ବିଜେଡି ନେତାଙ୍କ ଦ୍ୱାରା ନିର୍ଯ୍ୟାତିତା ୨ ଭଉଣୀଙ୍କ ନ୍ୟାୟ ଆଶାରେ ପଦଯାତ୍ରା ; ବୁଲିବେ ୩୦ ଜିଲା, ଧାରଣା ଦେବେ ଭୁବନେଶ୍ୱର ଗାନ୍ଧିମାର୍ଗରେ

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ) : ଆମ ରାଜ୍ୟର କୋରାପୁଟସ୍ଥିତ ମାଛକୁଣ୍ଡରେ ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କ ଦ୍ୱାରା ଆୟୋଜିତ କଙ୍ଗାରୁ କୋର୍ଟରେ ନିର୍ଯ୍ୟାତିତା ହୋଇଥିବା ଦୁଇ ଭଉଣୀ ଏବେ ନ୍ୟାୟ ପାଇବା ନେଇ ଫେବୃଆରୀ ୧୧ ରୁ ୩୦ ଜିଲା ଭ୍ରମଣରେ ବାହାରିଛନ୍ତି । ସେମାନେ ଆଜି ଭଦ୍ରକ ସହର ପରିଭ୍ରମଣ କାଳରେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନଙ୍କର ଏହି ପଦଯାତ୍ରା ସଂପର୍କରେ ଦେଇଥିବା ତଥ୍ୟ ମୂଳେ ସେମାନଙ୍କୁ କେତେକ ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନେ କଙ୍ଗାରୁକୋର୍ଟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଏପରିକି ସେମାନଙ୍କୁ ତାଙ୍କ ପିତାମାତାଙ୍କ ମୃତ ଶରୀରକୁ ମଧ୍ୟ ସଂସ୍କାର କରିବା ପାଇଁ ଦେଇନଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ପୈତୃକ ସଂପତ୍ତି ମଧ୍ୟରେ ଘରଦ୍ୱାର, ଜମିବାଡି ଜବରଦଖଲ ପୂର୍ବକ ନିଆଁପାଣି ବାଚ୍ଛନ୍ଦ କରିବା ପରେ ସେମାନେ ସ୍ଥାନୀୟ ପୁଲିସ୍, ବିଜେଡି ଓ ବିଜେପିର ନେତା, ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିଲା ନାହିଁ । ପରନ୍ତୁ ନିର୍ଯ୍ୟାତନା ବୃଦ୍ଧି ପାଇଥିଲା ।

ଏଣୁ ଏବେ ବାପା ମା ଛେଉଣ୍ଡ ଦୁଇ ଭଉଣୀ ଦଇମତୀ ମାଝୀ ଓ ପାର୍ବତୀ ମାଝୀ ନ୍ୟାୟ ପାଇବା ଆଶାରେ ଜନମତ ପାଇବା ନେଇ ସମଗ୍ର ରାଜ୍ୟ ପଦଯାତ୍ରା କରୁଛନ୍ତି । ଭୋକ ଓପାସରେ ରହି ଏହି ଦୁଇ ଭଉଣୀ ନ୍ୟାୟ ଆଶାରେ ସମଗ୍ର ରାଜ୍ୟ ବୁଲିବା ମଧ୍ୟରେ କେତେକ ବଦାନ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ମିଳୁଥିବା ଅର୍ଥରାଶିରେ ଜୀବନ ବଂଚାଉଥିବା ବିଷୟ ସୂଚାଇଛନ୍ତି । ରାଜ୍ୟସାରା ନ୍ୟାୟ ଭିକ୍ଷା ପରେ ସେମାନେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଧାରଣାରେ ବସିବା ପରେ ନ୍ୟାୟ ନମିଳିଲେ ଦିଲ୍ଲୀ ଯାଇ ଆମରଣ ଅନଶନ କରିବାର ନିଷ୍ପତ୍ତି ନେଇଥିବା ବିଷୟ କହିଛନ୍ତି । ଏ ସଂପର୍କରେ ଏହି ଦୁଇଭଉଣୀ ଦେଇଥିବା ବୟାନ ମୂଳେ ସେମାନେ କୋରାପୁଟ ଜିଲାର ମାଛକୁଣ୍ଡ ଥାନା ଅଧୀନସ୍ଥ ଲମତାପୁଟ ଗ୍ରାମ ନିବାସୀ ୰ ଦଶରଥ ମାଝୀଙ୍କର ଦୁଇକନ୍ୟା ଅଟନ୍ତି ।

