଗରେ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟ ଆଗକୁ ଆଗେଇ ନାହିଁ । ୨୦୧୩ ମେ ମାସରେ ଚୂଡାମଣି ବନ୍ଦର ଚୁକ୍ତିନାମା ରହିତାଦେଶ ଅବଧି ବୃଦ୍ଧି ପାଇଁ ଜାରି କରାଯାଇଥିବା ରହିତାଦେଶକୁ ଉଠାଇ ଦେବାକୁ ରାଜ୍ୟ ସରକାର ସେତେବେଳେ ହାଇକୋର୍ଟରେ କରିଥିବା ଆବେଦନକୁ ମାନ୍ୟବର ହାଇକୋର୍ଟ ଖାରଜ କରିଦେଇଥିଲେ । ହାଇକୋର୍ଟ ସେତେବେଳେ ଏଇ ଆଦେଶ ଦେବା ପରେ ସରକାରଙ୍କୁ ଏକ ବଡ ଝଟକା ଲାଗିଥିଲା । ୨୦୧୧ ଅକ୍ଟୋବର ୧୮ ରେ ରାଜ୍ୟ ସରକାର ଚୂଡାମଣି ବନ୍ଦର ଚୁକ୍ତିନାମା ଅବଧି ବୃଦ୍ଧି ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ବିନା ଅନୁମତିରେ ସରକାର କ୍ଷୁଦ୍ର ବନ୍ଦର ନିର୍ମାଣ ଓ ବିକାଶ ସକାଶେ କରୁଥିବା ଏମ୍ଓୟୁ ଦସ୍ତଖତ କରିପାରିବେ ନାହିଁ ବୋଲି ସେତେବେଳେ ଗଠିତ ଖଣ୍ଡପୀଠ ଆଦେଶ ଦେଇଥିଲେ । ଏହାପରେ ସରକାର ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ପୂର୍ବରୁ ଆଦିତ୍ୟ ବିର୍ଲା ଗ୍ରୁପ୍ ସହ ହୋଇଥିବା ଚୁକ୍ତିନାମା ମୁତାବକ ଏହି ବନ୍ଦର ଏମ୍ଓୟୁ ଅବଧି ଶେଷ ହୋଇଥିଲା । ଫଳରେ ଏହାକୁ ନେଇ ସରକାର ଅଡୁଆରେ ପଡିଥିଲେ ।

ତେଣୁ ଚୁକ୍ତିନାମା ଅବଧିକୁ ବୃଦ୍ଧି କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଥିଲେ । ୨୦୦୯ ଅକ୍ଟୋବର ମାସ ୨୨ ତାରିଖରେ ସରକାର ଚୂଡାମଣି ବନ୍ଦରର ନିର୍ମାଣ ସ ବିକାଶ ର୍ପାି ଆଦିତ୍ୟ ବିର୍ଲା ଗ୍ରୁପ୍ ସହ ଏମ୍ଓୟୁ ସ୍ୱାକ୍ଷର କରିଥିଲେ । ଏହି କ୍ଷୁଦ୍ର ବନ୍ଦର ପାଇଁ ୧୫ ଶହ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ପ୍ରସ୍ତାବ ରହିଥିଲା । ବନ୍ଦରର ବିକାଶ ହୋଇପାରିଲେ ଏଠାରେ ୫ ହଜାରରୁ ଉଦ୍ଧ୍ୱର୍ ଲୋକ କର୍ମ ସଂସ୍ଥାନ ପାଇବା ସହ ସରକାର ବାର୍ଷିିକ ରାଜସ୍ୱ ଆୟ ବାବଦରେ ୨୦ କୋଟି ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ । କ୍ଷୁଦ୍ର ବନ୍ଦର ନିର୍ମାଣ ଓ ବିକାଶ ପାଇଁ ହେଉଥିବା ଏମ୍ଓୟୁରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ହାଇକୋର୍ଟରେ ଆଗତ ଏକ ଜନସ୍ୱାର୍ତ ମାମଲା ପରେ ଏହା ବିବାଦୀୟ ହୋଇପଡିଥିଲା । ସେଇଦିନ ଠାରୁ ଭିନ୍ନମୋଡ ଆଡକୁ ଗତି କରିଛି ଚୂଡାମଣି ବନ୍ଦର ନିର୍ମାଣ ପ୍ରସଙ୍ଗ । ତେବେ ସରକାରଙ୍କର ବନ୍ଦର ନିର୍ମାଣ ନେଇ ଚୁପ୍ କାହିଁକି ବୋଲି ଏବେ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଚୂଡାମଣିରେ ବନ୍ଦର ହେଲେ କାଳେ ଧାମରା ଠାରେ ପ୍ରତିଷ୍ଠା କରାଯାଇଥିବା ଆଦାନୀ ଗ୍ରୁପ୍ର ବନ୍ଦର ଉପରେ ପ୍ରଭାବ ପଡିବ ବୋଲି ସରକାର ଚୂଡାମଣି ବନ୍ଦର ନେଇ ଚୁପ୍ ରହୁଥିବା ଚର୍ଚ୍ଚା ହେଉଛି । ଧାମରା ବନ୍ଦରରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଠାରୁ ଆରମ୍ଭ କରି ଏହାର ପାରିପାଶ୍ୱର୍ିକ ବିକାଶ ପର୍ଯ୍ୟନ୍ତ କିଛି ହୋଇନାହିଁ ।

ଧାମରା ପାଇଁ ଜମି ହରାଇଥିବା ଲୋକମାନେ ଏବେ ସୁଦ୍ଧା ସେମାନଙ୍କର ପ୍ରାପ୍ୟ ପାଇନାହାଁନ୍ତି । କେବଳ ସେତିକି ନୁହେଁ, ଜମି ହରାଇଥିବା ପରିବାର ଲୋକଙ୍କୁ ଏଠି ଚାକିରୀ ଖଣ୍ଡେ ମିଳିପାରିନାହିଁ । ତେଣୁ ଚୂଡାମଣି ବନ୍ଦର ପ୍ରସଙ୍ଗ ନେଇ ସିନା ସରକାର ନୀରବ ରହୁଥିବା କୁହାଯାଉଛି । ମାତ୍ର ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ବେଳକୁ ଚୂଡାମଣି ବନ୍ଦର ପ୍ରସଙ୍ଗ ନେି ବିଜେଡି ସରକାର ବେଶ୍ କିଛି ଅଡୁଆରେ ପଡିବ ବୋଲି ଏବେଠାରୁ ଚର୍ଚ୍ଚା ଜୋର ଧରିଲାଣି । ରାଜ୍ୟ ସରକାର ସିନା ନୀରବ ଅଛନ୍ତି, ଏବେ କିନ୍ତୁ କେନ୍ଦ୍ରରେ ମୋଦି ସରକାର ଏ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ଏଥିପାଇଁ ଜିଲାର ବିଜେପି ନେତାମାନେ ଚୂଡାମଣି ବନ୍ଦର ପ୍ରସଙ୍ଗରେ ସ୍ୱର ଉଠାଇବାର ଆବଶ୍ୟକତା ରହିଛି ।

error: Thank You Keep Visiting