ସାଧାରଣ ଲୋକଙ୍କ ଟିକସ ଅର୍ଥରେ ବିଜୁ ଯୁବ ବାହିନୀଙ୍କୁ ବିଦେଶ ବୁଲାଇବା ବୁଢା ବାଘର କଙ୍କଣ କାହାଣି ଭଳି :ବିଜେପି ଯୁବମୋର୍ଚ୍ଚା

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ ଯୁବତୀ ମାନେ ନିଯୁକ୍ତି ନପାଇ ବେକାର ବସିଛନ୍ତି । ରାଜ୍ୟ ସରକାର ୧୯ ବର୍ଷ ଶାସନରେ ଥାଇ ବି ନିଯୁକ୍ତି ବା ଆତ୍ମନିଯୁକ୍ତି ଯୋଗାଇ ଦେଇପାରିଲେ ନାହିଁ । ଯୁବଗୋଷ୍ଠିଙ୍କୁ ନିଯୁକ୍ତି ଦେବାରେ ସମ୍ପୃର୍ଣ୍ଣ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ସାଧାରଣ ଓଡିଆ ଲୋକଙ୍କ ଟିକସରୁ ଆଦାୟ ହେଉଥିବା ଅର୍ଥରେ ବିଜୁ ଯୁବ ବାହିନୀର ସଭ୍ୟ ମାନଙ୍କୁ ଥାଇଲାଣ୍ଡ ସିଙ୍ଗାପୁର ବୁଲାଇବା କେତେଦୁର ଯୁକ୍ତି ଯୁକ୍ତ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠି ।
ଶ୍ରୀ ତ୍ରିପାଠି କହିଛନ୍ତି ଯେ ରାଜ୍ୟ ସରକାର ବିଜୁ ଯୁବ ବାହିନୀକୁ ରାଜକୋଷରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସିଙ୍ଗାପୁର ଓ ଥାଇଲାଣ୍ଡ ବୁଲାଇବା ପାଇଁ ନେଉଛନ୍ତି । ବିଜୁ ଯୁବ ବାହିନୀ ନାଁ ରେ ସରକାରୀ ଅର୍ଥକୁ ଖର୍ଚ୍ଚକରି, ଓଡିଆ ଲୋକଙ୍କ ଟିକସ ପଇସାକୁ ବରବାଦ କରିବାର ଅଧିକାର ସରକାରଙ୍କୁ ଦେଲା କିଏ ? ପ୍ରେମ ଚୌଧୁରି ଯିଏ ବର୍ତମାନ ବିଜୁ ଯୁବ ବାହିନୀର ସିଇଓ ଅଛନ୍ତି ସେ ମହାଶୟଙ୍କୁ ଆମର ପ୍ରଶ୍ନ ତାଙ୍କୁ ଟିକସଦାତାଙ୍କ ଅର୍ଥକୁ ଏପରି ଉଜାଡିବା ପାଇଁ ଅଧିକାର କିଏ ଦେଲା ? ସେ ମହାଶୟ ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା ଗଂଜାମରେ ଆଗରୁ ଜିଲ୍ଲାପାଳ ଥିଲେ । ମୁଖ୍ୟମନ୍ତ୍ରୀଙ୍କର ବହୁତ ପାଖ ଲୋକ ।
ଯେଉଁଠି ରାଜ୍ୟ ସରକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେଇପାରିଲେ ନାହିଁ ସେଠି ନିଜ ଦଳର କିଛି ଉଦଭ୍ରାନ୍ତ ଓ ଶାସକ ଦଳର କୁଜି ଗୁଣ୍ଡାଙ୍କୁ ସିଙ୍ଗାପୁର ପଠାଇ କାହିଁକି ଟିକସଦାତାଙ୍କ ଅର୍ଥକୁ ବରବାଦ କରୁଛନ୍ତି ରାଜ୍ୟ ସରକାର ? ଯେଉଁମାନଙ୍କୁ ସିଙ୍ଗାପୁର ପଠାଇବା ପାଇଁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି ସେମାନଙ୍କ ଚୟନ କେଉଁ ଆଧାରରେ କରାଯାଇଛି ବୋଲି ଶ୍ରୀ ତ୍ରିପାଠି ପ୍ରଶ୍ନ କରିଛନ୍ତି ।
