ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନାଲିଚୁଡି ଭେଟିଦେବ ମହିଳାମୋର୍ଚ୍ଚା

An Independent Media

ଭୁବନେଶ୍ୱର: ବେବିନା ଗଣଦୁଷ୍ମର୍ମ ଘଟଣାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ସଂପୂର୍ଣ୍ଣରୂପେ ପ୍ରାୟୋଜିତ । ଅନ୍ୟପଟେ ଅଭିଯୁକ୍ତ ମାନେ ପ୍ରମାଣ ଅଭାବରୁ ଖଲାସ ହେବା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଂଚ ପ୍ରଥମ ଷଡଯନ୍ତ୍ରକାରୀ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମାନେ ଖସିଯିବାର ନୈତିକ ଦାୟିତ୍ୱ ମୁଣ୍ଡ ଉପରକୁ ନେଇ ମହିଳା ସମାଜକୁ କ୍ଷମା ମାଗିବା ସହ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

ଶ୍ରୀ ପରିଡା କହିଛନ୍ତି ଯେ, ପ୍ରଦୀପ ମହାରଥୀଙ୍କ ଇସ୍ତଫା କେବଳ ନାଟକବାଜି ଏବଂ ପ୍ରାୟୋଜିତ । ବାସ୍ତବରେ ମୁଖ୍ୟମନ୍ତ୍ରୀ ପୀଡିତା ପରିବାରକୁ ନ୍ୟୟ ଦେବା ପାଇଁ ଚାହୁଁନାହାଁନ୍ତି । ବେବିନା ନ୍ୟାୟ ନପାଇବା ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା ପ୍ରତିବାଦ କରିବା ସହ ପ୍ରତି ଘରକୁ ଯାଇ ରାଜ୍ୟସରକାରଙ୍କ ମହିଳା ବିରୋଧୀ ନୀତି ସଂର୍ପକରେ ଅବଗତ କରାଇବା ସହ ନାଲି ଚୁଡି ସଂଗ୍ରହ କରିବେ ।

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ସ୍ତରରେ ଚୁଡି ସଂଗ୍ରହ କରାଯିବ । ନିର୍ବାଚନ ସ୍ତରରେ ସଂଗୃହିତ ଚୁଡି ୧୫ ତାରିଖ ଯାଏଁ ଜିଲ୍ଲା ସ୍ତରରେ ପହଂଚିବ । ରାଜ୍ୟର ସମସ୍ତ ସଂଗୃହିତ ଚୁଡି ରାଜ୍ୟ କାର୍ଯ୍ୟାଳୟରେ ୧୮ ତାରିଖ ସୁଦ୍ଧା ପହଂଚିବ । ଏଥି ସହ ପୋଷ୍ଟାଲ ମାଧ୍ୟମରେ ସଚିବାଳୟକୁ ଚୁଡି ପଠାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଏବଂ ଜିଲ୍ଲା ପ୍ରଭାରୀ ଏହି ଚୁଡି ସଂଗ୍ରହ କରିବେ । ବେବିନା ଘଟଣାରେ ସିବିଆଇ ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀ ମହିଳା ସମାଜ ଆଗରେ କ୍ଷମା ପ୍ରାର୍ଥନା ନକଲେ ଆସନ୍ତା ୨୦ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ନାଲି ଚୁଡି ଭେଟି ଦିଆଯିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି ।

error: Thank You Keep Visiting