କଂଗ୍ରେସ ଆସିଲେ ରାଜ୍ୟବାସୀଙ୍କୁ ହକ୍ ଦେବୁ: ରାହୁଲ

Straight to the Point
ରାଉରକେଲା: ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୧୫ ଦିନରେ ଦ୍ଵିତୀୟ ଥର ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭବାନିପାଟଣା ପରି ରାଉରକେଲାରେ ମଧ୍ୟ ଉଭୟ କେନ୍ଦ୍ର ଶାସିତ ବିଜେପି ଓ ରାଜ୍ୟ ଶାସିତ ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି। ରାଉରକେଲାରେ ଆୟୋଜିତ ଜନସଭାକୁ ସମ୍ଵୋଧିତ କରି ରାହୁଲ ଶାଣିତ ସ୍ଵରରେ ଚିଟ୍ ଫଣ୍ଡ ଦୁର୍ନୀତି ଓ ରାଫେଲ ଦୁର୍ନୀତି ନେଇ ଉଭୟ ସରକାରଙ୍କୁ ଘେରିବା ସହିତ ଓଡ଼ିଶାରେ ତାଙ୍କରି ସରକାର ଆସିଲେ ଚାଷୀଙ୍କୁ ତାଙ୍କର ହକ୍ ଏବଂ ଯୁବକଙ୍କୁ ରୋଜଗାର ଦେବୁ ବୋଲି ରାହୁଲ କହିଛନ୍ତି।

ଦେଲେ ନାହିଁ ୨ କୋଟି ନିଯୁକ୍ତି

ରାଉରକେଲାରେ ଆୟୋଜିତ ଜନସଭାକୁ ସମ୍ଵୋଧିତ କରି ରାହୁଲ ଭାଷଣ ଆରମ୍ଭରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ନିଜକୁ ସର୍ବଦା ଚୌକିଦାର କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ଚୋର ଏବଂ ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ। ପ୍ରଧାନମନ୍ତ୍ରୀ ମୋଦୀ ଶାସନକୁ ଆସିବା ପୂର୍ବେ  ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ।  ମାତ୍ର କାର୍ୟ୍ୟ କାଳ  ଶେଷ ହେବାକୁ ଆଉ କେଇ ଦିନ ବାକି ରହିଛି ନିଯୁକ୍ତିର ନା ଗନ୍ଧ ନାହିଁ। ଠିକ୍ ସେହି ଭଳି  ରାଜ୍ୟରେ ନବୀନ ସରକାର କାହାକୁ ନିଯୁକ୍ତି ଦେଇ ନାହାନ୍ତି।

ମୋଦୀ ଓ ନବୀନ ମିଛ କୁହନ୍ତି

ରାହୁଲ କହିଛନ୍ତି ଯେ ମୋଦୀ ରାଉରକେଲା ଗସ୍ତ କାଳରେ ଏଠି ସୁପରସ୍ପେଶାଲିଟି ହସ୍ପିଟାଲ ହେବ ବୋଲି କହିଥିଲେ। କିନ୍ତୁ ଏ ଯାଏ ହେଇନି। କେବଳ ଏତିକି ନୁହେଁ ବ୍ରାହ୍ମଣୀରେ ୨ୟ ସେତୁ ନିର୍ମାଣ ନିର୍ମାଣ କରାଯିବ, ମାତ୍ର ତାହା ମଧ୍ୟ ହୋଇନି। କେବଳ ପ୍ରତିଶ୍ରୁତି ଛଡା କେନ୍ଦ୍ର ସରକାରଙ୍କୁ ଆଉ କିଛି ଜଣା ନାହିଁ। ମୋଦୀ ଓ ନବୀନ ଯୁଆଡେ ଯାଆନ୍ତି କେବଳ ମିଛ କହନ୍ତି ବୋଲି ରାହୁଲ କହିଛନ୍ତି।

ପ୍ରତିଶ୍ରୁତି ପାଳନ କଲୁ

ରାହୁଲ କହିଛନ୍ତି ଯେ, କଂଗ୍ରେସ ଯାହା ପ୍ରତିଶ୍ରୁତି ଦିଏ, ତାହା ପାଳନ କରେ। ଆମେ ବିଧାନସଭା ନିର୍ବାଚନ ସମୟରେ ତିନୋଟି ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ୧୦ ଦିନରେ କୃ଼ଷି ଛାଡ ପ୍ରତିଶ୍ରୁତି ଦେଇଥିଲୁଏବଂ ଏହାକୁ ଦୁଇ ଦିନରେ  ପାଳନ କରି ଦେଖାଇଲୁ। ନବୀନ କହିଥିଲେ ପ୍ରତି ଜିଲ୍ଲାରେ ଶୀତଳ ଭଣ୍ଡାର କରିବେ। ମାତ୍ରୀ ଦୀର୍ଘ ବର୍ଷ ଧରି ନିରଙ୍କୁଶ ଶାସନ କରିବା  ପରେ ମଧ୍ୟ ଶୀତଳ ଭଣ୍ଡାର କରି ନାହାନ୍ତି।

ଚାଷୀଙ୍କୁ ହକ ଦେବୁ 

ରାହୁଲ କହିଛନ୍ତି ଯେ ଓଡ଼ିଶା ଗରିବ ରାଜ୍ୟ ନୁହେଁ। ମାତ୍ର ୧୯ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରଙ୍କ ଅପାରଗ ପାଇଁ ଓଡ଼ିଶା ଲୋକ ଗରିବ। ଏଠିକାର ସରକାର ଦୀର୍ଘ ବର୍ଷ  ଧରି  ଲୁଟି ଚାଲିଛି। ଚାଷୀଙ୍କୁ ଏଠାରେ ହକ୍ ମିଳୁନାହିଁ।  ମାତ୍ର ଆମେ ସରକାରକୁ ଆସିଲେ ଓଡ଼ିଶାରେ ଛତିଶଗଡ ଭଳି ଜମିଅଧିଗ୍ରହଣ ବିଲ୍  ଲାଗୁ କରିବୁ। ଶିଳ୍ପ ସ୍ଥାପନ ହେବା ପୂର୍ବରୁ ଆପଣଙ୍କର ସମ୍ମତି ନିଆଯିବ। ଜମି ଅଧିଗ୍ରହଣ ସମୟରେ ବଜାର ଦରଠୁ ଚାରି ଗୁଣ ଅଧିକ ମୂଲ୍ୟ ଦିଆଯିବ।

ଲୋକେ ମନ ବଦଳାଇଲେଣି  

ରାହୁଲ କହିଛନ୍ତି ଯେ, ୫ ବର୍ଷରେ ଶିଳ୍ପ ପ୍ରତିଷ୍ଠା ନହେଲେ ଜମି ଫେରସ୍ତ ମିଳିବ। ଏହା ସହିତ ଜଳ, ଜମି, ଜଙ୍ଗଲର ଫାଇଦା ଓଡ଼ିଶାବାସୀଙ୍କୁ ନିଶ୍ଚିତ ଦେବୁ। ଓଡ଼ିଶା ଯୁବକଙ୍କୁ ଓଡ଼ିଶାରେ ରୋଜଗାର ଦେବା ଆମର ମୂଳ ଲକ୍ଷ୍ୟ ରହିବ। ଆମେ ଓଡ଼ିଶାର  ବିକାଶ ପାଇଁ ବଦ୍ଧ ପରିକର। ଓଡ଼ିଶାରେ ପରିବର୍ତ୍ତନ ଆସିବ, ଲୋକେ ମନ ବଦଳାଇଲେଣି ବୋଲି ରାହୁଲ ଜନସଭାକୁ ସମ୍ଵୋଧିତ କରି କହିଛନ୍ତି।

error: Thank You Keep Visiting