ଧାନ କିଣୁଛି ଆନ୍ଧ୍ର ବେପାରୀ, ଚୋରା ଚାଲାଣ ହେଉଛି ଛତିଶଗଡ : କୃଷକ ମୋର୍ଚ୍ଚା

Straight to the Point

ଭୁବନେଶ୍ୱର: ଡିସେମ୍ବର ମାସ ସରିବାକୁ ବସିଲାଣି ହେଲେ ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲାଗଲା ନାହିଁ । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାରେ ଖୋଲିନାହିଁ ଧାନ ମଣ୍ଡି । ଅନ୍ୟପଟେ ଅଭାବ ବିକ୍ରିର ଫାଇଦା ନେଇ ଆନ୍ଧ୍ର ବେପାରୀ ମାନେ ଧାନ କିଣୁଛନ୍ତି ଏବଂ ବାକି ଧାନ ଛତିଶଗଡକୁ ଚୋରା ଚାଲାଣ ହେଉଛି । ଏହାର ପ୍ରତିବାଦରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ସୂଚନା ଦେଇଛନ୍ତି ।
ଡିସେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଧାନ ମଣ୍ଡି ନଖୋଲିବା କାରଣରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପୋତ୍ସାହନରେ ମିଲ ମାଲିକଙ୍କ ଦଲାଲ ମାନେ କମ ଦରରେ ଚାଷୀଙ୍କ ଠାରୁ ଧାନ କିଣି ନେଇ ନକଲି କାର୍ଡ ଦ୍ୱାରା ମଣ୍ଡିରେ ମିଥ୍ୟା କାଗଜପତ୍ର କରାଇ କୋଟି କୋଟି ଟଙ୍କା ହଡପ କରୁଛନ୍ତି ।
ରାଜ୍ୟସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ମଣ୍ଡି ସପ୍ତାହକୁ ଥରେ ଖୋଲୁଛି । ବିଳମ୍ବରେ ଧାନ ମଣ୍ଡି ଖୋଲିବା କାରଣରୁ ଗୋଟିଏ ଦିନ ଚାଷୀଙ୍କ ପ।।ଇଁ ପ୍ରଯ୍ୟାପ୍ତ ନୁହେଁ । ସେହିପରି ଏଫଏକ୍ୟୁ ଆଳରେ କ୍ୱିଂଟାଲ ପିଛା ୫ ରୁ ୧୦ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ କରି ଚାଷୀଙ୍କୁ ଶୋଷୁଛନ୍ତି । ଏଥି ଯୋଗୁଁ ମୋଦୀ ସରକାର ଦେଇଥିବା କ୍ୱିଂଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ପାଇବାରୁ ଓଡିଆ ଚାଷୀ ବଂଚିତ ହେଉଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
୨୦୧୪ ମସିହାରୁ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ସୋହେଲା ସଭାରେ ଧାନ କ୍ୱିଂଟାଲ ପିଛା ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । କେନ୍ଦ୍ର ସରକାର ମଣ୍ଡି ଗୁଡିକର ଭିତିଭୂମି ସୃଦୃଢ ପାଇଁ ଅର୍ଥ ବ୍ୟବସ୍ଥା କରିଥିବାବେଳେ ରାଜ୍ୟସରକାରଙ୍କ ଉଦାସୀନତା କାରଣକୁ କୌଣସି ମଣ୍ଡିରେ ସର୍ବନିମ୍ନ ମୌଳିକ ସୁବିଧା ଉବଲବ୍ଧ ହୋଇନାହିଁ । ଫଳରେ ଚାଷୀର ହଜାର ହଜାର କ୍ୱିଂଟାଲ ଧାନ ମଣ୍ଡି ଆଗରେ ପଡି ନଷ୍ଟ ହେଉଛି । ଚାଷୀର ଧାନ ପାଇଁ ଅଖା, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପାଲ , ପିଣ୍ଡି, ପକ୍କା ଚଟାଣ କିମ୍ବା ସ୍ଥାୟୀ ଛାତ ଓ ଚାଷୀ ପାଇଁ ପାନୀୟ ଜଳର ବ୍ୟବସ୍ଥା କୌଣସି ମଣ୍ଡିରେ ଦେଖିବାକୁ ମିଳୁନାହିଁ । ଗତ ପେଥାଇ ବର୍ଷାରେ ଏହି ସବୁ କାରଣରୁ ଚାଷୀଙ୍କ ହଜାର ହଜାର କି୍ୱଂଟାଲ ଧାନ ନଷ୍ଟ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟସରକାରଙ୍କ ଚାଷୀମାରଣ ନୀତିକୁ ବିରୋଦ୍ଧ କରି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଭୁବନେଶ୍ୱର ଅତିରିକ୍ତ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ଚାଷୀ ଏକାଠୀ ହୋଇ ବିକ୍ଷୋଭ ପ୍ରଦର୍ଷନ କରିବା ସହ ତୁରନ୍ତ ମଣ୍ଡି ଖୋଲିବା, ଧାନ ଚୋରା ଚାଲାଣ ବନ୍ଦ କରିବା, କଟନି ଛଟନି ନକରି ୧୭୫୦ ଟଙ୍କା ଦରରେ ଧାନ କିଣିବା, ମଣ୍ଡିର ଅବ୍ୟବସ୍ଥା ସୁଧାରିବା ପାଇଁ ଦାବି କରିଛନ୍ତି ।
ଏହି ପ୍ରତିବାଦରେ ପୂର୍ବତନ ବିଧାୟକ ରମାରଂଜନ ବଳିଆରସିଂହ, ରାଜ୍ୟ ସଂପାଦକ ଶ୍ରୀରଂଜନ ମଙ୍ଗରାଜ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସହ-ସଂଯୋଜକ ମଦନମୋହନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ନରେନ୍ଦ୍ର ନାଥ ନାୟକ ମହେଶ ମହାନ୍ତି , ବିଶ୍ୱଜିତ ସ୍ୱାଇଁ, ଅଶୋକ ସେଠୀ, ଶିବପ୍ରସାଦ ଶ୍ରୀଚନ୍ଦନ, , ବସନ୍ତ ନାୟକ, ଏସ.କେ. ରହେମଦ ଓ ସୁବଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି କଟକଠାରେ କୃଷକ ମୋର୍ଚ୍ଚା ରାଷ୍ଟୀୟ ଉପସଭାପତି ମହେଶ୍ୱର ସାହୁ, କଳାହାଣ୍ଡିରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ବରଗଡଠାରେ ରାଜ୍ୟ ସାଧାରଣ ସଂପାଦକ ସମୀର ପାତ୍ର, ବାଲେଶ୍ୱରରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଜଗଦେବ, ଜଗତସିଂହପୁରଠାରେ କେନ୍ଦ୍ରୀୟ ପ୍ରଭାରୀ ରାକେଶ ଶର୍ମା, ଢେଙ୍କାନାଲରେ ରାଜ୍ୟ ସଂଯୋଜକ ଦେବାଶିଷ ହୋତା, ଗଜପତି ଠାରେ ରାଜ୍ୟ ସଂଯୋଜକ ସରୋଜ ସାହୁ, ସୋନପୁର ପୂର୍ବତନ ସାସଂଦ ସଙ୍ଗୀତା ସିଂହଦେଓ, ଝାରସୁଗୁଡାରେ ରାଜ୍ୟ କୋଷାଧ୍ୟକ୍ଷ ମାନସ ଦାସ, ନବରଙ୍ଗପୁରରେ ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନ, ବୌଦ୍ଧରେ ରାଜ୍ୟ ସଂପାଦକ ସୂର୍ଯ୍ୟ ନାରାୟଣ ମହାପାତ୍ର , କେନ୍ଦୁଝରରେ ରାଜ୍ୟ ଉପସଭାପତି ଶଙ୍କର୍ଷଣ ଜେନା, ଅନୁଗୁଳ ଠାରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ବିପିନ ଦାସଙ୍କ ନେତ୍ୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ମଧ୍ୟରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତା ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡି ଜଗିବା ସହ ଜିଲ୍ଲା ଯୋଗାଣ ଅଧିକାରୀ, ନିୟନ୍ତ୍ରୀତ ବଜାର କମିଟି ଓ ସମବାୟ ସମିତିର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

error: Thank You Keep Visiting