ସେମାନଙ୍କର ପିତା ସୁସ୍ଥ ଥିବା ସମୟରେ ତାଙ୍କର କାଜୁବାଡି ଓ ସେଠାରେ ଲଗାଯାଇଥିବା ନୀଳଗିରି ଗଛକୁ ନେଇ ବେଶ୍ ଭଲରେ ରହିଆସୁଥିଲେ । ମାତ୍ର ସେପ୍ଟେମ୍ବର ୨୦୧୬ ମସିହାରେ ସେମାନଙ୍କ ପିତା ଅସୁସ୍ଥ ହୋଇ ତିନିମାସ ଡାକ୍ତରଖାନାରେ ଚିକିତ୍ସିତ ହେବା ମଧ୍ୟରେ ସେହିବର୍ଷ ଡିସେମ୍ବର ୫ ତାରିଖରେ ଆଶା କିରଣ ହସ୍ପିଟାଲରେ ମୃତ୍ୟୁବରଣ କଲେ । ସେମାନେ ସେହିଦିନ ନିଜ ପିତାଙ୍କ ଶବକୁ ଘରକୁ ଆଣି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ଖବର ଦେଇଥିଲେ ବି କେହି ସହଯୋଗ କରିନଥିଲେ । ତା ପରଦିନ ପିତାଙ୍କ ସାଙ୍ଗ ବଳରାମ ଖୋରା ଆସିବାରୁ ଦୁଇ ଭଉଣୀ ଘରେ ଚାବି ଦେଇ କାଠ ସଂଗ୍ରହ ପାଇଁ ତାଙ୍କ ସହ ସିନ୍ଧିପୁଟ ଗ୍ରାମକୁ ଯାଇ କାଠ ସଂଗ୍ରହ କରି ଆଣିଥିଲେ ବି କଙ୍ଗାରୁକୋର୍ଟରେ କେତେକ ବିଜେଡି କର୍ମୀ ଆମକୁ ଘରକୁ ନଛାଡି କଙ୍ଗାରୁ କୋର୍ଟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ହତ୍ୟା ଉଦ୍ୟମ କରିଥିଲେ । ଏପରିକି ପିତାଙ୍କ ଶବକୁ ସଂସ୍କାର ମଧ୍ୟ କରାଇ ଦେଇନଥିଲେ । ସଂପୃକ୍ତ ଲୋକମାନେ ସେମାନଙ୍କୁ ୨୦୧୫ ସେପ୍ଟେମ୍ବର ୩ ତାରିଖ ଦିନ ତାଙ୍କ ମା’ଙ୍କ ମୃତ୍ୟୁ ପରେ ମଧ୍ୟ ଏହିଭଳି ଭାବେ ଦାହ ସଂସ୍କାର ଦିନ ସହଯୋଗ ନକରି ନିଆଁପାଣି ବାଚ୍ଛନ୍ଦ କରିଥିଲେ । କଙ୍ଗାରୁ କୋର୍ଟରେ ସେଦିନ ସଂପୃକ୍ତ ନେତା ଓ କର୍ମୀମାନେ ତାଙ୍କ ପିତାଙ୍କ ଶବକୁ ଗାଏବ କରି ନିର୍ଯ୍ୟାତନା ଦେଇ ଗ୍ରାମରୁ ବିତାଡିତ କରିଥିଲେ ।

ଇତିମଧ୍ୟରେ ସେମାନେ ତାଙ୍କ କାଜୁବାଡିକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିବା ସହ ବାଡିରେ ଥିବା ମୂଲ୍ୟବାନ ଲକ୍ଷାଧିକ ଟଙ୍କାର ନୀଳଗିରି ଗଛକୁ ଜାଲିଆତି କାଗଜପତ୍ର ମାଧ୍ୟମରେ ବିକ୍ରି କରିଥିବା ବିଷୟ ଜାଣିବାକୁ ପାଇଛନ୍ତି । ସେମାନଙ୍କ ପାଖରୁ ସେଦିନ ଘରର ଚାବି ଦେଇ ଚାବିକାଠି ନେଇଯିବା ପରେ ଘରର ଆସବାବ ପତ୍ରକୁ ଚୋରିକରି ନେଇଥିବା ବିଷୟ ଜାଣିବାକୁ ପାଇଥିଲେ ହେଁ ଅଭିଯୁକ୍ତମାନଙ୍କ ମଧ୍ୟରେ ଥିବା କମୁଲୁ ମୁଦୁଲି, ପଦ୍ମା ମାଝୀ, ଜୟ ମାଝୀ, ମଙ୍ଗଳା ମାଝୀ, ସୁକୁରା ମାଝୀ, ସୁକ୍ରି କତଲେଲ୍, ହରିବନ୍ଧୁ ମାଝୀ, ମଂଗଳା କତଲେଲ୍, ସୁକୁ ନାୟକ, ପୂର୍ଣ୍ଣ ନାୟକ, ଧନୁର୍ଜୟ ଦାର୍ଲି, ପ୍ରଶାନ୍ତ ଦାର୍ଲି ସେମାନଙ୍କୁ ଗ୍ରାମରେ ପୁରାଇ ଦେଇନଥିଲେ । ଦୁଇଭଉଣୀ ସେହିଦିନ ମାଛକୁଣ୍ଡ ଥାନାରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ପୁଲିସ୍ ଅଭିଯୁକ୍ତଙ୍କ ଚାପରେ ଓଲଟି ସେମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଏ ସଂପର୍କରେ ସେମାନେ ସ୍ଥାନୀୟ ଏସ୍ପିଙ୍କ ଠାରୁ ଆରମ୍ଭ କରି କୋରାପୁଟ ଡିଆଇଜିଙ୍କ ନିକଟରେ ଅଭିଯୋଗ ପତ୍ର ଦେଇଥିଲେ ହେଁ ଏଚ୍ଆରପିସି (ଡିଏସ୍ପି) ନରହରି ନାୟକ, ଶିଶୁ ସୁରକ୍ଷା ଅଧିକାରୀ ରାଜେଶ୍ୱରୀ ଦାସ, ଥାନାଧିକାରୀ ବିମଲ ମଲ୍ଲିକ ତଦନ୍ତ କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିଥିଲେ ମଧ୍ୟ ୬ ମାସ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ପରେ ସେମାନେ ଡିଜିଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଏସ୍ପି ଚରଣ ସିଂ ମିନାଙ୍କୁ ଗତ ୨୦୧୭ ମଇ ୨୦ ତାରିଖରେ ସାକ୍ଷାତ୍ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବାରୁ ସେମାନେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୁଲିସ୍ ସେମାନଙ୍କୁ ଉଦ୍ଧାର କରି କାର୍ଯ୍ୟାନୁଷ୍ଠାନ ଆଳରେ ଜାଲିଆତି ଭାବେ ଦସ୍ତଖତ କରାଇ କେଶ୍ଟିକୁ ବନ୍ଦ କରିଦେଇଥିବା ବିଷୟ ପରେ ଜାଣିଥିଲେ । ଏଣୁ ଦୁଇଭଉଣୀ ୧୨ ଜଣ ଅଭିଯୁକ୍ତଙ୍କ ଗିରଫ, ୧୪ ଜଣଙ୍କ ନାମରେ ମାନହାନି ମୋକଦ୍ଦମା, ସେମାନଙ୍କ ଠାରୁ ଜାଲ୍ ଦସ୍ତଖତ କରାଇ କେଶ୍କୁ ବନ୍ଦ କରିବାରେ ସହାୟତା କରିଥିବା ଶିଶୁ ସୁରକ୍ଷା ଅଧିକାରୀ ଡିଏସ୍ପି ଓ ଥାନାଧିକାରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ, ସମସ୍ତ କ୍ଷୟକ୍ଷତିର କ୍ଷତିପୂରଣ ସହ ସେମାନଙ୍କୁ ଲମ୍ତାପୁଟରେ ନରଖାଇ କୋରାପୁଟରେ ଥଇଥାନର ବ୍ୟବସ୍ଥା କରାଯିବା ନେଇ ଉଭୟ ରାଜ୍ୟସ୍ତରୀୟ ବିଜେଡି ଓ ବିଜେପି ନେତାଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଗୁହାରି କରି ଦୀର୍ଘ ଏକବର୍ଷ ଧରି ଭୁବନେଶ୍ୱର ଲୋୟାର ପିଏମ୍ଜିରେ ଅହୋରାତ୍ର ଧାରଣା ବସିଥିଲେ ମଧ୍ୟ କୌଣସି ନ୍ୟାୟ ପାଇଲେନାହିଁ ।

ଏଣୁ ଏବେ ନିର୍ବାଚନ ସମୟରେ ସେମାନେ ତାଙ୍କଭଳି ଦଳିତ ଦୁଇ ଭଉଣୀଙ୍କୁ ନ୍ୟାୟ ନଦେଇ ନିର୍ଯ୍ୟାତନା ଦେଇଥିବା ବିଜେଡି ଓ ବିଜେପି ଦଳକୁ ଭୋଟ୍ ନଦେବା ପାଇଁ ଏହିଭଳି ଅଭିନବ ଭାବେ ୩୦ଟି ଜିଲା ପରିଭ୍ରମଣ କରୁଥିବାର ସୂଚାଇଛନ୍ତି ।

error: Thank You Keep Visiting