ଶ୍ରୀ ତ୍ରିପାଠି କହିଛନ୍ତି ଯେ ଏକଥା ପ୍ରମାଣିତ ହୋଇସାରିଛି ଯେ ବିଜୁ ଯୁବ ବାହିନୀ ହେଉଛି ବିଜୁ ଜନତା ଦଳର ଗୁଣ୍ଡା ବାହିନୀ । ଗୁଣ୍ଡା ବାହିନୀ କେତେବେଳେ ମଦ ପିଇ ରାସ୍ତାରେ ଗଡୁଛନ୍ତି, କେତେବେଳେ ହତ୍ୟା, ବଳାକ୍ତାର ମାମଲାରେ ଜେଲ ଯାଉଛନ୍ତି ।

 ବିଜୁ ଯୁବ ବାହିନୀ ନାଁ ରେ ସରକାରୀ ଅର୍ଥକୁ ଖର୍ଚ୍ଚକରି, ଓଡିଆ ଲୋକଙ୍କ ଟିକସ ପଇସାକୁ ବରବାଦ କରିବାର ଅଧିକାର ସରକାରଙ୍କୁ ଦେଲା କିଏ ?
 ରାଜ୍ୟ ସରକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେଇପାରିଲେ ନାହିଁ ସେଠି ନିଜ ଦଳର କିଛି ଉଦଭ୍ରାନ୍ତ ଓ କୁଜି ଗୁଣ୍ଡାଙ୍କୁ ସିଙ୍ଗାପୁର ପଠାଇ କାହିଁକି ଟିକସଦାତାଙ୍କ ଅର୍ଥକୁ ବରବାଦ କରୁଛନ୍ତି?
 ବିଜୁ ଯୁବ ବାହିନୀ ହେଉଛି ବିଜୁ ଜନତା ଦଳର ଗୁଣ୍ଡା ବାହିନୀ, କେତେବେଳେ ମଦ ପିଇ ରାସ୍ତାରେ ଗଡୁଛନ୍ତି, କେତେବେଳେ ହତ୍ୟା, ବଳାକ୍ତାର ମାମଲାରେ ଜେଲ ଯାଉଛନ୍ତି
 ପ୍ରତି ବ୍ଲକରେ ୫୦୦୦ ମୋବାଇଲ ହ୍ୟାଣ୍ଡସେଟ ବିଜୁ ଯୁବ ବାହିନୀକୁ ବଂଟାଯିବାର ବ୍ୟବସ୍ଥା କରାଯାଉଛି

ସେହି ବଦନାମ ବିଜୁ ଯୁବ ବାହିନୀକୁ ରାଜ୍ୟ ସରକାର ଲୋକଙ୍କର ବିକାଶମୁଳକ କାମ ପାଇଁ ଥିବା ଅର୍ଥକୁ ବରବାଦ କରି କାହିଁକି ସିଙ୍ଗାପୁର ପଠାଉଛନ୍ତି ? ଏହା ସମ୍ପୃର୍ଣ୍ଣ ଅସମ୍ବାଧାନିକ ଏବଂ ଅନୈତିକ । ବେକାର ଓଡିଆ ପିଲାଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଏ ସରକାର ଏବେ ବେକାର ଯୁବକ ଯୁବତୀମାନଙ୍କ ପାଖେ ଉତର ଦିଅନ୍ତୁ ।
ଶ୍ରୀ ତ୍ରିପାଠି କହିଛନ୍ତି ଯେ ସରକାର ଓ ଶାସକ ବିଜୁ ଜନତା ଦଳ ଖାଲି ବିଜୁ ଯୁବ ବାହିନୀକୁ ବିଦେଶ ବୁଲାଉ ନାହାନ୍ତି ବଂର ପ୍ରତି ବ୍ଲକରେ ୫୦୦୦ ମୋବାଇଲ ହ୍ୟାଣ୍ଡସେଟ ବିଜୁ ଯୁବ ବାହିନୀକୁ ବଂଟାଯିବାର ବ୍ୟବସ୍ଥା କରାଯାଉଛି । ରାଜ୍ୟର ୩୧୪ ବ୍ଲକ ଓ ସମସ୍ତ ଏନଏସି ମ୍ୟୁନିସିପାଲିଟରେ ସମସ୍ତ ବିଜୁ ଯୁବ ବାହିନିର ସଦସ୍ୟମାନଙ୍କୁ ଏହା ବଂଟା ଯିବ । ପାଖାପାଖି ୭୫୦ କୋଟି ଟଙ୍କା ଏବାବଦରେ ଖର୍ଚ୍ଚ ହେବ । ସେ ୭୫୦ କୋଟି ଟଙ୍କା ଅର୍ଥ କାହାର ? ଏ ଅର୍ଥକୁ ଭରଣା କରିବେ ତ୍ରିବେଣୀ ଆର୍ଥ ମୁଭରସ ଭଳି କିଛି ତାମିଲ ଖଣି ବେପାରୀ ଓ ରାଜ୍ୟ ସରକାରଙ୍କ ଠାରୁ ବେଆଇନଭାବେ ଅନୁଗ୍ରହିତ ହୋଇଥିବା ଖଣି ମାଫିଆ ଓ ଚିଟ ଫଣ୍ଡ ଲୁଟେରା ।
୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ନିଯୁକ୍ତି ମିଳିଛି ମାତ୍ର ୨୬,୪୫୦ ଜଣଙ୍କୁ । ନିଯୁକ୍ତି ହାର ମାତ୍ର ୧% । ରାଜ୍ୟରେ ଯୁବକ ବେକାରୀ ସମସ୍ୟାରେ ଜର୍ଜରିତ ଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରମୁଖ ଭୂମିକା ରଖୁଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଶୋଇଛନ୍ତି ବୋଲି ଶ୍ରୀ ତ୍ରିପାଠି କହିଛନ୍ତି ।
ଶ୍ରୀ ତ୍ରିପାଠି କହିଛନ୍ତି ଯେ ରାଜ୍ୟରେ ୧୦୬ ଗୋଟି ଶିଳ୍ପାଂଚଳରେ ୪୮୭୭ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଥିବା ବେଳେ ଏଥିରୁ ୩୦୬୭ଟି ରୁଗ୍ଣ ହୋଇଛି । ରାଜ୍ୟରେ ପଂଜୀକୃତ ୧୫, ୩୧୫ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇ ଯାଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ୧୦୬୧ ଏହିପରି ଶିଳ୍ପ ବନ୍ଦ ହୋଇ ଯାଇଥିବା ସରକାର ସ୍ୱୀକାର କରିଛନ୍ତି । ଯେଉଁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସମ୍ପୂର୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଛି ସେ ରାଜ୍ୟର ଯୁବ ଶକ୍ତିକୁ କର୍ମ ସଂସ୍ଥାନ କିପରି ମିଳିବ ? ଏ ସବୁ ପ୍ରଶ୍ନର ଉତର ନଦେଇ ଖାଲି ବିଜୁ ଯୁବ ବାହିନୀଙ୍କୁ ପୋଷିଲେ ବିଜେପି ଯୁବମୋର୍ଚ୍ଚା ଆଗାମି ଦିନରେ ଏହାର କଡା ଜବାବ ଦେବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ, ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା , ସଂପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting