କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ କରିବା ଦାବିରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରାସ୍ତାରୋକ

Straight to the Point

କେନ୍ଦ୍ରାପଡା(ଓଡିଶା ଜର୍ଣ୍ଣାଲ): ଓଡିଶାର ସର୍ବ ପୁରାତନ ବେସରକାରୀ କଲେଜ ଭାବେ ପରିଚୟ ସୃଷ୍ଟି କରିଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟଟି ଶୈକ୍ଷିକ ସଫଳତା ହାସଲ ସହିତ ଭିତ୍ତିଭୂମିର ବିକାଶ ପାଇଁ ଦୁଇ ଦୁଇ ଥର ଜାତୀୟ ମୁଲ୍ୟାୟନ ଓ ମାନ ନିର୍ଦ୍ଧାରଣ ପରିଷଦ(ନାକ) ଦ୍ୱାରା ‘ଏ’ ଗ୍ରେଡ ହାସଲ କରିଥିବା ବେଳେ ବିଶ୍ୱ ବିଦ୍ୟାଳୟ ଆୟୋଗ(ୟୁଜିସି)ଙ୍କ ସୁପାରିସ କ୍ରମେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭାବରେ କାର୍ଯ୍ୟ କରିଆସୁଅଛି । ଏତଦ ବ୍ୟତିତ ୟୁଜିସି ମଧ୍ୟ ଏହି କେଲଜକୁ ଅତୀତରେ ଉତ୍କର୍ଷର ଶିକ୍ଷା କେନ୍ଦ୍ର (କଲେଜ ଉଇଥ ପୋଟେନସିଆଲ ଫର ଏକ୍ସିଲେନ୍ସ)ବୋଲି ଘୋଷଣା କରି ସାରିଛି ।

ରାଜ୍ୟର ୬ଟି ଏ ଗ୍ରେଡ ମହାବିଦ୍ୟାଳୟ ମଧ୍ୟରେ ଏହି କଲେଜଟି ଅନ୍ୟତମ ହୋଇଥିବା ବେଳେ ଅନୁଦାନ ପ୍ରାପ୍ତ ୨ଟି ‘ଏ’ ଗ୍ରେଡ କଲେଜ ମଧ୍ୟରେ ନାକ ମାନ୍ୟତାରେ ଏହି କଲେଜ ଆଗରେ ରହିଛି । ପ୍ରାକୃତିକ ସମ୍ପଦରେ ଭରା କେନ୍ଦ୍ରାପଡା ଜିଲ୍ଲା ମାନବ ସମ୍ବଳ ପ୍ରାଚୁର୍ଯ୍ୟରେ ଭରା । ଏହାର ଐତିହ୍ୟ ଓ ସଂସ୍କୃତି ଅତି ପ୍ରାଚୀନ । ଏହି କୃଷି ବହୁଳ ଜିଲ୍ଲାର ଶିକ୍ଷା ସ୍ୱାଭାବିକତଃ ଅନ୍ୟାନ୍ୟ ପାରମ୍ପରିକ ଶିକ୍ଷା କେନ୍ଦ୍ର ଠାରୁ ଭିନ୍ନ ହେବା ପ୍ରୟୋଜନୀୟ ଅଟେ । ଏହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୦ଟି ଡିଗ୍ରୀ କଲେଜ ଓ ଏହା ସଂଲଗ୍ନ ଜିଲ୍ଲାରେ ଥିବା ପ୍ରାୟ ୪୦ଟି ଡିଗ୍ରୀ କଲେଜକୁ ନେଇ ଏକ ସ୍ୱତନ୍ତ୍ର ବିଶ୍ୱ ବିଦ୍ୟାଳୟ ଗଠନ କରାଗଲେ ତାହା ସଫଳତାର ସହିତ କାର୍ଯ୍ୟ କରିପାରିବ । ଏହାଛଡା ଏହି ନୂତନ ବିଶ୍ୱ ବିଦ୍ୟାଳୟରେ ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଏହି କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାକୁ ସମସ୍ତ ଯୋଗ୍ୟତା ହାସଲ କରିଥିବା ସତ୍ତେ୍ୱ ଜିଲ୍ଲା ନେତୃ ମଣ୍ଡଳିଙ୍କ ରାଜନୈତିକ ଇଛାଶକ୍ତି ଅଭାବରୁ ଆଜି ପର୍ଯ୍ୟନ୍ତ କଲେଜ ପ୍ରତିଷ୍ଠାର ୬୦ବର୍ଷ ପରେ ମଧ୍ୟ ସେଭଳି ସୁଯୋଗରୁ ବଂଚିତ ହୋଇ ଆସିଛି ।

