କାମ କରୁନି କୌଣସି ଯୋଜନା ଓ ବ୍ୟବସ୍ଥା,ଅଟୋରେ ପ୍ରସବ କରୁଛନ୍ତି ମହିଳା

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ) : ପ୍ରସୂତି ମାନଙ୍କୁ ସରକାରୀ ଡାକ୍ତରଖାନାରେ ପ୍ରସବ କରାଇବା ନେଇ ଗୁରୁତ୍ୱାରୋପ କରାଯାଉଛି ବୋଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିଣ୍ଡିମ ପିଟା ଯାଉଥିବା ବେଳେ ବାସ୍ତବ ସ୍ଥିତି ଭିନ୍ନ ଥିବା ବିଗତ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ପୁଣି ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ତାଳଚେର ପୌରାଞ୍ଚଳର ୧୦ ନଂ ୱାର୍ଡରେ । ଏହି ୱାର୍ଡରେ ବାସ କରୁଥିବା ତରାଜନ ବେହେରାଙ୍କ ସ୍ତ୍ରୀ ବର୍ଷା ବେହେରା (୧୯)ଙ୍କର ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପ୍ରସବ ଜନିତ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ତାଙ୍କୁ ନିକଟ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ ।

ସେଠାରେ ଥିବା ଡାକତର ଏବଂ କର୍ମଚାରୀମାନେ ଉକ୍ତ ଡାକ୍ତରଖାନାରେ ପ୍ରସବ ହୋଇ ପାରିବ ନାହିଁ ବୋଲି କହିବା ସହ ଅନୁଗୋଳ ଜିଲ୍ଲା ଡାକ୍ତରଖାନା କିମ୍ବା କୌଣସି ନର୍ସିଂହୋମକୁ ନେବାକୁ କହିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ପ୍ରସବ ଜନିତ ଯନ୍ତ୍ରଣା ବୃଦ୍ଧି ପାଉଥିବାରୁ ପରିବାର ଲୋକେ ୧୦୨ ଏବଂ ୧୦୮କୁ ଫୋନ୍ କରି ଆମ୍ବୁଲାନ୍ସ ସହାୟତା ମାଗିଥିଲେ । ତେବେ କୌଣସି ଆମ୍ବୁଲାନ୍ସ ନଆସିବାରୁ ପରିବାର ଲୋକେ ବାଧ୍ୟ ହୋଇ ଅଟୋ ଭଡା କରି ପ୍ରସୂତିଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ସ୍ଥାନୀୟ ଶର୍ମା ଛକ ନିକଟରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।

ଏହାପରେ ପରିବାର ଲୋକେ ନବଜାତକ କନ୍ୟା ଏବଂ ମା’କୁ ପୁନର୍ବାର ତାଳଚେର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଦାୟୀତ୍ୱରେ ଥିବା ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନେ ଉଭୟ ମା’ ଓ ଶିଶୁର ପ୍ରାରମ୍ଭିକ ଚିକିତ୍ସା କରିବାକୁ ମନା କରି ଦେଇଥିବା ଅଭିଯୋଗ ହୋଇଛି । ଖବରପାଇ ସାମାଜିକ କର୍ମୀ ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ ଅନ୍ୟମାନେ ସେଠାରେ ପହଞ୍ôଚ ପାଟିତୁଣ୍ଡ କରିବାରୁ ଉଭୟଙ୍କର ସାମାନ୍ୟ ଚିକିତ୍ସା କରାଯାଇଥିଲା । ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇ ମା’ ଓ ଶିଶୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।