ଧର୍ମେନ୍ଦ୍ରଙ୍କୁ ବିଜେପି ନେତାଙ୍କ ପ୍ରଶ୍ନ : ପାର୍ଟି କ’ଣ ତୁମ ପୈତୃକ ସଂପତ୍ତି ?

An Independent Media

ବଅଁରପାଳ : ବିଜେପିର ଅନୁଗୋଳ ଜିଲ୍ଲା ସଂଗଠନର “ନୂଆ – ପୁରୁଣା” ବିବାଦକୁ ନେଇ କୁହୁଳିଥିବା ନିଆଁ ବିସ୍ଫୋରକ ରୂପ ନେଇଛି । କିଛି ବର୍ଷ ତଳେ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଯୁବନେତା ପ୍ରତାପ ପ୍ରଧାନ (ନିଲୁ)ଙ୍କ ବିରୋଧରେ ଦଳର ପୁରୁଖା ନେତାମାନେ ଅତୀତରେ ବାରମ୍ବାର ସ୍ୱର ଉତ୍ତୋଳନ କରି ଆସିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଏଥିଲାଗି ବେଶ୍ ହଟହଟା ହେବାକୁ ପଡିଛି ।

ସୂଚନା ଅନୁସାରେ, ବଅଁରପାଳସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗଦେବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ହେଲିକପ୍ଟର ଯୋଗେ ଆସି ଗଣସନ୍ତ୍ରୀସ୍ଥିତ ନେହରୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଓହ୍ଲାଇଥିଲେ । ବିଜେପିର ବହୁ ତୁଙ୍ଗ ନେତା ଓ ଦଳୀୟ କର୍ମୀ ତାଙ୍କୁ ସେଠାରେ ସ୍ୱାଗତ ସମ୍ବର୍ଧନା ଦେଇ ଏକ ବାଇକ୍ ଶୋଭଯାତ୍ରାରେ ବଅଁରପାଳ ଶିଶୁ ମନ୍ଦିରକୁ ପାଛୋଟି ନେଇଥିଲେ । ଉତ୍ସବ ଶେଷ ହେବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସେଠାରୁ ସିିଧାସଳଖ ଗଡସନ୍ତ୍ରୀ ହେଲିପ୍ୟାାଡ୍କୁ ଫେରି ଆସିଥିଲେ । ସେଠାରେ ଉପସ୍ଥିତ ଦଳର କେତେକ ସ୍ଥାନୀୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କାଳରେ ସେ କୁଆଡେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପ୍ରତାପ ପ୍ରଧାନଙ୍କୁ ଅନୁଗୋଳ ନିର୍ବାଚନମଣ୍ଡଳୀ ପାଇଁ ଏମଏଲ୍ଲ ଟିକେଟ୍ ଦେବାକୁ ସ୍ଥିର ହୋଇଛି ଓ ଏଥିରେ ସମସ୍ତେ ସହଯୋଗ କରିବାକୁ କହିଥିଲେ ।

ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏଭଳି ଖୋଲା ମନ୍ତବ୍ୟ ଶୁଣି ସେଠାରେ ଉପସ୍ଥିତ ପାର୍ଟିର ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଦିଲୀପ ପ୍ରଧାନ ଉତ୍ତେଜିତ ହୋଇ ପଡିଥିଲେ । ସେ ନିଜ କ୍ରୋଧ ସମ୍ବରଣ କରି ନ ପାରି ‘ଜିଲ୍ଲାର ଦଳୀୟ ନେତାଙ୍କ ସହ ଆଲୋଚନା ନକରି ମନେ ମନେ କେମିତି ଏପରି ନିଷ୍ପତ୍ତି ନେଲେଏ ? ଦଳରେ କ’ଣ ଆଉ କେହି ନାହାଁନ୍ତି କି ? ବୋଲି ଚଢା ଗଳାରେ ପଚାରିଥିଲେ । ସର୍ବ ସମକ୍ଷରେ ଦିଲୀପଙ୍କ ଏଭଳି ଅପ୍ରତ୍ୟାଶିତ ପ୍ରଶ୍ନବାଣରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଅପମାନିତ ବୋଧ କରି ରାଗି ପାଚି ଲାଲ୍ ପଡି ଯାଇଥିଲେ । ‘ତୁମେ ଦଳରେ ଥାଇ ଅଧିକ ବିଶୃଙ୍ଖଳା କରୁଛ । ଯିଏ ମୋ ନିଷ୍ପତ୍ତିରେ ଏକମତ ହେବ ନାହିଁ ସେ ଦଳରୁ ବାହାରିଯାଉ’ ବୋଲି ରୋକଠୋକ୍ ଶୁଣାଇଥିଲେ । କେବଳ ଏତିକି ନୁହେଁ, ସଂଧ୍ୟା ସୁଦ୍ଧା ତାଙ୍କୁ ପାର୍ଟି ଛାଡିବାକୁ ମଧ୍ୟ ସେ ଖୋଲା ଧମକ ଦେଇଥିଲେ ।

