ମହିଳା ଦିବସ ଅବସରରେ ମହିଳାଙ୍କ ନିମନ୍ତେ ଆଶାର ପେଡ଼ି ଖୋଲିଲେ ରାହୁଲ
କୋରାପୁଟ(ଓଡିଶା ଜର୍ଣ୍ଣାଲ): କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ ପାସ୍ କରିବୁ ବୋଲି କୋରାପୁଟ ଜିଲା ଜୟପୁରରେ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେଇ ରାହୁଲ ଗାନ୍ଧୀ କହିଛନ୍ତି। ଏହାସହ ୨୦୧୯ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ ଲୋକସଭାରେ ଗୃହିତ କରାଯିବ। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣା ଶିକ୍ଷା ସହ ବିଧବା ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଅଧିକାରୀ ରହିବେ । ମହିଳା ଉଦ୍ୟୋଗୀଙ୍କ ପାଇଁ ଅର୍ଥ ନିଗମ ଗଠନ କରାଯିବ। ୧୯୯୬ ମସିହାରୁ ପଡି ରହିଥିବା ମହିଳା ସଂରକ୍ଷଣ ବିଲ୍ ଗୃହିତ କରାଯିବ। ଫଳରେ ଲୋକସଭା ଏବଂ ବିଧାନ ସଭାରେ ମହିଳା ମାନଙ୍କୁ ୩୩ପ୍ରତିଶତ ସଂରକ୍ଷଣ ମିଳିବ।
ଜୟପୁରରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଛାତ୍ରୀ ଏବଂ ମହିଳା ମାନଙ୍କ ସହିତ ଆଲୋଚନା କରିଥିଲେ। ତିନୋଟି ରାଜ୍ୟରେ ଦଳ ବିଜୟ ହାସଲ କରିଥିବାରୁ ବେଶ୍ ଆତ୍ମବିଶ୍ୱାସର ସହିତ ସେ ଦଳର କାର୍ଯ୍ୟକର୍ତ୍ତା ଓ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ମହିଳା ମାନଙ୍କ ପାଇଁ ମାଗଣାରେ ଉଚ୍ଚ ଶିକ୍ଷା ଏବଂ ଗୁଣାତ୍ମକ ସୁବିଧା ସୁଯୋଗ ଉପଲବ୍ଧ କରାଯିବ। ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ମାନଙ୍କ ସହିତ ଆଲୋଚନା ସମୟରେ ରାହୁଲ କହିଛନ୍ତି ଯେ ପ୍ରତିମାସରେ ମିଳୁଥିବା ବିଧବା ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ଓଡିଶାରେ ମହିଳା ମାନଙ୍କ କ୍ଷେତ୍ରରେ ବୃଦ୍ଧି ପାଉଥିବା ହିଂସା ଉପରେ ଚିନ୍ତା ପ୍ରକଟ କରି ରାହୁଲ କହିଛନ୍ତି, ପ୍ରତିଦିନ ୭ଟି ବଳାତ୍କାରର ଅଭିଯୋଗ ହେଉଛି। ମାତ୍ର ପିଡୀତାଙ୍କୁ ବହୁ ବିଳମ୍ବରେ ନ୍ୟାୟ ମିଳୁଛି। ନାରୀ ନିର୍ଯାତାନା ବା ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ପାଇଁ ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ମହିଳା ଅଧିକାରୀଙ୍କୁ ମୁତୟନ କରାଯିବ। ମହିଳା ଉଦ୍ୟୋଗିଙ୍କୁ ପ୍ରୋତ୍ସାହନ ଦେବାପାଇଁ ଅର୍ଥ ନିଗମ ଗଠନ କରାଯିବ।