ହୀରକ ଜୟନ୍ତୀ ପାଳନ କରି ସାରିଥିବା ଏହି କଲେଜଟି ସମସ୍ତ ସରକାରୀ ନୀତି ନିୟମକୁ ପୁରଣ କରୁଥିଲେ ସୁଦ୍ଧା କ’ଣ ପାଇଁ ଜିଲ୍ଲାବାସୀଙ୍କ ବହୁ ଦିନର ଦାବିକୁ ପୁରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତାହା ଜଣାପଡୁନାହିଁ । ତେଣୁ କେନ୍ଦ୍ରାପଡା କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ଦାବିରେ କଲେଜର ଛାତ୍ରଛାତ୍ରୀମାନେ ବୁଧବାର ପୂର୍ବାହ୍ନରେ କଟକ-ଚାନ୍ଦବାଲି ରାସ୍ତାକୁ କଲେଜ ମୁଖ୍ୟଫାଟକ ସମ୍ମୁଖରେ ରାସ୍ତା ଉପରେ ବସିରହି ୪ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ଅଚଳ କରିଦେଇଥିଲେ । ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ରାସ୍ତା ରୋକ ହେବାର ପ୍ରାୟ ୪ଘଂଟା ପରେ ଘଟଣା ସ୍ଥଳରେ ପହଁଚି ରାସ୍ତା ଅବରୋଧକାରୀ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ତୁରନ୍ତ ସୁପାରିସ କରାଯିବାକୁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା ।

ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଦୀର୍ଘ ସମୟ ଧରି ଅଟକି ରହିଥିବାର ଦେଖାଯାଇଥିଲା । ରାସ୍ତା ରୋକ ଖବର ପାଇ ଟାଉନ ଥାନା ଅଧିକାରୀ ଦେବାଶିଷ ମିଶ୍ର ପୋଲିସ ଫୋର୍ସଙ୍କ ସହିତ ଘଟଣା ସ୍ଥଳରେ ପହଁଚି ଛାତ୍ରଛାତ୍ରୀମାନଙ୍କୁ ଅବରୋଧ ହଟାଇବାକୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଜିଲ୍ଲାପାଳଙ୍କ ଉପସ୍ଥିତି ପାଇଁ ଅଡି ବସିଥିଲେ । ମାଜିେ ଷ୍ଟ୍ରଟ ଭାବେ ଅତିରିକ୍ତ ତହସିଲଦାର ନମିତା ବାରିକ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ଛାତ୍ରନେତା ଚିତ୍ତରଞ୍ଜନ ଦାସ,ସନ୍ତୋଷ ଖଟୁଆ,ସେକ ଇବ୍ରାହିମ,ପ୍ରତିକ ଗୋଛାୟତ,ପି ସ୍ୱାତି ସ୍ମରଣିକା,ଅନୁସୟା ସ୍ୱାଇଁ,ମାନସୀ ଦଳାଇ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ଛାତ୍ରଛାତ୍ରୀ ଏହି ରାସ୍ତା ଅବରୋଧରେ ସାମିଲ ହୋଇଥିଲେ ।

error: Thank You Keep Visiting