ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ସୋଲେମାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆହତ

Straight to the Point

କେନ୍ଦ୍ରାପଡା(ଓଡିଶା ଜର୍ଣ୍ଣାଲ): ପୋଲିସ ଏନକାଉଁଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଆହତ ହୋଇଥିବା ଜଣାପଡିଛି । ୨୦୦୯ମସିହା ସେପ୍ଟେମ୍ବରମାସରେ ନିଜର ଅପରାଧୀକ ଗୁରୁ ଗ୍ୟାଙ୍ଗଷ୍ଟର ସୋଲେମାନକୁ ଗ୍ୟାଙ୍ଗଷ୍ଟର ଟିଟୋ ଠାରୁ ସୁପାରୀ ନେଇ ଗାଡି ଭିତରେ ପଛପଟୁ ଗୁଳି କରି ହତ୍ୟା କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକକୁ ମଙ୍ଗଳବାର ରାତି ପ୍ରାୟ ୪ଟା ସମୟରେ ୫ନମ୍ବର ଜାତୀୟ ରାଜପଥର କଜଳା ଗଡା ନିକଟରେ କେନ୍ଦ୍ରାପଡା ସଦର ଥାନା ଇନିସପେକ୍ଟର ମହେଶ୍ୱର ସେଠୀ ଓ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ମିଳିତ ଭାବେ ଏନକାଉଁଟର କରାଯାଇଛି । ବହୁ ଦିନରୁ ଫେରାର ଥିବା ବିଜୟ ପୋଲିସକୁ ଚକମା ଦେଇ ଖସିଯାଉଥିବା ବେଳେ ହଠାତ ପୋଲିସକୁ ଦେଖି ଗୁଳି ଚଳାଇବାରୁ ପୋଲିସ ଆତ୍ମରକ୍ଷା ନିମନ୍ତେ ତା ଉପରକୁ ଗୁଳି କରିଥିଲା ।

ଗୁଳିଟି ବିଜୟର ବାମଗୋଡ ଆଣ୍ଠୁତଳେ ବାଜିଛି । ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ବିଜୟ ନାମରେ ଏକଶହରୁ ଉଦ୍ଧ୍ୱର୍ ସଂଗିନ ମାମଲା ବିଭିନ୍ନ ଥାନାରେ ରହିଥିବା ଏସଡିପିଓ ରାଜୀବଲୋଚନ ପଣ୍ଡା ସୂଚନା ଦେଇଥିଲେ । ତା ନିକଟରୁ ଏକ ମାଉଜର ଏବଂ ସିବିଜେଡ ବାଇକ ପୋଲିସ ଜବତ କରିଛି । ଏଥିସହିତ ତା ନିକଟରୁ ୨ଟି ଫେକ ପରିଚୟପତ୍ର ସମେତ ଗୋଟିଏ ଭୋଟ ପରିଚୟପତ୍ର ଓ ଆଧାର କାର୍ଡ ଜବତ କରାଯାଇଥିବା ସୂଚନା ଦିଆଯାଇଛି । ସେ କଟକ ଜିଲ୍ଲାର ବାଙ୍କି ଅଚଂଳରେ ନିଜକୁ ଗଣେଶ ଦାସ ବୋଲି ପରିଚୟ ଦେଇ ରହୁଥିଲା ବୋଲି ପୋଲିସ ସୂଚନା ଦେଇଛି । ଚଳିତବର୍ଷ ଏହାକୁ ମିଶାଇ ୪ଟି ପୋଲିସ ଏନକାଉଁଟର ଜିଲ୍ଲାରେ ହୋଇଥିବା ଜଣାପଡିଛି । କିନ୍ତୁ ଆହୁରି ଦୁର୍ଦ୍ଦାନ୍ତ ଅପରାଧୀ ଜିଲ୍ଲାରେ ଖୋଲାଖୋଲି ବୁଲୁଥିବା ବେଳେ ସେମାନଙ୍କ ବିରୋଧରେ ପୋଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ଏବଂ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?

error: Thank You Keep Visiting