ଦ୍ୱୈତନଗରୀ ହାଲଚାଲ ; ଅପରାଧିକ ମାମଲାରେ କଟକକୁ ଟପିଲା ଭୁବନେଶ୍ୱର

Straight to the Point

କଟକ : ଦିନକୁ ଦିନ ଦ୍ୱୈତନଗରୀରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସର୍ବାଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା କମିସନରେଟ ପୁଲିସର ଅପରାଧ ପରିସଂଖ୍ୟାନ ରିପୋର୍ଟରୁ ଜଣାପଡ଼ିଛି । ତେବେ ଭୁବନେଶ୍ୱରରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ କଟକରେ ଏହାର ସଂଖ୍ୟା କିଛି ମାତ୍ରାରେ କମ୍ ରହିଛି । ମିଳିଥିବା ତଥ୍ୟ ଅନୁସାରେ, ୫ବର୍ଷ ମଧ୍ୟରେ କଟକ-ଭୁବନେଶ୍ୱର କମିସନରେଟରେ ସମୁଦାୟ ୬୬୯ ମାମଲା ରୁଜୁ ହୋଇଛି । ସେଥିମଧ୍ୟରେ ୨୦୧୭ ମସିହାରେ ୧୮୧ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୬ରେ ୧୩୮, ୨୦୧୫ରେ ୧୩୧, ୨୦୧୪ରେ ୧୩୮ ଓ ୨୦୧୩ ମସିହାରେ ମାତ୍ର ୮୧ଟି ମାମଲା ରୁଜୁ ହୋଇଥିଲା । ଭୁବନେଶ୍ୱର ସହରାଞ୍ଚଳରେ ୫ବର୍ଷ ମଧ୍ୟରେ ୩୬୧ ମାମଲା ରୁଜୁ ହୋଇଥିବାବେଳେ ସର୍ବାଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ୨୦୧୭ ମସିହାରେ ୧୨୫ଜଣ ଦୁଷ୍କର୍ମର ଶିକାର ହୋଇଥିବାବେଳେ ସେଥିରେ ସର୍ବାଧିକ ୮୨ଜଣ ନାବାଳିକା ଓ ୪୩ ସାବାଳିକା ଶିକାର ହୋଇଥିବା ଏହି ରିପୋର୍ଟରୁ ଜଣାଯାଇଛି ।

୨୦୧୬ରେ ୭୭ଜଣ ଶିକାର ହୋଇଥିବାବେଳେ ସେଥିରେ ୪୯ ନାବାଳିକା, ୨୮ସାବାଳିକା ରହିଛନ୍ତି । ସେହିପରି ୨୦୧୫ରେ ୮୭ଟି ମାମଲା ରୁଜୁ ହୋଇଥିଲା । ସେଥିରେ ୫୯ ନାବାଳିକା ଥିବାବେଳେ ୨୮ ସାବାଳିକା ରହିଛନ୍ତି । ୨୦୧୪ରେ ୭୨ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୪୩ ନାବାଳିକା, ୨୯ ପ୍ରାପ୍ତ ବୟସ୍କା ରହିଛନ୍ତି । ଏହି ସମୟରେ ଭୁବନେଶ୍ୱର ଅପେକ୍ଷା କଟକ ସହରାଞ୍ଚଳରେ ମାମଲା ହାର କମ୍ ରହିଛି । ତେବେ କଟକ ସହରାଞ୍ଚଳରେ ଏହି ୫ବର୍ଷ ମଧ୍ୟରେ ୨୫୭ଟି ମାମଲା ପଞ୍ଜିକୃତ ହୋଇଛି । ୨୦୧୭ ମସିହାରେ ୩୯ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବାବେଳେ ୧୭ ସାବାଳିକା, ୨୦୧୬ରେ ୨୮ ନାବାଳିକା, ୩୩ ବୟସ୍କା, ୨୦୧୫ରେ ୩୨ ନାବାଳିକା ଓ ୧୨ଜଣ ବୟସ୍କା, ୨୦୧୪ରେ ଉଭୟ ୩୩ ନାବାଳିକା ଓ ବୟସ୍କା ଦୁଷ୍କର୍ମର ଶିକାର ହୋଇଛନ୍ତି ।

ତେବେ ଭୁବନେଶ୍ୱର ସହରାଞ୍ଚଳରେ ଜଣେ ଗଣ ଦୁଷ୍କର୍ମର ଶିକାର ହୋଇଥିବାବେଳେ କଟକରେ ୨ଜଣ ଶିକାର ହୋଇଛନ୍ତି । ସେହିପରି ଭୁବନେଶ୍ୱରରେ ୭୧ଟି ପ୍ରେମଜନିତ କିମ୍ବା ଗୁପ୍ତ ପଳାୟନ ମାମଲା ପଞ୍ଜିକୃତ ହୋଇଥିବାବେଳେ କଟକରେ ୩୯ଟି ଏପରି ମାମଲା ରୁଜୁ ହୋଇଛି । ତେବେ କମିସନରେଟ ପୁଲିସରେ ୧୮୧ଟି ଦାୟର ମାମଲା ମଧ୍ୟରୁ ୧୧୦ଟି ମାମଲା ପ୍ରେମଜନିତ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ପୁଲିସ ଏପରି ମାମଲାରେ ୨୦୧୭ରେ ୧୬୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ପୂର୍ବରୁ ୧୩୧ ଅଭିଯୁକ୍ତଙ୍କୁ ଜେଲ୍ ହାଜତକୁ ପଠାଇଛି । କିଛି ନାବାଳିକା ଦୁଷ୍କର୍ମ ମାମଲାର ବିଚାର ପ୍ରକ୍ରିୟାରେ ଦଣ୍ଡ ହାର ବୃଦ୍ଧି ପାଇଁ କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସିକ୍ୟୁଟର ନିଯୁକ୍ତି ଦିଆଯାଇଛି । ଜଟଣି ଥାନାର ଏକ ମାମଲାରେ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯାଇଥିବାବେଳେ ଚନ୍ଦ୍ରଶେଖରପୁର ଥାନା, ଖଣ୍ଡଗିରି ଓ ମହିଳା ଥାନାର ଗୋଟିଏ ଲେଖାଏଁ ମାମଲାରେ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

error: Thank You Keep Visiting