ଏହି କଥାକୁ ନେଇ ଧର୍ମେନ୍ଦ୍ର ଓ ଦିଲ୍ଲୀପଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା । ଦିଲୀପ ମନ୍ତ୍ରୀଙ୍କ ଧମକରେ ଭୟଭୀତ ନ ହୋଇ ‘ତମେ କିଏ ? ପାର୍ଟି କଣ ତମ ପୈତୃକ ସଂପତ୍ତି ? ତମ କଥାରେ କ’ଣ ଆମେ ପାର୍ଟି ଛାଡିଦେବୁ ? ଆମ ହିସାବରେ ଆମେ ରହିବୁ, ନ ହେଲେ ପାର୍ଟି ଛାଡିବୁ’ ବୋଲି ଶୁଣାଇଥିଲେ । ଦିଲୀପଙ୍କ ଏଭଳି ଶାଣିତ ବାକ୍ୟବାଣରେ ଅପମାନିତ ହୋଇ ମନ୍ତ୍ରୀ ଶ୍ରୀ ପ୍ରଧାନ ସେଠାରୁ ରାଗ ତମତମ ହୋଇ ହେଲିକପ୍ଟରକୁ ଚଢି ଯାଇଥିଲେ ।

ସୂଚନା ଥାଉ କି ୩ ମାସ ପୂର୍ବେ ପାର୍ଟିର ଅନୁଗୋଳ ଜିଲ୍ଲା ସଂଗଠନରେ ନିଲୁ ବିରୋଧୀ ସ୍ୱର ଉଠିଥିଲା । ‘ନିଲୁ ହଟାଅ, ଅନୁଗୋଳ ଜିଲ୍ଲା ବଞ୍ଚାଅ’ ସ୍ଲୋଗାନ ଦେଇ ନିଲୁ ବିରୋଧୀମାନେ ଗୋଟିଏ ମାସରେ ୩ ଟି ସ୍ଥାନରେ ବୈଠକ ବସାଇଥିଲେ । ଜିଲ୍ଲା ବିଜେପି ପୁରୁଖା ନେତାମାନେ ଏଥିରେ ଯୋଗଦେଇ ନିଲୁଙ୍କୁ କିପରି ବିରୋଧ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଏହାର କାରଣ ହେଲା କିଛି ମାସ ତଳେ ନିଲୁ କଂଗ୍ରେସ ଦଳରୁ ଆସି ବିଜେପିରେ ମିଶିଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ତତ୍ତ୍ୱାବଧାନରେ ବିଜେପିରେ ନିଲୁ ମିଶିବା ପରେ ତାଙ୍କ ଲୋକ ସମ୍ପର୍କ ଓ ପତିଆରା ବଢିବାରେ ଲାଗିଥିଲା ।

ଦଳର ପୁରୁଖା ନେତାଙ୍କୁ ପଛରେ ପକାଇ ନିଲୁ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିକଟତର ହୋଇଥିଲେ । ଏଥି ସହିତ ଆସନ୍ତା ନିର୍ବାଚନରେ ଦଳ ପକ୍ଷରୁ ନିଲୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ମନ୍ତ୍ରୀ ସବୁଜ ସଙ୍କେତ ଦେଇଥିଲେ ।ଏହା ଦଳର ପୁରୁଖା ନେତାଙ୍କ ଦେହରେ ଯାଇ ନଥିଲା । ଦଳ ମଧ୍ୟରେ ନବାଗତ ନିଲୁଙ୍କୁ ନେଇ କୁହୁଳୁଥିବା ନିଆଁ ବିସ୍ଫୋରକ ରୂପ ନେଇଥିବା ଆଲୋଚିତ ହେଉଛି ।

error: Thank You Keep Visiting