ପୂର୍ତ୍ତ ବିଭାଗର ଧୂର୍ତ ସଚିବ ଏବେ ବିଜେଡି ଟ୍ରେଜେରର:ବିଜେପି

An Independent Media

ଭୁବନେଶ୍ୱର: ଶାସକ ବିଜେଡିର ଦଳୀୟ ପୋଷ୍ଟରରେ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ସଚିବ ନଳିନୀ ପ୍ରଧାନଙ୍କ ପୋଷ୍ଟର ଲାଗାଯିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏବେ ରାଜ୍ୟରେ ଶାସକ ବିଜେଡି ଦଳ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ପ୍ରଶାସନକୁ ରାଜନୈତିକ କାର୍ଯ୍ୟରେ ଲଗାଯାଉଛି । ଦଳୀୟ ସମାବେଶରେ ସରକାରୀ ସଚିବଙ୍କ ଫଟୋ ଗଣତନ୍ତ୍ରର ହତ୍ୟା । ପୂର୍ତ ବିଭାଗର ଧୂର୍ତ ସଚିବ ଏବେ ବିଜେଡି ଟ୍ରେଜେରର ଭାବେ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ସାଂଘାତିକ ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି କି, ଦକ୍ଷତା ନୁହେଁ ବରଂ ଡିଲ୍ ମାଧ୍ୟମରେ ଏବଂ କଳାପାହାଡମାନଙ୍କ ସହାୟତାରେ ୨୦୧୩ ମସିହାରେ ୨୨ ଜଣ ମୁଖ୍ୟ ଯନ୍ତ୍ରୀଙ୍କୁ ଉପେକ୍ଷା କରାଯାଇ ନଳିନୀ ପ୍ରଧାନଙ୍କୁ ପୂର୍ତ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା । ୨୦୧୮ ମସିହାରେ ଅବସରନେବା ପରେ ରାଜ୍ୟ ସରକାର ପୁଣିଥରେ ଶ୍ରୀ ପ୍ରଧାନଙ୍କ ଚାକିରୀ ଅବଧୀକୁ ୧ ବର୍ଷ ବଢାଇ ନିଜ ଦଳୀୟ କାର୍ଯ୍ୟରେ ଲଗାଯାଉଛି । ରାଜ୍ୟରେ ଅନେକ ଦକ୍ଷ ସଚିବ ଥିବା ସତ୍ୱେ କ’ଣ ପାଇଁ ଶ୍ରୀ ପ୍ରଧାନଙ୍କୁ ଏତେ ଗୁରୁତ୍ୱ ଦିଆଯାଉଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନଳିନୀ ପ୍ରଧାନ ହେଉଛନ୍ତି ମୃତ୍ୟୁର ସୌଦାଗର । ତାଙ୍କ ସମୟରେ ୮ଟିରୁ ଉଦ୍ଧ୍ୱର୍ ପୋଲ ଭୁଷଡି ରେରର୍ଡ ସୃଷ୍ଟି କରିଛି । ଖୋଦ୍ ରାଜଧାନୀ ଭୁବନେଶ୍ୱରର ବମିଖାଲ ଫ୍ଲାଏଓଭର ଦୁଇ ଦୁଇ ଥର ଭୁଶିଡିବା ଶ୍ରୀ ପ୍ରଧାନଙ୍କ ଦକ୍ଷତାକୁ ସ୍ପଷ୍ଟ କରୁଛି । ବମିଖାଲ ଫ୍ଲାଏଓଭର କରୁଥିବା ପଣ୍ଡା ଇନଫ୍ରା ସହ ଶାସକ ଦଳର ନେତା ଓ ସଚିବ ମିଶି ଯୌଥ ବ୍ୟବସାୟ କରୁଥିଲେ । ଏବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନଙ୍କ ମାଧ୍ୟମରେ ନିର୍ବାଚନୀ ପାଣ୍ଠି ଆଦାୟ କରାଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଶାସକ ଦଳ ଓ ସରକାର ବାବୁମାନଙ୍କ ଭିତରେ ହୋଇଥିବା ସନ୍ଧିକୁ ରାଜ୍ୟବାସୀ ବୁଝିସାରିଲେଣି । ଆଗାମୀ ଦିନରେ ରାଜ୍ୟର ସାଧାରଣ ଜନତା ରାଜ୍ୟସରକାରଙ୍କୁ ଜବାବ ମାଗିବା ସହ ସରକାର ବିରୁଦ୍ଧରେ ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।

error: Thank You Keep Visiting