ତଥ୍ୟ ପ୍ରମାଣ ସହ ଯୋଗାଣମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ବିଜେପି କୃଷକ ମୋର୍ଚ୍ଚା

An Independent Media

ଭୁବନେଶ୍ୱର: ଜାନୁଆରୀ ମାସ ପ୍ରଥମ ସପ୍ତାହ ହୋଇଗଲା ହେଲେ ଧାନ ମଣ୍ଡି ଖୋଲାଗଲା ନାହିଁ । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାରେ ବନ୍ଦ ପଡିଛି ଧାନ ମଣ୍ଡି । ମଣ୍ଡି ନଖୋଲିବା କାରଣରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏଫଏକ୍ୟୁ ଆଳରେ କ୍ୱିଂଟାଲ ପିଛା ୫ ରୁ ୭ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ କରି ଚାଷୀଙ୍କୁ ଶୋଷୁଛନ୍ତି । ମଣ୍ଡିର ଭିତିଭୂମି ବ୍ୟବସ୍ଥା ନଥିବା କାରଣରୁ ଧାନ ଗଜା ହୋଇ ଖତରା ହେଉଛି । ମୋଦୀ ସରକାର ଦେଇଥିବା କ୍ୱିଂଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ପାଇବାରୁ ଓଡିଆ ଚାଷୀ ବଂଚିତ ହେଉଛି ଅନ୍ୟପଟେ ଅଭାବ ବିକ୍ରିର ଫାଇଦା ନେଇ ଆନ୍ଧ୍ର ବେପାରୀ ମାନେ ଧାନ କିଣୁଛନ୍ତି ଏବଂ ବାକି ଧାନ ଛତିଶଗଡକୁ ଚୋରା ଚାଲାଣ ହେଉଛି ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଛି ।

ଏହାକୁ ଗ୍ରହଣ ନକରି ଯୋଗାଣମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଧାନମଣ୍ଡିକୁ ନେଇ କୌଣସି ଅବ୍ୟବସ୍ଥା ହୋଇନି ବୋଲି କହିବା ସହ ପ୍ରମାଣ ଦେଖାଇବା ପାଇଁ ଆହ୍ୱାନ ଦେଇଥିଲେ । ମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱୀକାର କରି ଆଜି ତଥ୍ୟ ପ୍ରମାଣ ସହ କୃଷକମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତାଙ୍କ ସମେତ ହଜାର ହାଜର ଚାଷୀ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରାଓ କରିବା ସହ ରାସ୍ତାଉପରେ ଧାନ ଢାଳି ପ୍ରତିବାଦ କରିଛନ୍ତି ।
କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ଯେ, ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଚାଷୀମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହେଉଥିବାବେଳେ ୧୯ ବର୍ଷର ବିଜେଡ଼ି ସରକାର ସମାଧାନର ରାସ୍ତା କାଢିବା ବଦଳରେ ମିଛ ରାଜନୈତିକ ନାଟକବାଜିରେ ବ୍ୟସ୍ତ ରହିଛି । କେତେବେଳେ କାଳିଆ ଯୋଜନା ନାଁରେ ଭଣ୍ଡାଉଛନ୍ତି ତ କେତେବେଳେ ମଣ୍ଡି ନଖୋଲି ଚାଷୀମାନଙ୍କୁ ହଇରାଣ କରୁଛନ୍ତି ।

୨୦୧୪ ମସିହାରୁ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ସୋହେଲା ସଭାରେ ଧାନ କ୍ୱିଂଟାଲ ପିଛା ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । କେନ୍ଦ୍ର ସରକାର ମଣ୍ଡି ଗୁଡିକର ଭିତିଭୂମି ସୃଦୃଢ ପାଇଁ ଅର୍ଥ ବ୍ୟବସ୍ଥା କରିଥିବାବେଳେ ରାଜ୍ୟସରକାରଙ୍କ ଉଦାସୀନତା କାରଣକୁ କୌଣସି ମଣ୍ଡିରେ ସର୍ବନିମ୍ନ ମୌଳିକ ସୁବିଧା ଉବଲବ୍ଧ ହୋଇନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ତୁରନ୍ତ ମଣ୍ଡି ଖୋଲି ଧାନ କିଣିବା, କଟନି ଛଟନି ବନ୍ଦ କରିବା, ଚୋରାଚାଲାଣ ଉପରେ ଲଗାମ ଲଗାଇବା, କେନ୍ଦ୍ରସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ଧାନ କିଣିବା, ମଣ୍ଡିଗୁଡିକର ଭତିଭୂମି ସୁଦୃଢ କରିବା, ଆସାଧୁ ମିଲରଙ୍କୁ ଗିରଫ କରିବା ପାଇଁ ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।

ଏହି ବିକ୍ଷୋଭ ସମାବେଶରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଜଗଦେବ ଓ ସୁକାନ୍ତ ପାଣିଗ୍ରାହୀ, ଉପସଭାପତି ପ୍ରଦୀପ ସାହୁ ଓ ଦିଲ୍ଲୀପ ସ୍ୱାଇଁ, ରାଜ୍ୟ ସଂପାଦକ ଶ୍ରୀରଂଜନ ମଙ୍ଗରାଜ ଓ ଅଶୋକ ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, କାଳୁ ଖଣ୍ଡାୟତରାୟ, ଆଶ୍ରିତ ପଟ୍ଟନାୟକ, ନରେନ୍ଦ୍ରନାଥ ନାୟକ, ବିଶ୍ୱରଂଜନ ବଡଜେନା, ସନ୍ତୋଷ ଜେନା, ଛବି ମଲିକ, ବିଶ୍ୱଜିତ୍ ସ୍ୱାଇଁ, ମଦନମୋହନ ପ୍ରଧାନ, ସୁବାସ ଗନ୍ତାୟତ, ଶିବ ପ୍ରସାଦ ଶ୍ରୀଚନ୍ଦନ, ଅଜୟ ପ୍ରଧାନ, ରବି ନାରାୟଣ ମହାପାତ୍ର, ବସନ୍ତ ନାୟକ, ନ୍ୟାୟବ୍ରତ ରାଉତ, ନନ୍ଦିନୀ ଶତପଥୀ ଓ ବନ୍ଦନା ଦାସ କାନୁନଗୋଙ୍କ ସମେତ ଶହ ଶହ ଚାଷୀ ସାମିଲ ଥିଲେ ।

error: Thank You Keep Visiting